ଆସନ୍ତା ୫ ବର୍ଷ ଭିତରେ ଦେଶର ପ୍ରତି କୋଣରେ ବ୍ରଡ୍ବ୍ୟାଣ୍ଡ ସଂଯୋଗ ସୁଯୋଗ ସୃଷ୍ଟି ସହ ଦେଶର ସମୁଦାୟ ଉତ୍ପାଦନ (ଜିଡିପି)ରେ ଟେଲିକମ୍ କ୍ଷେତ୍ରର ଅବଦାନକୁ ୬ ପ୍ରତିଶତକୁ ବୃଦ୍ଧି କରିବା ଲାଗି ଜାତୀୟ ଡିଜିଟାଲ୍ କମ୍ୟୁନିକେସନ୍ ନୀତି-୨୦୧୮ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟକୁ ସାକାର କରିବାକୁ ଯାଇ ଯେଉଁ ବ୍ୟବସ୍ଥା ସୃଷ୍ଟି ହୋଇଛି ତାହା ନୂଆ ଆଶା ଓ ସମ୍ଭାବନାକୁ ଇଙ୍ଗିତ କରୁଛି। କାରଣ ଟେଲିକମ୍ କ୍ଷେତ୍ରରେ ଏହି ନୂଆ ଟେକ୍ନୋଲୋଜି ପ୍ରସାର ଦ୍ଵାରା ଆସନ୍ତା ୪ବର୍ଷ ଭିତରେ ୪୦ ଲକ୍ଷ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବା ସହ ନୂଆ ନିବେଶ ଲାଗି ବାଟ ଦେଖାଉଛି ଏହି ନୀତି। କିନ୍ତୁ ଗଲା ଏକ ବର୍ଷରୁ ଅଧିକ ସମୟ ହେଲା ଏ କ୍ଷେତ୍ରରେ ଯେମିତି ଟଣା ଓଟରା ଚାଲିଛି ତଥା ସେବା ପ୍ରଦାନ କମ୍ପାନୀମାନଙ୍କୁ ଅପସାରଣ ହେଉଛି ତାହା ମହାଭାରତରେ କର୍ଣ୍ଣଙ୍କ ରଥ କଥାକୁ ମନେ ପକାଇ ଦେଉଛି। ଯେମିତି ମାଟି କାଦୁଅରେ ଫଶି ରହି କର୍ଣ୍ଣଙ୍କ ରଥ ନା ତାଙ୍କୁ ଆଗକୁ ଯିବାକୁ ଦେଉଥିଲା ନା ପଛକୁ, ଠିକ୍ ସେମିତି ଟେଲିକମ୍ କ୍ଷେତ୍ରର ଅବସ୍ଥା ଦେଶରେ ସୃଷ୍ଟି ହୋଇଛି।
ଯଦିଓ ନୂଆ ସ୍ଵପ୍ନ ଦେଖାଉଥିବା ୫ଜି ଟେକ୍ନୋଲୋଜି ଦେଶରେ ଅନେକ ସମ୍ଭାବନାକୁ ଉଦ୍ରେକ କରିଛି କିନ୍ତୁ ଏହାକୁ ଆପଣାଇବା ଲାଗି ଘରୋଇ ଟେଲିକମ୍ କ୍ଷେତ୍ର ଆଗ୍ରହ ପ୍ରକାଶ କରୁନାହାଁନ୍ତି। ୧୯୯୯ ମସିହାରେ ଘରୋଇ ଟେଲିକମ୍ କମ୍ପାନୀମାନେ ( ଟେଲ୍କୋ) ଅଗ୍ରୀମ ହାରାହାରି ରାଜସ୍ଵ (ଏଜିଆର୍) ବାବଦରେ ୮ ପ୍ରତିଶତ ବାର୍ଷିକ ଦେୟକୁ ସେମାନଙ୍କ ବାର୍ଷିକ ଲାଇସେନ୍ସ ଫି ସହ ଦେବା ଲାଗି ସହମତି ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଏହାକୁ ନେଇ କୋର୍ଟଙ୍କ ଦ୍ଵାରସ୍ଥ ହେଲେ। ଏହି ଏଜିଆର୍ ଠିକଣା ଭାବେ ଆକଳନ କରାଯାଇ ନାହିଁ ଏବଂ ସରକାର ଭୁଲ୍ ଗଣନା କରିଛନ୍ତି ବୋଲି ଦର୍ଶାଇ ସେମାନେ କୋର୍ଟଙ୍କ ବିଚାର ଓ ରାୟ ମାଗିଥିଲେ। ଏହାଦ୍ଵାରା ଟେଲିକମ୍ କମ୍ପାନୀମାନଙ୍କ ଦ୍ଵାରା ପୈଠ ହେବାକୁ ଥିବା ଏଜିଆର୍ ଦେୟ ପରିମାଣ ୪୭ ଲକ୍ଷ କୋଟିରେ ପହଞ୍ଚାଇଥିଲା।
