ଓଡିଶା

odisha

ETV Bharat / bharat

'ଆତ୍ମରକ୍ଷା ପାଇଁ ହୋଇଛି ଏନକାଉଣ୍ଟର' - ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ ସାଇବରାବାଦ ପୋଲିସ କମିଶନରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ଆକ୍ରମଣ କରିବାରୁ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର ହୋଇଥିବା କହିଛନ୍ତି କମିଶନର ଭିସି ସଜ୍ଜନାର ।

Cyberabad police commisioner
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 6, 2019, 6:25 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ପଶୁ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ ଶୁକ୍ରବାର ତେଲାଙ୍ଗାନା ପୋଲିସ ସାମ୍ବାଦିକ ସମ୍ମିଳନୀ କରିଛି । ଆତ୍ମରକ୍ଷା ପାଇଁ ଏହି ଏନକାଉଣ୍ଟର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଶୁକ୍ରବାର ସକାଳେ ଗଣଦୁଷ୍କର୍ମ ଘଟିଥିବା ସ୍ଥାନକୁ ପ୍ରମାଣ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡାଇ ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର କହିଛନ୍ତି । ଏହି ସମୟରେ ଅଭିଯୁକ୍ତଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ସଜ୍ଜନାର ପ୍ରତିକ୍ରିୟା ରଖିଛନ୍ତି ।

ପ୍ରେସ କନଫରେନ୍ସରେ ତେଲାଙ୍ଗାନା ପୋଲିସର ମୁଖ୍ୟ କଥା...

  • ଗଣଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳକୁ ମହିଳା ଡାକ୍ତରଙ୍କ ଫୋନ, ପାଓ୍ବାରବ୍ୟାଙ୍କ, ଘଡି ଆଦି ପ୍ରମାଣ ସ୍ବରୂପ ସଂଗ୍ରହ କରିବାକୁ ପୋଲିସ ଆସିଥିଲା ।
  • ଯେତେବେଳେ ଏଠାରେ ପହଞ୍ଚିଲୁ ଚାରି ଜଣ ଅଭିଯୁକ୍ତ ପଥରରେ ଆକ୍ରମଣ କରିଥିଲେ । ଏହାସହ ଅଭିଯୁକ୍ତମାନେ ପୋଲିସର ବନ୍ଧୁକ ମଧ୍ୟ ଛଡାଇ ନେଇଥିଲେ ।
  • ଅଭିଯୁକ୍ତମାନେ ବନ୍ଧୁକ ଛଡାଇବା ପରେ ପୋଲିସ ଏନକାଉଣ୍ଟର ପାଇଁ ଚେତାବନୀ ଦେଇଥିଲା । ଚେତାବନୀ ସତ୍ତ୍ବେ 4 ଜଣ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବ ଦେବାକୁ ଯାଇ ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ପାଖାପାଖି 5ରୁ 10 ମିନିଟ ଗୁଳିବିନିମୟ ହୋଇଥିବା ବେଳେ ଏଥିରେ 4 ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି । ତିନିଜଣ ଅଭିଯୁକ୍ତ 20 ବର୍ଷର ଥିବା ବେଳେ ଜଣେ 26 ବର୍ଷର ଥିଲା ।
  • ଗୁଳି ବିନିମୟରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପ୍ରମାଣ ସଂଗ୍ରହ କରିବା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏନକାଉଣ୍ଟର ସମୟର ଭିଡିଓ ହୋଇନାହିଁ । ଅଭିଯୁକ୍ତଙ୍କ ପାଖରୁ ଦୁଇଟି ବନ୍ଧୁକ ଜବତ ହୋଇଛି । ଏମାନଙ୍କ ବିରୁଦ୍ଧରେ ତେଲାଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ଅନେକ ମାମଲା ଚାଲୁଥିବା ବେଳେ ଏହାର ଜାଞ୍ଚ କରାଯାଉଛି ।
  • ପ୍ରେସ କନଫରେନ୍ସରେ ମାନବାଧିକାର ପ୍ରଶ୍ନର ଉତ୍ତରରେ ସଜ୍ଜନାର କହିଛନ୍ତି ଯେ ମୁଁ ଏତିକି କହିବାକୁ ଚାହୁଁଛି କି ଆଇନ ତା'ର କାମ କରିଛି ।

ଗଣଦୁଷ୍କର୍ମ ପରେ ପଶୁ ଚିକିତ୍ସକଙ୍କ ମୃତଦେହ ଯେଉଁ ଫ୍ଲାଏଓଭର ନିକଟରୁ ମିଳିଥିଲା, ସେହିଠାରେ ହିଁ ଶୁକ୍ରବାର ସକାଳୁ ଏନକାଉଣ୍ଟର ହୋଇଛି । ସକାଳ 5.45ରୁ 6ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଏଥିରେ ଅଭିଯୁକ୍ତ 4 ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପକ୍ଷେ ଏହି ଏନକାଉଣ୍ଟର ପରେ ତେଲାଙ୍ଗାନା ପୋଲିସକୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଅନ୍ୟପକ୍ଷେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି ।

ABOUT THE AUTHOR

...view details