କେତେ ସୁନ୍ଦର ସେ ସ୍ଵପ୍ନ? ଯଦି ଗୋଟିଏ ଭୟହୀନ ସମାଜ ସୃଷ୍ଟି ହୁଅନ୍ତା ଆଉ ସେଠାରେ ଲୁଟ୍ତରାଜ, ନିର୍ଯାତନା, ଦୁଷ୍କର୍ମ, ଆତଙ୍କ ଏବଂ ହତ୍ୟା ଭଳି ଅପରାଧ ସବୁ ନଥାନ୍ତା! ଅନୈତିକ ରାଜନୀତିରୁ ଜନ୍ମ ନେଇଥିବା ଲୋକପ୍ରତିନିଧି, ଯେଉଁମାନେ ଦୁଷ୍କର୍ମ ଏବଂ ହତ୍ୟା ଭଳି ଅପରାଧ ତଥା ଭିନ୍ନ ଭିନ୍ନ ଜଘନ୍ୟ କାଣ୍ଡରେ ନିଜକୁ ସମ୍ପୃକ୍ତ କରିଥାଆନ୍ତି ସେମାନେ ଭାରତକୁ ଏମିତି ନୀଚ୍ଚ ସ୍ତରକୁ ନେଇଯାଇଛନ୍ତି, ଯାହାଦ୍ଵାରା କି ଦେଶର ପ୍ରତିଟି ପୃଷ୍ଠା ଦୁଷ୍କର୍ମ ପରି ଘଟଣାକୁ ବୟାନ କରିବ ।
ଭାରତୀୟ ପରମ୍ପରା ଏବଂ ସଂସ୍କୃତି କିନ୍ତୁ ସର୍ବଦା ଅନ୍ୟାୟ ଉପରେ ନ୍ୟାୟ ତଥା ଅଧର୍ମ ଉପରେ ଧର୍ମର ବିଜୟ କଥା କହିଆସିଛି । ଏହାକୁ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଉତ୍ସବ ରୂପେ ପାଳନ କରୁଛି । କିନ୍ତୁ ଏଠାରେ ପରିସ୍ଥିତି ଓଲଟା । ଯେଉଁମାନେ ସମାଜରେ ଦୁଷ୍କର୍ମ, ଲିଙ୍ଗଭେଦ ତଥା ବିଭିନ୍ନ ନିର୍ଯାତନାର ଶିକାର ହେଉଛନ୍ତି ତାଙ୍କ ପାଇଁ ନ୍ୟାୟ ବିଳମ୍ବିତ ହେଉଛି । ଏପରିକି ନ୍ୟାୟ ପାଇବା ଏକ ପ୍ରକାର ମରିଚିକା ସଦୃଶ ହୋଇଯାଉଛି । ଏହାର ମୂଳ କାରଣ ହେଉଛି ସମାଜରେ ଅବକ୍ଷୟ । ସେଥିପାଇଁ ବର୍ତ୍ତମାନର ସାମାଜିକ ସ୍ଥିତିରେ ନ୍ୟାୟ ବ୍ୟବସ୍ଥା ଆବଶ୍ୟକ ନ୍ୟାୟ ପ୍ରଦାନରେ ସମର୍ଥ ହୋଇପାରୁନାହିଁ ।
ଯେଉଁ ପର୍ଯ୍ୟନ୍ତ ଜଣେ ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହତ୍ୟା କରିବାର ଉଦ୍ୟମ କରୁନାହିଁ ବା ବିକଳ ହୋଇ ନ୍ୟାୟ ମାଗୁନାହିଁ ସେ ପର୍ଯ୍ୟନ୍ତ ଆମ ନ୍ୟାୟ ପ୍ରଦାନ ବ୍ୟବସ୍ଥା ତାକୁ ଆଡ଼ ଆଖିରେ ବି ଦେଖୁନାହିଁ । ଏହିପରି ସଙ୍ଗୀନ ମାମଲାରେ ରାଜ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ରାଜ୍ୟ ପ୍ରଶାସନର ଚିରାଚରିତ ଅବହେଳା ନୀତିକୁ ପ୍ରତିଷ୍ଠା କରୁଛି। ଏହା ରାଜ୍ୟ ଶାସନରେ ଦାୟିତ୍ଵବୋଧହୀନତାର ଏକ ଜ୍ବଳନ୍ତ ଉଦାହରଣ ।
ଉନ୍ନାଓ ଘଟଣା ହେଉଛି ଏମିତି ଗୋଟିଏ ଅସଭ୍ୟ ଏବଂ ଅମାନବୀୟ ଘଟଣା ଯେଉଁଥିରେ ଏକ ସରକାରୀ ଅଧିକାରୀ ଦଳ ଜଣେ ଝିଅ ଉପରେ ମଣିଷ ଖିଆ ରାକ୍ଷସ ଭଳି ଅତ୍ୟାଚାର କଲେ ଏବଂ ଶେଷର ତା’ର ତଣ୍ଟି କାଟି ହତ୍ୟା କରିଦେବା ପାଇଁ ପ୍ରୟାସ କଲେ । ଏହି ତଥାକଥିତ ସରକାରୀ ବାବୁମାନଙ୍କୁ ବି ରାଜ୍ୟ ସରକାର ସେତେବେଳେ ଯାଏ ସହ୍ୟ କରିଲେ ଯେ ପର୍ଯ୍ୟନ୍ତ ଏ ମାମଲାରେ ସୁପ୍ରିମ୍କୋର୍ଟ ହସ୍ତକ୍ଷେପ କରିନଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶ ଦ୍ଵାରା ସେହି ଅଧିକାରୀମାନଙ୍କୁ ଦେଢ଼ମାସ ପରେ ବଦଳି କରିଲେ । ପରିଶେଷରେ ଅପରାଧର ମୁଖ୍ୟ ଦୋଷୀକୁ କୋର୍ଟ ଆଜୀବନ ଦଣ୍ଡାଦେଶ କରିଥିଲେ ।
ଜାତି ଓ ରାଜନୀତିକ କାରକ ଲିପ୍ତ ହେବା ଦ୍ଵାରା ଅପରାଧର ରଙ୍ଗ କିପରି ବଦଳେ, ଏପରିକି ପୀଡ଼ିତା ନ୍ୟାୟ ପାଇବା ପାଇଁ କିପରି ମରଣାନ୍ତକ ଆକ୍ରମଣ ଓ ଘୃଣ୍ୟ ନିର୍ଯାତନାର ଶିକାର ହୁଏ; ହତ୍ୟା ଧମକ ପାଏ, ସେମିତି ଏକ ଅପରାଧର ଏହା ଏକ ନିଚ୍ଛକ ଉଦାହରଣ ।
ନିମ୍ନ ଲିଖିତ ପାଠ୍ୟକୁ ପଢ଼ନ୍ତୁ...
ଯୋଗୀ ଆଦିତ୍ୟନାଥଙ୍କ ସରକାର ନିକଟରେ ଏକ ଅପରାଧ ମୁକ୍ତ ସମାଜ ନିର୍ମାଣ କରିବା ଲାଗି ସଂକଳ୍ପ ପାରିତ କରିଛନ୍ତି । ଏହା ଅପରାଧୀଙ୍କୁ ବିନାଶ କରି ଭିନ୍ନ ଏକ ସମାଜ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଙ୍କଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଇ ୧୦୦ରୁ ଅଧିକ ଅପରାଧୀ ଏବଂ ଅସାମାଜିକ ବ୍ୟକ୍ତିଙ୍କୁ ମୃତ୍ୟୁ ଭୋଗିବାକୁ ପଡ଼ିଛି ।
ଯୋଗୀଙ୍କ ସରକାର ଗଠନ ହେବାର ୩ ମାସ ପରେ, ଉନ୍ନାଓ ଜିଲ୍ଲା ମଙ୍ଖି ଗାଁର ବାସିନ୍ଦା ତଥା ଜଣେ ୧୭ ବର୍ଷୀୟ ଝିଅ କୁଆଡ଼େ ହଜି ଯାଇଥିବା ନେଇ ଖବର ମିଳିଲା । ଅଭିଯୋଗ ଥିଲା ଯେ, ସେତେବେଳର ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର, ତାଙ୍କ ଭାଇ ଅଥୁପ ସିଂହ ଏବଂ ତାଙ୍କର କିଛି ସହଯୋଗୀ ସେହି ଝିଅକୁ ଦୁଷ୍କର୍ମ କରିଛନ୍ତି । ପରବର୍ତ୍ତୀ ସମୟରେ ଝିଅର ମା’ ବାପା ଥାନାରେ ଏହି ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ପରେ ପୋଲିସ ଝିଅଟିକୁ ଲୁହା ଶିକୁଳି ବନ୍ଧା ଅବସ୍ଥାରୁ ମୁକୁଳାଇଥିଲେ ।
କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ ମକଦ୍ଦମା ଦାୟର କରିବା ପାଇଁ ସାହସ କରିପାରିଲା ନାହିଁ । ସମ୍ପୃକ୍ତ ବିଧାୟକଙ୍କ ନାଁରେ ଅପହରଣ, ଦୁଷ୍କର୍ମ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ ବଦଳରେ ପୀଡ଼ିତା ଝିଅକୁ ଅଭିଯୁକ୍ତଙ୍କ ସହ ବିବାହ କରିବାକୁ ଚାପ ପ୍ରୟୋଗ କରିଥିଲା ।
ଖାଲି ସେତିକିରେ ମାମଲା ସରିଲା ନାହିଁ, ଅଭିଯୁକ୍ତ ବିଧାୟକ ପୀଡ଼ିତାର ବାପାଙ୍କ ନାଁରେ ଅନେକ ମୋକଦ୍ଦମା କରିବାକୁ ଉଦ୍ୟମ କଲେ । ତାଙ୍କ ନାଁରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗ ମଧ୍ୟ ହେଲା । ଫଳରେ ତାଙ୍କୁ ଗିରଫ କରାଯାଇ ପୋଲିସ ଷ୍ଟେସନ୍ ଅଣାଗଲା । ବାସ୍ତବରେ ଯେଉଁମାନେ ଏହି ଝିଅଟିକୁ ମାରିଦେବେ ବୋଲି ଧମକ ଦେଇଥିଲେ ସେମାନେ ଝିଅଟିକୁ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ ରତ ଅବସ୍ଥାରେ ତଣ୍ଟି କାଟି ହତ୍ୟା କରିବାକୁ ଚାହିଁଥିଲେ ।
ଠିକ୍ ତା’ର ପରଦିନ, ପୋଲିସ ହେପାଜତରୁ ପୀଡ଼ିତାର ବାପାଙ୍କ ମୃତଦେହ ମିଳିଥିଲା । ଆଲ୍ଲାହାବାଦ କୋର୍ଟଙ୍କ ନିର୍ଦ୍ଦେଶ ତଥା ହସ୍ତକ୍ଷେପ ପରେ ସିବିଆଇ ଏ ମାମଲାକୁ ତଦନ୍ତ କରିବା ଭାର ଗ୍ରହଣ କଲା । ତତନ୍ତ ସମୟରେ ସମ୍ପୃକ୍ତ ବିଧାୟକ ଏବଂ ତାଙ୍କ ଭାଇଙ୍କୁ ସିବିଆଇ ଗିରଫ କରିଥିଲା । ଏହାସହ ତାଙ୍କର ଅଭିଯୁକ୍ତ ସହଯୋଗୀ ମଧ୍ୟ ଗିରଫ ହେଲେ । ତଥାପି, ଏହା ଚିନ୍ତାର ବିଷୟ ଯେ, ସିବିଆଇ କୌଣସି ତତ୍କାଳୀକ ପଦକ୍ଷେପ ଗ୍ରହଣ କଲେ ନାହିଁ । ଫଳରେ ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା ।
