ଓଡିଶା

odisha

ETV Bharat / bharat

କୋଭିଡ-୧୯: ଚୀନ୍ ବନାମ ବିଶ୍ବ

ଆନ୍ତର୍ଜାତିକ କଂପାନି ଓ ବୈଶ୍ବିକ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ ପାଇଁ ଚୀନ୍‌ର ବଢିଚାଲିଥିବା ପ୍ରାଧାନ୍ୟକୁ ନେଇ ବି ବିଶ୍ବ ସମୁଦାୟ ଚିନ୍ତିତ । ବିବାଦୀୟ ସାଉଥ୍ ଚାଇନା ସାଗରରେ ଚୀନ୍‌ର ସାମରିକ ଉପସ୍ଥିତି ଜାହାଜ ଓ ବିମାନର ଅବାଧ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିଛି । ସଂପୃକ୍ତ ଅଞ୍ଚଳ ଦେଇ ବହୁ କୋଟି ଡଲାରର ଆନ୍ତର୍ଜାତିକ ବାଣିଜ୍ୟ କାରବାର ହୋଇଥାଏ ।

By

Published : Apr 23, 2020, 11:31 AM IST

କୋଭିଡ-୧୯: ଚୀନ୍ ବନାମ ବିଶ୍ବ
covid19-china-vs-world

ଚୀନ୍ ଓ ବିଶ୍ବ ମଧ୍ୟରେ ବେଶ କିଛି ସମୟ ଧରି ଆସ୍ଥାର ଅଭାବ ଦେଖାଦେଇଥିବା ପୃଷ୍ଠଭୂମିରେ କୋଭିଡ-୧୯ ସଙ୍କଟ ଦେଖାଦେଇଛି । ବିଭିନ୍ନ ମହାଦେଶରେ ନିଜର ପ୍ରଭାବ ବିସ୍ତାର ଓ ଅର୍ଥନୈତିକ ଦାସତ୍ବ ଜରିଆରେ ବିଶ୍ବକୁ ଅଧିକାର କରିବା ପାଇଁ ଚୀନର ଉଦ୍ୟମ ହିଁ ଆସ୍ଥା ଅଭାବର ମୁଖ୍ୟ କାରଣ । ଚୀନର ମହତ୍ବାକାଂକ୍ଷୀ ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରକଳ୍ପ ଏବଂ ଏହାର ଆନ୍ତର୍ଜାତିକ ସହାୟତା ନୀତି ପଛରେ ଗମ୍ଭୀର ଭୂ-ରାଜନୈତିକ, ସାମରିକ ଓ ସୁରକ୍ଷା ଉଦ୍ଦେଶ୍ୟ ନିହିତ ରହିଛି ବୋଲି ଆନ୍ତର୍ଜାତିକ ସହମତି ପ୍ରକାଶ ପାଇଛି । ବିଶେଷ କରି ଚୀନ୍‌ର ଓାନ ବେଲ୍ଟ ଓାନ ରୋଡ୍ –ଓବିଓଆର୍ ବା ବେଲ୍ଟ ଆଣ୍ଡ୍ ରୋଡ୍‌-ବିଆରଆଇ ପଦକ୍ଷେପ ଓ ଏହାର ଉତ୍ପାଦ ଦ୍ବାର ପାଲଟିଥିବା ୠଣ ଯନ୍ତା ନୀତିକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି । ଆମେରିକା ଓ ଭାରତ ଭଳି ବଡବଡ ଦେଶ ଚୀନ ସହ ସୃଷ୍ଟି ହୋଇଥିବା ବଡ ଧରଣର ନିଅଣ୍ଟିଆ ବାଣିଜ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହାଛଡା ଆନ୍ତର୍ଜାତିକ କଂପାନି ଓ ବୈଶ୍ବିକ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ ପାଇଁ ଚୀନ୍‌ର ବଢିଚାଲିଥିବା ପ୍ରାଧାନ୍ୟକୁ ନେଇ ବି ବିଶ୍ବ ସମୁଦାୟ ଚିନ୍ତିତ । ବିବାଦୀୟ ସାଉଥ୍ ଚାଇନା ସାଗରରେ ଚୀନ୍‌ର ସାମରିକ ଉପସ୍ଥିତି ଜାହାଜ ଓ ବିମାନର ଅବାଧ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିଛି । ସଂପୃକ୍ତ ଅଞ୍ଚଳ ଦେଇ ବହୁ କୋଟି ଡଲାରର ଆନ୍ତର୍ଜାତିକ ବାଣିଜ୍ୟ କାରବାର ହୋଇଥାଏ । କୋଭିଡ-୧୯ ମହାମାରୀ ଓ ଏଥିଯୋଗୁ ସୃଷ୍ଟି ହୋଇଥିବା ସଂକଟରୁ ଫାଇଦା ଉଠାଇବା ପାଇଁ ଚୀନ୍‌ର ଉଦ୍ୟମ ଆନ୍ତର୍ଜାତିକ ସମୁଦାୟକୁ ସତର୍କ କରିବା ସହ ଏହାର ଭାବମୂର୍ତ୍ତି ଓ ପ୍ରତିଷ୍ଠାରେ ଯେ ଆଞ୍ଚ ଆଣିବ, ତାହା ସ୍ପଷ୍ଟ ହୋଇଯାଉଛି ।

