ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ମନୋନୀତ କରିବାର କାରଣ ଜଣାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଦେଇଥିବା ରାୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜନୈତିକ ଦଳ ଉପରେ ନୈତିକ ଚାପ ପକାଇବାକୁ ଏହି ରାୟ ନିର୍ବାଚନ କମିଶନକୁ ସଶକ୍ତ କରିପାରିବ। ରାଜନୈତିକ ଦଳଗୁଡିକ କାହିଁକି ଏଭଳି ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ସେ ନେଇ ଲୋକଙ୍କ ଆଗରେ ସେମାନଙ୍କୁ ସ୍ପଷ୍ଟୀକରଣ ରଖିବାକୁ ପଡିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ରାୟ ପରେ ବି ନିର୍ବାଚନ କମିଶନ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରଶ୍ନ ପଚାରି ନୈତିକ ଚାପ ପକାଇବା ଦିଗରେ ଗୋଟିଏ ଇଞ୍ଚ ବି ଆଗକୁ ବଢିନାହିଁ। କିନ୍ତୁ ରାୟ ଦ୍ବାରା ରାଜନୈତିକ ଦଳଗୁଡିକୁ ଏହି ପ୍ରଶ୍ନ ପଚାରି ସେମାନଙ୍କ ଉପରେ ନୈତିକ ଚାପ ସୃଷ୍ଟି କରିବାକୁ ନିର୍ବାଚନ କମିଶନ ସଶକ୍ତ ହୋଇଛି କି, ତାହା ବଡ଼ ପ୍ରଶ୍ନ ହୋଇଛି। ଏହା ହୋଇପାରିଲେ ରାଜନୈତିକ ଦଳଗୁଡିକ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀ ମନୋନୀତ କରିବା ପୂ୍ର୍ବରୁ ଦୁଇ ଥର ଚିନ୍ତା କରିବେ, ଏଭଳି ପ୍ରାର୍ଥୀ ବାଛିବା ବନ୍ଦ କରିବେ। ନିର୍ବାଚନରେ ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ଏହି ରାୟ ନିର୍ବାଚନ କମିଶନଙ୍କୁ ଆଗକୁ ନେବାରେ ସହାୟକ ହେବ?
ରାଜନୀତିରେ ଅପରାଧୀକରଣ ବର୍ତ୍ତମାନ ଭାରତୀୟ ରାଜନୀତି ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି। ଗୋଟିଏ ପରେ ଗୋଟିଏ ସଂସଦୀୟ ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବଢି ଚାଲିଛି। 2004 ଲୋକସଭା ନିର୍ବାଚନ ସମୟରେ ପଞ୍ଚଦଶ ଲୋକସଭାକୁ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ 24 ପ୍ରତିଶତ ସଦସ୍ୟଙ୍କ ନାଁରେ ପୁରୁଣା ଅପରାଧୀକ ମାମଲା ରହିଥିଲା, ଯାହାକି 2009 ଷୋଡଶ ଲୋକସଭାରେ 30 ପ୍ରତିଶତକୁ ବୃଦ୍ଧି ପାଇଥିଲା। ଆଶା କରାଯାଉଥିଲା ଯେ, 2014 ଲୋକସଭା ନିର୍ବାଚନରେ ସରକାର ବଦଳିବା ପରେ ପାର୍ଲାମେଣ୍ଟ ସଦସ୍ୟଙ୍କ ପୁରୁଣା ଅପରାଧୀକ ରେକର୍ଡରେ କିଛିଟା ଗୁଣବତ୍ତା ପରିବର୍ତ୍ତନ ଆସିବ, କିନ୍ତୁ 2014 ପରେ ଏ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ। 2019 ଲୋକସଭା ନିର୍ବାଚନ ସମୟରେ ସପ୍ତଦଶ ଲୋକସଭାକୁ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ 43 ପ୍ରତିଶତଙ୍କ ନାଁରେ ଥିଲା ଅପରାଧିକ ମାମଲା ।
ବିଭିନ୍ନ ରାଜ୍ୟ ବିଧାନସଭାକୁ ନିର୍ବାଚିତ ପ୍ରତିନିଧିଙ୍କ ଅପରାଧୀକ ରେକର୍ଡ ଦେଖିଲେ ଚିତ୍ର ସେପରି କିଛି ଭିନ୍ନ ନଥିଲା, କେବଳ ମାତ୍ର ଭିନ୍ନତା ଥିଲା ରଙ୍ଗରେ। ଅଧିକାଂଶ ରାଜ୍ୟ ବିଧାନସଭାରେ ଅଧିକ ସଂଖ୍ୟାରେ ନିର୍ବାଚିତ ପ୍ରତିନିଧିଙ୍କ ଅପରାଧୀକ ପୃଷ୍ଠଭୂମି ରହିଛି। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଲଗାତର ଦ୍ବିତୀୟ ବିଜୟ ହାସଲ କରିଛି। ଦିଲ୍ଲୀ ବିଧାନସଭାରେ ଅପରାଧୀକ ରେକର୍ଡ ଥିବା ବିଧାୟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। 70 ଜଣିଆ ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା 2015 ବିଧାନସଭା ନିର୍ବାଚନରେ ଅପରାଧିକ ରେକର୍ଡ ଥିବା 24 ଜଣ ନିର୍ବାଚିତ ହୋଇଥିଲେ । କିନ୍ତୁ 2020 ବିଧାନସଭା ନିର୍ବାଚନରେ ଅପରାଧୀକ ରେକର୍ଡ ଥିବା ନିର୍ବାଚିତ ବିଧାୟକଙ୍କ ସଂଖ୍ୟା 42ରେ ପହଞ୍ଚିଛି। ହତ୍ୟା, ମହିଳାଙ୍କ ବିରୁଦ୍ଧରେ ଅପରାଧ, ଘୃଣା ଭାଷଣ ଆଦି ଗୁରତର ଅପରାଧୀକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା 2015ରେ 14 ଥିବା ବେଳେ ଏହା 2020ରେ ପ୍ରାୟ ଦୁଇଗୁଣ ବୃଦ୍ଧି ଘଟି 37ରେ ପହଞ୍ଚିଛି । ପାର୍ଲାମେଣ୍ଟ ଭଳି ସମାନ ଆଶା କରାଯାଉଥିଲା, ନବଗଠିତ ଆମ ଆଦମୀ ପାର୍ଟି (ଆପ୍) ଦେଶର ରାଜଧାନୀରେ ଏକ ଭିନ୍ନ ଆଦର୍ଶର ରାଜନୈତିକ ଦଳ ହେବ, ଦିଲ୍ଲୀ ବିଧାନସଭାକୁ ଭଲ ଲୋକ ନିର୍ବାଚିତ ହୋଇ ଆସିବେ, କିନ୍ତୁ ଦୁଃଖର ବିଷୟ ଏହା ହେଲାନାହିଁ। ଯଦି ଏହା ଏକ ନୈତିକ ପ୍ରଶ୍ନ ହୋଇଥାନ୍ତା, ତେବେ ଆମେ ଜାତୀୟ ସ୍ତରରେ ବିଜେପି ଏବଂ ଦିଲ୍ଲୀରେ ଆପ୍ ଦେଉଥିବା ସ୍ବଚ୍ଛ ରାଜନୀତିର ପ୍ରତିଶ୍ରୁତି ଅନୁଯାୟୀ ଲୋକସଭା ଓ ଦିଲ୍ଲୀ ବିଧାନସଭାରେ ଭଲ ଲୋକଙ୍କୁ ଦେଖିବାକୁ ମିଳିଥାନ୍ତା। କିନ୍ତୁ ଦୁଃଖର କଥା ଆମକୁ ନିର୍ବାଚିତ ପ୍ରତିନିଧିଙ୍କ କ୍ଷେତ୍ରରେ କିଛି ବି ପରିବର୍ତ୍ତନ ଦେଖିବାକୁ ମିଳିଲା ନାହିଁ।
ନିକଟରେ ସୁପ୍ରିମ କୋର୍ଟ ରାଜନୈତିକ ଦଳ ଗୁଡ଼ିକ ପାଇଁ ପ୍ରାର୍ଥୀ ମନୋନୟନ ବେଳେ 6 ଟି ନିୟମାବଳୀ ପାଳନ ପାଇଁ ଏକ ରାୟ ଶୁଣାଇଛନ୍ତି। ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି ସେମାନଙ୍କ ନଁରେ କେତେ କ’ଣ ଅପରାଧୀକ ମାମଲା ବିଚାରାଧୀନ ରହିଛି ତାର ସବିଶେଷ ବିବରଣୀ ରାଜନୈତିକ ଦଳ ଗୁଡିକ ନିଜ ନିଜ ୱେବସାଇଟରେ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି। ସେମାନଙ୍କୁ କାହିଁକି ବାଛିଲେ ଏବଂ ଅପରାଧ ରେକର୍ଡ ନଥିବା ପ୍ରାର୍ଥୀ ଚୟନରେ ସେମାନେ କାହିଁକି ଅସମର୍ଥ ତାହା ଜଣାଇବା ବାଧ୍ୟତାମୂଳକ ବୋଲି ରାୟରେ କୁହାଯାଇଛି। ଦଳଗୁଡିକ କେବଳ ବିଜୟ ସମ୍ଭାବନା କହି ଖସିଯିବା ଗ୍ରହଣୀୟ ହେବନାହିଁ ବୋଲି କୋର୍ଟ କହିଛନ୍ତି। ଏସବୁ ତଥ୍ୟ ଏକ ସ୍ଥାନୀୟ ସମ୍ବାଦପତ୍ର ଏବଂ ଏକ ଜାତୀୟ ସମ୍ବାଦପତ୍ରରେ ପ୍ରକାଶ କରିବା ସହ ଦଳର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ମଧ୍ୟ ପ୍ରସାରଣ କରିବାକୁ ହେବ। ପ୍ରାର୍ଥିପତ୍ର ଦାଖଲର ପ୍ରଥମ ତାରିଖର ଅନ୍ତତଃ ଦୁଇ ସପ୍ତାହ ପୂର୍ବରୁ କିମ୍ବା ପ୍ରାର୍ଥୀ ମନୋନୟନର 48 ଘଣ୍ଟା ଭିତରେ, ଯେଉଁଟା ଆଗ, ଏସବୁ କରିବାକୁ ପଡ଼ିବ। ନିର୍ଦ୍ଦିଷ୍ଟ ପ୍ରାର୍ଥୀ ମନୋନୟନର 72 ଘଣ୍ଟା ଭିତରେ ଦଳକୁ ଏକ ବିସ୍ତୃତ ରିପୋର୍ଟ ପଠାଇବାକୁ ପଡ଼ିବ। ନଚେତ୍ ନିର୍ବାଚନ କମିଶନ ସମ୍ପୃକ୍ତ ରାଜନୈତିକ ଦଳ ବିରୁଦ୍ଧରେ ଅଦାଲତ ଅବମାନନା ନୋଟିସ ଜାରି କରିବା ପାଇଁ ସୁପ୍ରିମ କୋର୍ଟଙ୍କ ଦୃଷ୍ଟିକୁ ଆଣିବେ।