ଏହି ସମୟ ଭିତରେ ପୀଡ଼ିତାର ଅନ୍ୟ ପରିଜନଙ୍କ ଉପରେ ଚାପ ପ୍ରୟୋଗ କରି ମାମଲାକୁ ରଫାଦଫା କରିବାକୁ ଚାହିଁଥିଲେ ଅଭିଯୁକ୍ତ । ଏପରିକି ପୀଡ଼ିତାର ମାମୁଁଙ୍କୁ ଏକ ହତ୍ୟା ଅଭିଯୋଗ ପାଇଁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ କରିପାରିଥିଲେ । ବିଧାୟକ ଜଣକ ପୀଡ଼ିତାର ସମୁଦାୟ ପରିବାରକୁ ନିଶ୍ଚିହ୍ନ କରିବାକୁ ଯାଇ ଏକ ଲରି ଦ୍ଵାରା ଦୁର୍ଘଟଣା ମଧ୍ୟ ଭିଆଇଥିଲେ । ଏହି ଦୁର୍ଘଟଣାରେ ପୀଡ଼ିତା ଏବଂ ତା’ର ଓକିଲ ଯଦିଓ ବର୍ତ୍ତି ଯାଇଥିଲେ କିନ୍ତୁ ଦୁଇଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା ।
ଯେତେବେଳେ ସାରା ଦେଶ ଏ ମାମଲାରେ ଉଦ୍ବେଗ ପ୍ରକାଶ କରିଲା ଏବଂ ଜନ ସାଧାରଣ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଲେ, ବିଜେପି ଉଚ୍ଚ ପଦାଧିକାରୀମାନେ ଅନେକ ବିଳମ୍ବରେ ବିଧାୟକ ସେଙ୍ଗରଙ୍କୁ ପାର୍ଟିରୁ ନିଲମ୍ବନ କରିଥିଲେ । ଶେଷରେ କୋର୍ଟ ସମ୍ପୃକ୍ତ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।
ଯେତେବେଳେ ତା’ର ଜୀବନ ପ୍ରତି ବିପଦ ରହିଛି ବୋଲି ପୀଡ଼ିତା ଜଣକ ସୁପ୍ରିମକୋର୍ଟଙ୍କ ପାଖରେ ଜୁଲାଇ ୧୭ ତାରିଖରେ ଗୁହାରି କଲେ ସେତେବେଳେ ଏହି ମାମଲା ଆଲୋକ ପାଇବା ବେଳକୁ ମାସ ଶେଷ ହୋଇଗଲା । ମାମଲା ଦିଲ୍ଲୀ ହାଇକୋର୍ଟଙ୍କୁ ସ୍ଥାନାନ୍ତର ହୋଇଥିବାରୁ ଏହିପରି ହୋଇଥିଲା । ନିୟମିତ ଶୁଣାଣି ପରେ କୋର୍ଟଙ୍କ ହୃଦ୍ବୋଧ ହୋଇଥିଲା ଯେ, ବିଧାୟକ ହେଉଛନ୍ତି ମୁଖ୍ୟ ଦୋଷୀ ଏବଂ ଏହାକୁ ଏକ ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରି ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଲେ ।
କିନ୍ତୁ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ଯେଉଁମାନେ ଏହିଭଳି ପ୍ରଭାବଶାଳୀ ନେତାଙ୍କ କବଳରେ ରହି ନ୍ୟାୟ ପାଇବାଠୁ ପୀଡ଼ିତାଙ୍କୁ ବଞ୍ଚିତ କରୁଛନ୍ତି ସେମାନଙ୍କର କ’ଣ ହେଲା? ଉନ୍ନାଓ ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟଙ୍କୁ ଯେତେବେଳେ ସଲିସିଟର ଜେନେରାଲ୍ ଆଇନ ଅନୁସାରେ କ୍ଷତିପୂରଣ ଦେବାକୁ ହେବ ବୋଲି ଯୁକ୍ତି ବାଢ଼ିଥିଲେ କୋର୍ଟ ଏହି ଯୁକ୍ତିକୁ ଶକ୍ତ ଭାବେ ଏଡ଼ାଇ ଯାଇଥିଲେ । କୋର୍ଟ ପ୍ରକାରାନ୍ତେ ଏ ଦେଶରେ କ’ଣ ସବୁକିଛି ଆଇନ ଅନୁସାରେ କରାଯାଉଛି ବୋଲି ପଚାରିଥିଲେ । ଏହିଭଳି ଅପରାଧ ଓ ଘଟଣାକ୍ରମରେ କୋର୍ଟ କିଛି ଦୃଷ୍ଟାନ୍ତମୂଳକ ଅଭିମତ ପ୍ରକାଶ କରିଛନ୍ତି । ଏପରିକି ଦେଶରେ ବାସ୍ତବରେ କ’ଣ ଚାଲିଛି ବୋଲି ମଧ୍ୟ ଜାଣିବାକୁ ଚାହିଁଛନ୍ତି ।
ଗତ ସେପ୍ଟେମ୍ବରରେ କେବଳ ଉତ୍ତରପ୍ରଦେଶରେ ୫ଟି ଦୁଷ୍କର୍ମ ଓ ହତ୍ୟା ମାମଲା ଦାୟର ହୋଇଛି । ଗୋଟିଏ ମାମଲାରେ ପୀଡ଼ିତାଙ୍କୁ ଅଭିଯୁକ୍ତମାନେ କୋର୍ଟ ଆଗରେ ପେଟ୍ରୋଲ୍ ଢାଳି ଜାଳିଦେବା ପାଇଁ ବି ଉଦ୍ୟମ କରିଛନ୍ତି ।
ନିଜ ଦେହରେ ନିଆଁ ଜଳୁଥିବା ଅବସ୍ଥାରେ ସମ୍ପୃକ୍ତ ପୀଡ଼ିତାଙ୍କୁ ରାଜରାସ୍ତାରେ ଏକ କିଲୋମିଟର ଧରି ଦଉଡ଼ୁଥିବା ଦେଖାଯାଇଥିଲା । ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ପୂର୍ବରୁ ସେ ଏତିକି ଅନୁରୋଧ କରି ଯାଇଛନ୍ତି ଯେ, ଦୋଷୀଙ୍କୁ ମାମଲାରେ ଉଚିତ ଦଣ୍ଡ ମିଳୁ ।
ସେହିପରି ପଞ୍ଜାବରେ, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଏତଲାକୁ ପୋଲିସ୍ ଗ୍ରହଣ ନକରିବାରୁ ଅପମାନର ନିଆଁ ସହିନପାରି ଜଣେ ଦୁଷ୍କର୍ମ ପୀଡ଼ିତା ତାଙ୍କ ଜୀବନକୁ ଶେଷ କରି ଦେଇଛନ୍ତି । ରାଜନୀତିକ ଶକ୍ତି ଯେତେବେଳେ ନିଜର ଓଜନ ହରାଇ ଅପରାଧକୁ ଖୋଲାଖୋଲି ସମର୍ଥନ ପ୍ରଦାନ କରିଛି, ତାହା ଆଇନ ଆଖିରେ ଧୂଳି ଦେବା ସଦୃଶ ହୋଇଛି । ଏହାଦ୍ଵାରା ଆମ ସମ୍ବିଧାନର ମୂଳମନ୍ତ୍ର ବ୍ୟାଘାତ ହୋଇଛି । ଗଣତାନ୍ତ୍ରିକ ଚିନ୍ତନର ମୂଳଦୂଆ ଦୋହଲି ଯାଇଛି ।
ଏହିଭଳି ଏକ ଅବସ୍ଥାକୁ ଲକ୍ଷ୍ୟ କରି ତତ୍କାଳୀନ ଉପରାଷ୍ଟ୍ରପତି କ୍ରିଷ୍ଣକାନ୍ତ ଉଦ୍ବେଗ ପ୍ରକାଶ କରି ଥରେ କହିଥିଲେ, "ଆମେ ଏମିତି ଏକ ସମାଜ ଗଠନ ପଥରେ ଲାଗିଛୁ ଯେଉଁଠାରେ କେହି ବି ଜଣେ ଦାୟିତ୍ଵକୁ ମୁଣ୍ଡକୁ ନେଇ ଏହିଭଳି ଲଜ୍ଜାର ଭାଗିଦାର ହେବାକୁ ଚାହାଁନ୍ତି ନାହିଁ" ।