ଆମେରିକା ଓ ଅନ୍ୟ କିଛି ଦେଶର ବିଶ୍ବାସ ଯେ, କୋଭିଡ-୧୯ ଭାଇରସ ପଛରେ ଚୀନ୍‌ର ଷଡଯନ୍ତ୍ର ରହିଛି । ଏସବୁ ଦେଶଙ୍କ ମତରେ ଚୀନ୍‌ର ଉହାନ ସହରର ଏକ ଲାବ୍‌ରେ ସୃଷ୍ଟି କରାଯାଇଥିଲା ଭାଇରସ୍ ଓ ବିଶ୍ବକୁ ଦୁର୍ବଳ କରିବାକୁ ହିଁ ଏହାକୁ ବିସ୍ତାର କରାଗଲା । ମହାମାରୀ ନେଇ ଚୀନ୍ ଠିକ୍ ସମୟରେ ବିଶ୍ବକୁ ସତର୍କ କରିବାରେ ବିଫଳ ହୋଇଛି ବୋଲି ଆନ୍ତର୍ଜାତିକ ସହମତି ପ୍ରକାଶ ପାଇଛି । ଚୀନର ଏହି ବିଫଳତା ଯୋଗୁ ବ୍ୟାପକ ଜୀବନ ହାନି ହେବା ସହ ବିଶ୍ବ ଅର୍ଥନୀତିକୁ ଝଟକା ଲାଗିଲା ବୋଲି ମତ ପ୍ରକାଶ ପାଇଛି । କୋରୋନା ବାବଦରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ମଧ୍ୟ ଚୀନ୍ ବ୍ୟବହାର କରିଥିଲା ବୋଲି ଅଭିଯୋଗ ହେଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରିୟେସସ୍ ଚୀନ୍ର ସମର୍ଥନରେ ହିଁ ୨୦୧୭ରେ ନିବାର୍ଚିତ ହୋଇଥିଲେ । ସେ ମଧ୍ୟ ଚୀନର ବିଫଳତାକୁ ଘୋଡାଇଥିଲେ ବୋଲି ଅଭିଯୋଗ ହୋଇଛି । ମାରାତ୍ମକ ଭାଇରସର ବିସ୍ତାର ନେଇ ଚୀନର ପକ୍ଷକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ସମର୍ଥନ କରିବା ସହ ଏହାକୁ ନିୟନ୍ତ୍ରଣ ପାଇଁ ଚୀନର ଉଦ୍ୟମକୁ ପ୍ରଶଂସା ବି କରିଥିଲେ ।

ଏଣେ ସଂକଟରୁ ଫାଇଦା ନେବା ପାଇଁ ଉଦ୍ୟମ ଯୋଗୁ ଚୀନର ଭାବମୂର୍ତ୍ତି ଆହୁରି ଖରାପ ହେବାରେ ଲାଗିଲା । କିଛି ମିଡିଆ ରିପୋର୍ଟ ଅନୁସାରେ ଇଟାଲୀରେ ଯେତେବେଳେ ମହାମାରୀ ଭୟଙ୍କର ରୂପ ନେଲା, ସେତେବେଳେ ଚୀନ୍ ଇଟାଲୀକୁ ପର୍ସନାଲ୍ ପ୍ରୋଟେକସନ ଇକ୍ୟୁପମେଂଟ୍ -ପିପିଇ ବିକ୍ରି କରିଥିଲା । ହେଲେ ଅଭିଯୋଗ ହୋଇଛି ଯେ, ସେହି ପିପିଇ ସବୁ ଇଟାଲୀ ହିଁ ଚୀନ୍‌କୁ ପୂର୍ବରୁ ଅନୁଦାନ ଭାବେ ଦେଇଥିଲା । ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ , ତାହା ହେଲେ ନିଶ୍ଚିତ ଭାବେ ଏହା ଏକ ଲଜ୍ଜାଜନକ କାମ । ଏହାଛଡା ନିମ୍ନମାନର ମେଡିକାଲ ସାମଗ୍ରୀ ବିକ୍ରି କରି ଚୀନ୍ ଆର୍ଥିକ ଫାଇଦା ପାଇବାକୁ ବି ଉଦ୍ୟମ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଚୀନ୍‌ର ୫୦ ହଜାର ତ୍ରୁଟିପୂର୍ଣ୍ଣ କୁଇକ୍ ଟେଷ୍ଟିଂକୁ କିଟ୍ ସ୍ପେନ ଫେରାଇ ଦେଇଥିବା ଜଣାପଡିଛି । ସେହିପରି ନେଦରଲାଣ୍ଡସ୍ ମଧ୍ୟ ଚୀନର ସାମଗ୍ରୀ ନିମ୍ନମାନର ଦର୍ଶାଇ ଅଗ୍ରାହ୍ୟ କରିଦେଇଛି ।

କୋରୋନା ସଂକଟ ଯୋଗୁଁ ବିଶ୍ବର ସେୟାର ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି । ଚୀନ ଏଥିରୁ ମଧ୍ୟ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ସେୟାର ବଜାରରେ ଅସ୍ଥିରତାର ଫାଇଦା ଉଠାଇ ଚୀନ୍ ବିଦେଶୀ ବଜାରରେ ଅଂଶଧନ କିଣି ସଂପତି ଅଧିଗ୍ରହଣ କରିପାରେ ବୋଲି କୁହାଯାଉଛି । ସୁରକ୍ଷା କାରଣରୁ ଆମେରିକା ଓ କିଛି ୟୁରୋପୀୟ ରାଷ୍ଟ୍ର ଚୀନ କମ୍ପାନୀମାନଙ୍କୁ ନିଜ ନିଜର ଟେକ୍ନୋଲୋଜି କମ୍ପାନୀ ବିକ୍ରି କରୁନାହାନ୍ତି । ମହାମାରୀ ବ୍ୟାପିବା ପରେ ଇଟାଲୀ, ସ୍ପେନ ଓ ଜର୍ମାନୀ ଭଳି ଦେଶ ଚୀନ୍ ରୁ ବିଦେଶୀ ପୁଞ୍ଜି ବିନିଯୋଗ ପ୍ରସ୍ତାବର ଭଲଭାବେ ଯାଞ୍ଚ କରିବେ ବୋଲି ଘୋଷଣା କରିଛନ୍ତି ।

କୋରୋନା ଭାଇରସ ନେଇ ଆଗୁଆ ସୂଚନା ଦେଇ ନଥିବାରୁ କ୍ଷତିପୂରଣ ଦାବିରେ ଚୀନ୍ ବିରୋଧରେ ଆମେରିକା ସମେତ ବିଭିନ୍ନ ଦେଶରେ ମାମାଲ ରୁଜୁ ହୋଇଛି । ମହାମାରୀ ବ୍ୟାପିବା ପଛରେ ଚୀନର ଭୂମିକା ଯାଞ୍ଚ କରିବାକୁ ପାଶ୍ଚାତ୍ୟ ଦେଶଗୁଡିକ ଦାବି କରୁଛନ୍ତି । ଚୀନକୁ ସମର୍ଥନ କରିଥିବା ଅଭିଯୋଗ ଆଣିବା ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଆର୍ଥିକ ଅନୁଦାନ ହ୍ରାସ ଭଳି ପଦକ୍ଷେପ ନେଇଛି ଆମେରିକା ।

ତେବେ, ଏ ପର୍ଯ୍ୟନ୍ତ ଭାରତର ପ୍ରତିକ୍ରିୟା କିଭଳି ରହିଛି ? ଆନ୍ତର୍ଜାତିକ ସ୍ତରରେ ହୋହଲ୍ଲା ସତ୍ତ୍ବେ ଭାରତ ଚୀନ ବିରୋଧରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହିଁ । କୋରୋନା ବାବଦରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ବିରୋଧ କରାଯାଉଥିଲେ ମଧ୍ୟ ଭାରତ ସିଧାସଳଖ ସମାଲୋଚନାରୁ ବିରତ ରହିଛି । ବରଂ କୋରୋନା ପ୍ରସଙ୍ଗରେ ଜି-୨୦ ଦେଶଙ୍କ ଭିଡିଓ କନଫରେନ୍ସିଂ ବୈଠକରେ ଭାରତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଂସ୍କାର ଓ ଏହାକୁ ଅଧିକ ଶକ୍ତିଶାଳୀ କରିବା ଉପରେ ଜୋର୍ ଦେଇଥିଲା । ସଂପ୍ରତ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ହିଁ ଭାରତର ଫୋକସ ରହିଛି ।

