ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି(CWC) ବୈଠକ ଆରମ୍ଭ ହୋଇଛି । କୋରୋନା କଟକଣା ପାଇଁ ଭିସି ଯୋଗେ କଂଗ୍ରେସର ନେତାମାନେ ଏଥିରେ ଯୋଗ ଦେଇଛନ୍ତି । ତେବେ ବୈଠକରେ ବର୍ତ୍ତମାନ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ପଦ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ପୁଣି ଥରେ ରାହୁଲ ଗାନ୍ଧି କଂଗ୍ରେସ ଭାର ସମ୍ଭାଳିପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ତେବେ ଅନେକ କଂଗ୍ରେସ ନେତା ସୋନିଆ ଗାନ୍ଧି ହିଁ ପଦରେ ରୁହନ୍ତୁ ବୋଲି ଚାହୁଁଛନ୍ତି ।
ସେପେଟ ଗାନ୍ଧି ପରିବାରକୁ ଛାଡି ଅନ୍ୟ ହାତରେ କଂଗ୍ରେସ ଅଧ୍ୟକ୍ଷ ପଦ ନ୍ୟସ୍ତ କରିବାକୁ ଗୋଟିଏ ଗୋଷ୍ଠୀ ଚାହୁଁଥିବା ଚର୍ଚ୍ଚା ଧରିଛି । ତେବେ ଏସବୁ ଭିତରେ କିଛି କଂଗ୍ରେସ କର୍ମୀ ଦିଲ୍ଲୀ କଂଗ୍ରେସ ଭବନ ସାମ୍ନାରେ ଗାନ୍ଧି ପରିବାରରୁ ହିଁ ଦଳର ଅଧ୍ୟକ୍ଷ ଚୟନ ହୁଅନ୍ତୁ ବୋଲି ନାରା ଦେଇଛନ୍ତି । ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ନଚେତ୍ ପ୍ରିୟଙ୍କା ଗାନ୍ଧିଙ୍କ ମଧ୍ୟରେ ଜଣଙ୍କୁ କାହାକୁ ଦଳର ଅଧ୍ୟକ୍ଷ ପଦରେ ବସା ଯିବାକୁ ସେମାନେ ନାରା ଦେଉଛନ୍ତି ।
ସୂଚନାଥାଉକି, ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କଂଗ୍ରେସର 20 ଜଣ ବରିଷ୍ଠ ନେତା ଦଳ ପାଇଁ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଯାହାକୁ ନେଇ ରାଜନୀତି ଗଳିରେ ଚର୍ଚ୍ଚା ଜୋର ଧରିଛି ।
2019 ମସିହାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଥିଲା ।