ପେଟ୍ରୋଲ୍ ଓ ଡିଜେଲ୍ ମହଙ୍ଗା ହେବାଦ୍ଵାରା ସାଧାରଣ ଲୋକେ ବିଶେଷ ପ୍ରଭାବିତ ହେବାରେ ଲାଗିଛନ୍ତି । ଦୈନିକ ଦର ନିୟନ୍ତ୍ରଣ ବ୍ୟବସ୍ଥା ଅନୁସାରେ ତୈଳ କମ୍ପାନୀମାନେ ତୈଳ ଦରକୁ କମ୍ ବା ବେଶୀ ନିର୍ଦ୍ଧାରଣ କରିଥାଆନ୍ତି । ଅକ୍ଟୋବର ୨୦୧୮ ମସିହାରେ ଯେତେବେଳେ ଅଶୋଧିତ ତୈଳ ଦର ୮୧.୦୩ ଆମେରିକୀୟ ଡଲାର ଥିଲା, ସେତେବେଳେ ପେଟ୍ରୋଲ୍ ଦର ଭାରତୀୟ ବଜାରରେ ୮୦ ଟଙ୍କା ଥିଲା । ଡିଜେଲ୍ ଦର ୭୫ଟଙ୍କା ଛୁଇଁଥିଲା । ଯଦିବା ସେତେବେଳେ ଅଶୋଧିତ ତୈଳ ଦରରେ ୪୦ ଆମେରିକୀୟ ଡଲାର କମିଥିଲା ତଥାପି ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସର୍ବକାଳୀନ ବର୍ଦ୍ଧିତ ରେକର୍ଡ ସୃଷ୍ଟି କରିଥିଲା । ଏହି ଲକ୍ଡାଉନ୍ ସମୟରେ ତୈଳ କମ୍ପାନୀମାନେ କ୍ଷତି ସହୁଛନ୍ତି, ଏହା ସ୍ଵାଭାବିକ କଥା । ଅପରପକ୍ଷେ ମହାମାରୀ ହେତୁ ଅଶୋଧିତ ତୈଳ ଦର ମଧ୍ୟ ଯଥେଷ୍ଟ କମିଛି ।
ସେହିପରି ମାର୍ଚ୍ଚ ୨୦୨୦ ରେ ଋଷ ଏବଂ ସାଉଦୀଆରବ ଭିତରେ ତୈଳ ଦରକୁ ନେଇ ଲାଗିଥିବା ତୈଳ ଯୁଦ୍ଧ ହେତୁ ବି ଅଶୋଧିତ ତୈଳ ବଜାର କ୍ଷତି ସହିଛି । ଏହି ପ୍ରଭାବ ହେତୁ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ୧୫.୯୮ ଆମେରିକୀୟ ଡଲାରରେ ପହଞ୍ଚିଛି । ଏହା ଏହି ଦଶନ୍ଧିର ସବୁଠାରୁ ନିମ୍ନ ଦର । ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀମାନେ ଆନ୍ତର୍ଜାତୀୟ ସ୍ତରରେ ଏହି ଅଶୋଧିତ ତୈଳ ଦର ହ୍ରାସକୁ ଗୁରୁତ୍ଵ ନଦେଇ ଆଭ୍ୟନ୍ତରୀଣ ବଜାରରେ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ବଢ଼ାଇ ଚାଲିଛନ୍ତି । ନିକଟ ଅତୀତରେ ଜୁନ୍ ୭ ତାରିଖ ଏହି ଦର ବୃଦ୍ଧି କରାଯାଇଥିଲା । ଏହା ବାଦ୍ କେନ୍ଦ୍ରସରକରେ ତୈଳ ଦର ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିଥିଲେ ।
କର୍ଣ୍ଣାଟକ, ତାମିଲନାଡ଼ୁ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟ ଭାଟ୍ ଲାଗୁ କରିଛନ୍ତି । ଏହାଦ୍ଵାରା ଦର ଆକାଶଛୁଆଁ ହୋଇଛି । ଯେହେତୁ ବ୍ୟବସାୟ ଏବଂ ଜୀବନଯାପନ କୋରୋନା ଦ୍ଵାରା ଯଥେଷ୍ଟ ପ୍ରଭାବିତ ହୋଇଛି, ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବୃଦ୍ଧିହିଁ ଏକମାତ୍ର ଭରସା ହୋଇ ରହିଛି । ଚଳିତ ବର୍ଷ ଆରମ୍ଭରୁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଚ୍ଛା ୭୦ ଆମେରିକୀୟ ଡଲାର ଥିଲା । କିନ୍ତୁ ତିନି ମାସ ଭିତରେ ଏହି ଦରରେ ପ୍ରାୟ ଅଧା ହ୍ରାସ ପାଇଥିଲା । କିନ୍ତୁ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଏହି ହ୍ରାସ ଭାରତୀୟଙ୍କୁ କୌଣସି ଲାଭ ଦେଇ ନଥିଲା । ଏହାର କାରଣ ହେଉଛି ଆମ ଦେଶରେ ଟିକସ ବ୍ୟବସ୍ଥା । ବାସ୍ତବରେ ଭାରତୀୟମାନେ ତୈଳ କ୍ଷେତ୍ରରେ ସର୍ବାଧିକ ଟିକସ ଦେଉଛନ୍ତି ।
ରଙ୍ଗରାଜନ କମିଟିଙ୍କ ଆକଳନ ଅନୁସାରେ ପେଟ୍ରୋଲ୍ ଉପରେ ସରକାର ୫୬ ପ୍ରତିଶତ ଟିକସ ଲଗାଉଥିବା ବେଳେ ଡିଜେଲ୍ ଉପରେ ୩୬ ପ୍ରତିଶତ ଟିକସ ଲାଗୁ ହେଉଛି । ଏହାଦ୍ଵାରା ଯେଉଁ ରାଜସ୍ଵ ଅର୍ଜନ ହୁଏ ସେଥିରୁ କେନ୍ଦ୍ର ସରକାରଙ୍କ ତହବିଲକୁ ପ୍ରାୟ ୫୨ ପ୍ରତିଶତ ରାଜସ୍ଵ ଆସୁଥିବା ବେଳେ ରାଜ୍ୟ ତହବିଲ ୪୮ ପ୍ରତିଶତ ରାଜସ୍ଵ ଆସିଥାଏ । ଏ ଭିତରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୭୫ ଟଙ୍କାରେ ପହଞ୍ଚିଛି, ଯେତେବେଳେ ଆନ୍ତର୍ଜାତୀୟ ଦର ଯଥେଷ୍ଟ ହ୍ରାସ ପାଇଛି । ପେଟ୍ରୋଲିୟମ୍ ଯୋଜନା ଏବଂ ଅନୁଶୀଳନ ସେଲ୍ଙ୍କ ରିପୋର୍ଟ ଅନୁସାରେ ରାଜ୍ୟ ଓ କେନ୍ଦ୍ର ସରକାର ୨୦୧୪ ମସିହାରେ ପେଟ୍ରୋଲିୟମ୍ କ୍ଷେତ୍ରରୁ ୩.୩୨ ଲକ୍ଷ କାଟି ଟଙ୍କା ରାଜସ୍ଵ ଅର୍ଜନ କରିଥିଲେ । ଏହା ୨୦୧୯ରେ ଦ୍ଵିଗୁଣିତ ହୋଇ ୫.୯୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା ।
ନିକଟରେ ଯେଉଁ ବୃଦ୍ଧି ଘଟିଛି ଏହାଦ୍ଵାରା ସରକାରଙ୍କ ପେଟ୍ରୋଲିୟମ ଉତ୍ପାଦ ବିକ୍ରି ବାବଦ ରାଜସ୍ଵ ଆୟ ଅତିରିକ୍ତ ୧.୭ ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି । ଆନ୍ତର୍ଜାତୀୟ ଦର ହଆସର ଫାଇଦା ପାଇବାଠୁ ଲୋକଙ୍କୁ ଦୂରରେ ରଖି ଭାରତ ଏହି ପରିସ୍ଥିତିରୁ ଅଧିକ ରାଜସ୍ଵ ଆଦାୟ କରୁଛନ୍ତି । ଅଶୋଧିତ ତୈଳ ଦରରେ ଉତ୍ଥାନ ପତନର ପ୍ରଭାବରୁ ଲୋକ ତଥା ସେମାନଙ୍କ ଜୀବନ ଜୀବୀକାକୁ ସୁରକ୍ଷିତ କରିବା ବଦଳରେ ସରକାର ଏହି ବିପର୍ଯ୍ୟୟର ଫାଇଦା ଉପଭୋଗ କରୁଛନ୍ତି । ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍ଟି ପରିଧି ଭିତରେ ଆଣିବା ହିଁ ଏହାର ଏକମାତ୍ର ସମାଧାନର ରାସ୍ତା ।