କୋଭିଡ-୧୯ ଯେଭଳି ତୃତୀୟ ପର୍ଯ୍ୟାୟରେ ପ୍ରବେଶ ନ କରେ, ସେଥିପ୍ରତି ଭାରତ ଉଦ୍ୟମ ଜାରି ରଖିଛି । କୋରୋନା ମୁକାବିଲା ନେଇ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ବ ଦେଉଛି ଭାରତ । ଗରିବ ଦେଶଙ୍କୁ ସହାୟତା ପାଇଁ ପାଣ୍ଠି ଗଠନ, ସୂଚନା ଆଦାନ ପ୍ରଦାନ ଓ କୋରୋନା ପ୍ରତିଷେଧକ ଟୀକା ପାଇଁ ଗବେଷଣା ତ୍ବାରାନ୍ବିତ ପାଇଁ ଭାରତ ଗୁରୁତ୍ବ ଦେଇଛି । ବାଣିଜ୍ୟ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତ ଦୁଇ ଦ୍ବିମୁଖୀ ବାସ୍ତବବାଦୀ ଆଭିମୁଖ୍ୟ ଆପଣାଇଛି । କୋରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତ ଚୀନରୁ ଜରୁରୀ ମେଡିକାଲ ଉପକରଣ କିଣିବା ଜାରି ରଖିଛି । ସରକାରୀ ସୂତ୍ରକୁ ଆଧାରକରି ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଏପ୍ରିଲ ୪ରୁ ୧୯ତାରିଖ ମଧ୍ୟରେ ଚୀନରୁ ଭାରତ ୩୯୦ ଟନ୍‌ରୁ ଅଧିକ ମେଡିକାଲ ସାମଗ୍ରୀ ଆମଦାନୀ କରିଛି । ଏଥିମଧ୍ୟରେ ରହିଛି ଆରଟି-ପିସିଆର୍ ଟେଷ୍ଟ କିଟ୍ ,ରାପିଡ୍ ଆଣ୍ଟିବଡି ଟେଷ୍ଟ୍ , ଥର୍ମୋମିଟର ଓ ପର୍ସନାଲ୍ ପ୍ରୋଟକଟିଭ୍ ଇକ୍ୟୁପମେଣ୍ଟ ବା ପିପିଇ ।

ଅନ୍ୟପଟେ ଦେଶରେ ସେୟାର ବଜାରରେ ହ୍ରାସର ଫାଇଦା ଚୀନ୍ ଯେମିତି ଉଠାଇ ନପାରିବ,ସେ ଦିଗରେ ମଧ୍ୟ ସତର୍କତାର ସହ ପଦକ୍ଷେପ ନେଉଛି ଭାରତ । ଚୀନକୁ ଜଗିବାକୁ ଏପ୍ରିଲ ୧୮ ତାରିଖରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ –ଏଫଡିଆଇ ନିୟମରେ ସଂଶୋଧନ କରାଯାଇଛି । ଏହାଫଳରେ ମହାମାରୀ ଯୋଗୁଁ ଆର୍ଥିକ କ୍ଷତିର ସାମ୍ନା କରୁଥିବା ଭାରତୀୟ ଉଦ୍ୟୋଗର ସେୟାର ଚୀନ୍ ସିଧାସଳଖ କିଣିପାରିବ ନାହିଁ କି ଏଥିରେ ପୁଞ୍ଜିନିବେଶ କରିପାରିବ ନାହିଁ । ମହାମାରୀ ମଧ୍ୟରେ ଭାରତର ବୃହତ ଘରୋଇ ହାଉସିଂ ବ୍ୟାଙ୍କ୍ ମଧ୍ୟରେ ଅନ୍ୟତମ ଏଚଡିଏଫସି ଲିମିଟେଡରେ ଚୀନର ସେଣ୍ଟ୍ରାଲ ବ୍ୟାଙ୍କ ୧୭ ଦଶମିକ ୫ ମିଲିୟନ ମୂଲ୍ୟର ସେୟାର କିଣିବା ପରେ ଭାରତ ନିଜର ଏଫଡିଆଇ ନିୟମରେ ସଂଶୋଧନ କରିଛି । ଏହି ପଦକ୍ଷେପ ଦ୍ବାରା ଭାରତ ବିଶ୍ବ ବାଣିଜ୍ୟ ସଂଗଠନ - ଡବଲ୍ୟୁଟିଓ ଓ ଅନ୍ୟାନ୍ୟ ବହୁଦେଶୀୟ ସଂଗଠନର ନିୟମ ଉଲ୍ଲଂଘନ କରିଥିବା ଚୀନ୍ ଅଭିଯୋଗ କରିଛି । ହେଲେ ଭାରତ ଚୀନ୍‌ର ଅଭିଯୋଗ ଖାରଜ କରି କହିଛି ଯେ, ସଂଶୋଧିତ ଏଫଡିଆଇ ନିୟମ ଭାରତରେ ପୁଞ୍ଜିନିବେଶ ପାଇଁ କେବଳ ରାସ୍ତା ବଦଳାଇବ । କୌଣସି ଦେଶକୁ ପୁଞ୍ଜି ନିବେଶରୁ ବଞ୍ଚିତ କରିବା ଉଦ୍ଦେଶ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛି ଭାରତ । ଏଠାରେ ସୂଚନା ଦିଆଯାଇପାରେ ଯେ, ଖୋଦ୍ ଚୀନ୍ ମଧ୍ୟ ଆଇଟି ଓ ଫାର୍ମାସିଟ୍ୟୁକାଲ୍ ଭଳି ବିଭିନ୍ନ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡିକର ମାର୍କେଟ ଆକସେସ୍ ଉପରେ ଏକାଧିକ କଟକଣା ଲଗାଇଛି ।

କୋରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ବ ସଙ୍କଟ ଏବେ ଶେଷ ହେଲା ଭଳି ଲାଗୁନାହିଁ । ଏ ପରିପ୍ରେକ୍ଷୀରେ ମାନବ ସମାଜ ଜୀବନ ଓ ବିଶ୍ବ ଅର୍ଥନୀତିରେ ହୋଇଥିବା କ୍ଷତିର ସଠିକ ମୂଲ୍ୟାନ ହୁଏତ ହୋଇ ନ ପାରେ । କୋଭିଡ-୧୯ ଭାଇରସ ବିସ୍ତାର ଜାଣିଶୁଣି କରାଯାଇ ଥିଲା କି ନାହିଁ, ତାହା ହୁଏତ ଜାଣିବା ସମ୍ଭବ ହୋଇ ନପାରେ । ଏ କ୍ଷେତ୍ରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଫଳତା ବ୍ୟବସ୍ଥାଗତ ବିଫଳତା ବୋଲି କୁହାଯିବ କି ନାହିଁ , ତାହା ବି ହୁଏତ କେବେ ସ୍ପଷ୍ଟ ଭାବେ ଜଣାପଡି ନପାରେ । କିନ୍ତୁ ବର୍ତ୍ତମାନ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, କୋରୋନା ସଂକଟ ଚୀନ୍ ପ୍ରତି ବିଶ୍ବ ସମୁଦାୟର ଗଭୀର ଅବିଶ୍ବାସ ମନୋଭାବ ସୃଷ୍ଟି କରିଛି । ଏହାଛଡା ଏହି ସଙ୍କଟ ସୂଚାଇ ଦେଇଛି ଯେ, ଅର୍ଥନୈତିକ ଉଦାରୀକରଣ ବା ଜଗତୀକରଣ ଏବଂ ବିଭିନ୍ନ ରାଷ୍ଟ୍ରର ଜାତୀୟ ସୁରକ୍ଷା ମଧ୍ୟରେ ଏକ ରେଖା ଟାଣିବା ଜରୁରୀ ହୋଇପଡିଛି । ମହାମାରୀ ସଙ୍କଟ ଶେଷ ହେଲା ପରେ ଚୀନର ବ୍ୟବହାର ସ୍ବାଭାବିକ ରହିବ ନା ବିଶ୍ବ ସମୁଦାୟ ତାଠାରୁ ସାମାଜିକ ଦୂରତ୍ବ ରକ୍ଷା କରିବେ, ତାହା ଦେଖିବାକୁ ବାକି ରହିଲ ।

ଅଚଲ ମାଲହୋତ୍ରା ( ପୂର୍ବତନ କୂଟନୀତିଜ୍ଞ )

ABOUT THE AUTHOR

...view details