ନୂଆଦିଲ୍ଲୀ: ରାଜଧାନୀରେ ଥିବା ସମସ୍ତ ଜେଲରେ ଅନେକ ଅନ୍ତେବାସୀ ଏବଂ କର୍ମଚାରୀଙ୍କର COVID-19 ଟେଷ୍ଟ ପଜିଟିଭ୍ ଆସିବା ପରେ ଆକସନ ମୁଡରେ ଦିଲ୍ଲୀ ହାଇକୋର୍ଟ । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟରେ ଜଣେ ବିଚାରପତିଙ୍କ ନେତୃତ୍ବରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଚାରପତି କଏଦୀଙ୍କ ଲାଗି ଆଇସୋଲେସନ ୱାର୍ଡ ଗଠନ କରିବା ଏବଂ ଶୀଘ୍ର କୋରୋନା ପରୀକ୍ଷଣ କରିବା ଭଳି ଅନେକ ନିର୍ଦ୍ଦେଶ ଜାରି କରିଛନ୍ତି ।
ଜଣେ 62 ବର୍ଷୀୟା କଏଦୀ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା । କଏଦୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଜଷ୍ଟିସ୍ ହିମା କୋହଲିଙ୍କ ନେତୃତ୍ବରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି (ଏଚପିସି) ଗଠନ କରାଗଲା । ତେବେ ଏହି ଉଚ୍ଚସ୍ତରୀୟ କମିଟି ଦ୍ବାରା 55 ବର୍ଷରୁ ଅଧିକ ଅନ୍ତେବାସୀଙ୍କ ଉପରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କମିଟି ଆହୁରି ମଧ୍ୟ କହିଛି ଯେ 18 ରୁ 21 ବର୍ଷ ବୟସର ନୂତନ କଏଦୀମାନଙ୍କୁ ଅଲଗା ଅଲଗା ୱାର୍ଡରେ ରଖାଯିବ । ଦିଲ୍ଲୀ ସରକାରଙ୍କ ଡିଜି ଜେଲ ଏବଂ ସ୍ବତନ୍ତ୍ର ସଚିବ (ଗୃହ) କୁ ମାଣ୍ଡୋଲି ଜେଲ ନିକଟରେ ଥିବା 360 ଟି ଖାଲି ଥିବା ପୋଲିସ କ୍ବାର୍ଟର୍ସକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ କଏଦୀ ଏବଂ COVID-19 ପଜିଟିଭ ମାମଲା ପାଇଁ ଏକ ଅସ୍ଥାୟୀ ଜେଲକୁ ଆଇସୋଲେସନ ୱାର୍ଡ ନିର୍ମାଣ କରିବାକୁ କହିଛନ୍ତି |