ସୁପ୍ରିମ୍କୋର୍ଟ ଏହି ମାମଲାରେ ବିଚାର କରି କହିଥିଲେ ଯେ, ଏଜିଆର୍ରେ କୌଣସି ସାଲିସ୍ କରାଯାଇପାରିବ ନାହିଁ। ଏଣୁ ଟେଲିକମ୍ କମ୍ପାନୀମାନେ ଆସନ୍ତା ବର୍ଷ ୨୩ ଜାନୁୟାରୀ ସୁଦ୍ଧା ସେମାନଙ୍କ ଦେୟ ପୈଠ କରିବାକୁ ବାଧ୍ୟ। କିନ୍ତୁ ଟେଲିକମ୍ କମ୍ପାନୀମାନେ ତାହା କରିଲେ ନାହିଁ। ବରଂ ବିଭିନ୍ନ ସମସ୍ୟା ଦର୍ଶାଇ କୋର୍ଟଙ୍କୁ ଆଉଥରେ ବିଚାର ପାଇଁ ଅନୁରୋଧ କରିଥିଲେ। ସୁପ୍ରିମ୍କୋର୍ଟ ଏହି ମାମଲାଗୁଡ଼ିକର ଶୁଣାଣି କରି ଟେଲିକୋଙ୍କୁ ଭର୍ତ୍ସନା କରିବା ସହ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ଏଜିଆର୍ ଦେୟ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଏଥିରେ ସେମାନେ ବିଫଳ ହୁଅନ୍ତି ତେବେ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ମାନଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି କହିଥିଲେ। କୋର୍ଟଙ୍କ ଏହି ପ୍ରକାର ନିର୍ଦ୍ଦେଶ ଏବେ ଟେଲ୍କୋମାନଙ୍କୁ ଦ୍ଵନ୍ଦ୍ଵରେ ପକାଇଛି। କାରଣ ଏବେ ସେମାନଙ୍କୁ ଏହି ପରିସ୍ଥିତିର ସିଧାସଳଖ ସମ୍ମୁଖୀନ ହେବାକୁ ପଡ଼ିବ।
ଟେଲିକମ୍ ବିଭାଗର ରିପୋର୍ଟ ଅନୁସାରେ ଏଜିଆର୍ ବାବଦରେ ଭାରତୀ ଏୟାର୍ଟେଲ୍କୁ କମ୍ପାନୀକୁ ୩୫ହଜାର କୋଟି ଟଙ୍କା ପୈଠ କରିବାକୁ ପଡିବ। ଠିକ୍ ସେହିପରି ଭୋଡ଼ାଫୋନ୍ ଏବଂ ଆଇଡିଆକୁ ୫୩ ହଜାର କୋଟି ଟଙ୍କା ଦେବାକୁ ହେବ। ଟାଟା ଟେଲିକମ୍କୁ ୧୪ ହଜାର କୋଟି ଟଙ୍କା ଏଜିଆର୍ ଦେୟ ଦେବାକୁ ରହିଛି। କମ୍ପାନୀଗୁଡ଼ିକର କହିବା କଥା ହେଉଛି ସେମାନଙ୍କ ଆକଳନ ଅନୁସାରେ ଏହି ଦେୟ ପରିମାଣ ଯଥେଷ୍ଟ ଅଧିକ। ସେମାନେ ଯେଉଁ ଆକଳନ କରିଛନ୍ତି ସେହି ଅନୁସାରେ ଭାରତୀ ଏୟାରଟେଲ୍କୁ ମାତ୍ର ୧୫ରୁ ୧୮ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ସେହିପରି ଭୋଡ଼ାଫୋନ୍ ଏବଂ ଆଇଡିଆଙ୍କୁ ୧୮ରୁ ୨୩ ହଜାର କୋଟି ଦେବାକୁ ହେବ। ଟେଲିକମ୍ ବିଭାଗ ସମ୍ପୃକ୍ତ କମ୍ପାନୀମାନଙ୍କର ଏହି ନିଜସ୍ଵ ଆକଳନକୁ ପରୀକ୍ଷା କରିବାକୁ ଯଦିଓ କହିଛନ୍ତି କିନ୍ତୁ ଏହି ଆକଳନରେ କୌଣସି ଟେଲିକମ୍ ଅବ୍ୟବସ୍ଥା ତଥା ବିପର୍ଯ୍ୟୟ ପରିଚାଳନା ଲାଗି ବ୍ୟବସ୍ଥା ନଥିବା ଦର୍ଶାଇଛନ୍ତି। ଏଣୁ ଯେତେବେଳ ଯାଏ ପରସ୍ପରକୁ ଫାଇଦା ଦେଉଥିବା ଏକ ନୀତି ପ୍ରଣୟନ ନ ହୋଇଛି ସେ ପର୍ଯ୍ୟନ୍ତ ଦେଶରେ ଟେଲିକମ୍ କ୍ଷେତ୍ରର ବିକାଶ କଥା ତ ଛାଡ଼ନ୍ତୁ ଅସ୍ତିତ୍ଵ ବି ଆଶଙ୍କା ଭିତରେ ପଡ଼ିବ।
ଭାରତରେ ମୋବାଇଲ୍ ବ୍ୟବହାରକାରୀଙ୍କ ଡାଟା ବ୍ୟବହାର ହାର ଏବଂ ଟେକ୍ନୋଲୋଜିକୁ ତୁଳନା କରି ପ୍ରସ୍ତୁତ ରିପୋର୍ଟ ଅନୁସାରେ ଦେଶର ମୋବାଇଲ୍ ବ୍ୟବହାରକାରୀମାନେ ମାସକୁ ମୁଣ୍ଡପିଛା ୧୧ ଗିଗା ବାଇଟ୍ ମୋବାଇଲ୍ ଡାଟା ବ୍ୟବହାର କରୁଛନ୍ତି। ୨୦୧୮ ସୁଦ୍ଧା ଏହି ବ୍ୟବହାର ହାର ଦେଶରେ ୪୬୦ ଗିଗାବାଇଟ୍ ହେବ ବୋଲି ଆଶା କରାଯାଇଛି। ପୁଣି ୨୦୨୪ ବେଳକୁ ତାହା ୧୬୦୦ ଗିଗାବାଇଟ୍ରେ ପହଞ୍ଚିବ। ଏହି ବିକାଶ ପଥରେ ସବୁଠାରୁ ଅଧିକ ସାହାଯ୍ୟକାରୀ ହେଉଛି ମୋବାଇଲ୍ ଫୋନ୍ । ଯାହାଦ୍ଵାରା ପ୍ରତି ହାତରେ ଇଣ୍ଟରନେଟ୍ ପହଞ୍ଚିପାରିଛି। ଦିନକୁ ଦିନ ଯେଉଁ ପ୍ରକାରରେ ସ୍ମାର୍ଟଫୋନ୍ ଚାହିଦା ବଢ଼ୁଛି ତାହାକୁ ଦେଖିଲେ ଜଣାପଡ଼େ ଯେ, ୨୦୨୪ ବେଳକୁ ଦେଶରେ ସ୍ମାର୍ଟଫୋନ୍ ସଂଖ୍ୟା ୧୧ କୋଟିରେ ପହଞ୍ଚିବ। ୨୦୧୮ ମସିହାରେ ଦେଶରେ ବ୍ରଡ୍ବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୬୧ କୋଟି ଥିଲା, ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଆସନ୍ତା ୪ ବର୍ଷ ଭିତରେ ଏହି ସଂଖ୍ୟା ୧୨୫ କୋଟିରେ ପହଞ୍ଚିବ!