ପାଟନା: ଗୟାରେ ଆରମ୍ଭ ହୋଇଛି ପିତୃପକ୍ଷ । ଏହି ପକ୍ଷରେ ଅନେକ ସେମାନଙ୍କ ପୂର୍ବଜଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାକୁ ଏଠାରେ ଆସି ଭିଡ଼ ଜମାଇଛନ୍ତି। ବିଶ୍ବାସ ରହିଛି ଏଠାରେ ପୂର୍ବଜଙ୍କୁ ପିଣ୍ଡଦାନ ଦେଲେ ସେମାନଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି ହୁଏ । ତେବେ ଏହି ସ୍ଥାନ ସହିତ ଅନେକ ପୌରାଣିକ କଥାବସ୍ତୁ ଜଡ଼ିତ ରହିଛି।
ଦେଶର ଏହି ମୋକ୍ଷ ଧାମ କୁହାଯାଉଥିବା ଗୟାରେ ରହିଛି ଏକ ଶ୍ମଶାନ । ଯାହାକୁ ବିଷ୍ଣୁ ଶ୍ମଶାନ ମଧ୍ୟ କୁହାଯାଇଥାଏ । ଦେଶର ଅନ୍ୟସ୍ଥାନରେ ଥିବା ମଶାଣି ଗୁଡ଼ିକରେ ଭଗବାନ ଶିବଙ୍କ ରୂପରେ ଶ୍ମଶାନ ବାବା ରହିଥାନ୍ତି । ମାତ୍ର ଏହି ମଶାଣୀରେ ବିଷ୍ଣୁଙ୍କ ଉପସ୍ଥିତି ରହିଥାଏ ବୋଲି ବିଶ୍ବାସ ରହିଆସିଛି । ମୋକ୍ଷ ପ୍ରଦାନ କରୁଥିବା ଫଲ୍ଗୁ ନଦୀ କୂଳରେ ହିଁ ରହିଛି ଏହି ମଶାଣି । କୁହାଯାଏ ଭଗବାନ ବିଷ୍ଣୁଙ୍କ ତଥାସ୍ତୁ କହିବା ପରେ ଏହି ମଶାଣିର କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ମଶାଣି ସହିତ ଏକ ପୌରାଣିକ କଥାବସ୍ତୁ ଜଡିତ ରହିଛି । କୁହାଯାଏ ଭଗବାନ ବ୍ରହ୍ମା ଏଠାରେ ଯଜ୍ଞ କରିବା ପାଇଁ ଗୟାସୁରର ଶରୀର ମାଗିଥିଲେ । ତେବେ ବ୍ରହ୍ମାଙ୍କ ଏହି ଇଚ୍ଛାକୁ ସଙ୍ଗେ ସଙ୍ଗେ ପୁରଣ କରିଥିଲେ ଗୟାସୁର । ସେ ସଙ୍ଗେ ସଙ୍ଗେ ଯଜ୍ଞ ପାଇଁ ନିଜ ଶରୀର ପ୍ରଦାନ କରିଥିଲେ । ସମସ୍ତ ଦେବଗଣ ତାଙ୍କ ଶରୀର ଉପରେ ଯଜ୍ଞ କରିଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୌରାଣିକ କଥାବସ୍ତୁ ରହିଆସିଛି।
ତେବେ ମୃତ୍ୟୁ ପୁର୍ବରୁ ଗୟାସୁରଙ୍କ ଶେଷ ଇଚ୍ଛା ଜାଣିବା ପାଇଁ ବିଷ୍ଣୁ ତାଙ୍କୁ ପ୍ରଶ୍ନ କରିଥିଲେ । ଗୟାସୁର କହିଥିଲେ କି, ସେ ଧର୍ମଶୀଳାରେ ମିଶିବାକୁ ଚାହୁଁଛି । ଏହି ପଥରରେ ଯେ କେହି ବି ପିଣ୍ଡଦାନ କରିବ, ତାଙ୍କର ପୂର୍ବପୁରୁଷଙ୍କ ମୋକ୍ଷପ୍ରାପ୍ତି ହେବ ବୋଲି ସେ କହିଥିଲେ । ତାଙ୍କର ଏହି କଥା ଶୁଣି ତଥାସ୍ତୁ କହିଥିଲେ ।