ଯେଉଁଠି ରାଜନୀତିକ ଦଳଗୁଡ଼ିକ ଏହିଭଳି ଅପରାଧିକ ତତ୍ତ୍ଵଗୁଡ଼ିକର ପୁଷ୍ଠପୋଷକ ସାଜନ୍ତି ଏବଂ ସେମାନଙ୍କୁ ଲୋକଙ୍କ ଭୋଟ୍ କିଣି ବା ଅକ୍ତିଆର କରି ବ୍ୟବସ୍ଥାପିକାର ସଦସ୍ୟ ଭାବେ ନିର୍ବାଚନ ହେବାର ମଉକା ଦିଅନ୍ତି ସେଠାରେ ଦିନକୁ ଦିନ ଭୟ, ଆତଙ୍କ ବଢ଼ିଚାଲେ । ଏହାଦ୍ଵାରା ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଔଜ୍ଜଲ୍ୟ ହରାଉଛି ।
କୌଣସି ରାଜନୀତିକ ଦଳ ସେଙ୍ଗରଙ୍କୁ ତାଙ୍କ ଜିଲ୍ଲାରେ ଚ୍ୟାଲେଞ୍ଜ ଦେବାକୁ ସାହସ କରିପାରି ନାହାନ୍ତି । ସେ ଲଗାତାର ୪ ଥର ବିଧାୟକ ହୋଇଛନ୍ତି । ପ୍ରଥମେ କଂଗ୍ରେସ ଟିକେଟ୍ରୁ ପରେ ବିଏସ୍ପି ଆଉ ସମାଜବାଦୀ ପାର୍ଟିରୁ ଦୁଇଥର ବିଧାୟକ ହେବା ପରେ ଏବେ ବିଜେପିରୁ ବିଧାୟକ ଥିଲେ । ଉନ୍ନାଓ ମକଦ୍ଦମାର ଶୁଣାଣି ବେଳେ ଏହି ନିର୍ଦ୍ଦିଷ୍ଟ ମନ୍ତବ୍ୟକୁ ଜଣେ ସ୍ଵତନ୍ତ୍ର କୋର୍ଟ ଜଜ୍ ବୟାନ କରିଥିଲେ । ସେ କହିଥିଲେ ଯେ, ସମ୍ବିଧାନ ଏବଂ ଆଇନ ହେଉଛି ଏ ଦେଶରେ ସବୁଠାରୁ ବଡ଼ । ଏହି ପ୍ରକାର ଚିନ୍ତାଧାରା ଆମ ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିବା ସହ ଏହି ସାମ୍ବିଧାନିକ ପ୍ରକ୍ରିୟାରେ ରାଜନୀତିକ ଅପରାଧୀଙ୍କ କୌଣସି ସ୍ଥାନ ନାହିଁ ବୋଲି ସୂଚନା ଦେଉଛି ।
କିନ୍ତୁ କାଳକ୍ରମେ ପରିସ୍ଥିତି ଏପରି ହୋଇଛି ଯେ, ଆମର ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାମାନେ ଏହିପରି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।
ଏହା ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ । ଆଇନର ଶାସନକୁ ଭଙ୍ଗ କରୁଥିବା ଏହି ରାଜନୀତିକ ଶକ୍ତିଗୁଡ଼ିକୁ ରାଜନୀତିକ ଶକ୍ତିମାନେ ନିଜେ କବର ଦେବାରେ ସକ୍ଷମ ହେବେ ନା ବ୍ରହ୍ମାଶୂର ନିଜ ହାତକୁ ନିଜ ମୁଣ୍ଡରେ ରଖି ନିଜର ଧ୍ବଂସ କଲାଭଳି ସେହି ରାଜନୀତିକ ଶକ୍ତିମାନଙ୍କ ଦ୍ଵାରା ସୃଷ୍ଟି ଅପରାଧୀମାନଙ୍କ ହାତକୁ ନିଜ ମୁଣ୍ଡରେ ରଖି ରାଜନୀତିକ ଶକ୍ତିମାନଙ୍କ ଅନ୍ତ ହେବ ।