ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଜଳୁଛି ଆକ୍ରୋଶର ନିଆଁ । ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡୁ ଦାବି କରାଯାଉଛି । ଇତିମଧ୍ୟରେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ କଠୋର ଆଇନ ପ୍ରଣୟନ କରିବାକୁ ମଙ୍ଗଳବାର ଅନଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସୋମବାର ସ୍ବାତୀ ନିଜ ଟ୍ବିଟ୍ରେ ଅନଶନରେ ବସିବା ନେଇ ସୂଚନା ଦେଇଥିଲେ । ସେ ଟ୍ବିଟ୍ରେ ଲେଖିଥିଲେ, 6 ବର୍ଷର ନାବାଳିକା ଏବଂ ମହିଳା ଡାକ୍ତରଙ୍କ ଚିତ୍କାର ତାଙ୍କୁ 2 ମିନିଟ୍ ବି ଶାନ୍ତିରେ ବସିବାକୁ ଦେଉନାହିଁ । ଦୁଷ୍କର୍ମକାରୀଙ୍କ 6 ମାସ ଭିତରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ । ଏହି ଆଇନକୁ ଲାଗୁ କରିବାକୁ ମଙ୍ଗଳବାର ଜନ୍ତର-ମନ୍ତରରେ ଆମରଣ ଅନଶନରେ ବସିବି । ଆଉ ଏହି ଅନଶନ ସେପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ ମହିଳାଙ୍କ ସୁରକ୍ଷାକୁ ନେଇ ମୋତେ ଗ୍ୟାରେଣ୍ଟି ନ ମିଳିଛି ।