ଏହା ବ୍ୟତୀତ ବିଷ୍ଣୁଙ୍କ ନିକଟରେ ସେ ଆଉ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ କି ଏହି ସହରର ଅସ୍ତିତ୍ବ ପାଇଁ ପ୍ରତ୍ୟେକ ଦିନ ପିଣ୍ଡଦାନ ଓ ମୁଣ୍ଡଦାନ ଏଠାରେ ହେବ। ଏହା ନହେଲେ ସହରର ଅସ୍ତିତ୍ବ ଲୋପ ପାଇଯିବ ବୋଲି ଗୟାସୁର କହିଥିଲେ । ତେବେ ଗୟାସୁର ଏହି ସର୍ତ୍ତରେ ମଧ୍ୟ ବିଷ୍ଣୁ ସହମତି ପ୍ରକାଶ କରି ତଥାସ୍ତୁ କହି ସେଠାରୁ ଚାଲିଯାଇଥିଲେ । ଏହା ପରେ ଏଠାରେ ପ୍ରତ୍ୟେକ ଦିନ ପିଣ୍ଡଦାନ ହେବା ସହିତ ଏହି ମଶାଣିରେ ଶବଦାହ କରାଯାଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଆସିଛି।
ଏହି ବିଷ୍ଣୁ ମଶାଣି ନିକଟରେ ଭଗବାନ ଶିବଙ୍କର ଏକ ମନ୍ଦିର ମଧ୍ୟ ରହିଛି । ଏହି ମନ୍ଦିରରେ ମଶାଣି ବାବା, କାଳ ଭୈରବ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜା କରାଯାଇଥାଏ । ତେବେ ଏହି କାଳ ଭୈରବ ମନ୍ଦିରରେ ପ୍ରତ୍ୟେକ ଦିନ ଧୂପ, ତୁଳସୀ ଓ କ୍ଷୀର ଦେଇ ପୂଜା କରଯାଇଥାଏ । ଯାହା ଅନ୍ୟ କୌଣସି ମଶାଣି ମନ୍ଦିରରେ ପୂଜା କରା ଯାଇନଥାଏ । ଏହି ମଶାଣିରେ ବିଷ୍ଣୁଙ୍କ ଅସ୍ତିତ୍ବ ଥିବାର ବିଶ୍ବାସରେ ଏହାକୁ ବିଷ୍ଣୁ ମଶାଣି ମଧ୍ୟ କୁହାଯାଏ । ଏହି ମନ୍ଦିରରେ ଅନ୍ୟ ମନ୍ଦିର ଭଳି ନଡ଼ିଆ, କୁକୁଡ଼ା, ଛେଳି, ଅଣ୍ଡା ଆଦି ବଳି ଦିଆଯିବାର ନଜିର ରହିଛି।
ନିକଟରେ ବହି ଯାଇଛି ଫଲ୍ଗୁ ନଦୀ । ଫଲ୍ଗୁଙ୍କ ରୂପରେ ଏଠାରେ ବିଷ୍ଣୁଙ୍କ ଆବିର୍ଭାବ ହୋଇଥିଲେ । ଫଳରେ ଏହି ଫଲ୍ଗୁ ନଦୀ କୂଳରେ ଏବଂ ବିଷ୍ଣୁପଦ ନିକଟରେ ଏହି ମଶାଣିର ମହତ୍ତ୍ବ ଅନେକ ରଖିଥାଏ । ଫଳରେ ଏହି କାରଣରୁ ମୃତ୍ୟୁ ପରେ ତାଙ୍କର ଶବ ସଂସ୍କାର ଏଠାରେ କରାଯାଉ ବୋଲି ଅନେକ ଇଚ୍ଛା ପ୍ରକାଶ କରିଥାନ୍ତି ।