କୋଭିଡ-19 ମହାମାରୀ ଅନ୍ୟ କ୍ଷେତ୍ର ସହିତ ଶିକ୍ଷା କ୍ଷେତ୍ରକୁ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ କରିଛି। ୟୁନେସ୍କୋ ରିପୋର୍ଟ ଅନୁଯାୟୀ ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତି ଦଶ ଜଣ ଛାତ୍ରଙ୍କ ମଧ୍ୟରୁ ନଅ ଜଣଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି, ଯାହାକି ଶତକଡ଼ା 87 ପ୍ରତିଶତ। ଏହା ବି ଆକଳନ କରାଯାଇଛି ଯେ, ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଦ୍ବାରା 154 କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଝିଅମାନେ ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ଯାହାକି ଅଧାରୁ ପାଠପଢା ବନ୍ଦ ବା ଡ୍ରପ୍ ଆଉଟ୍ ହାର ବଢାଇପାରେ। ଭାରତରେ 32 କୋଟିରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ପ୍ରଭାବିତ ହୋଇଛନ୍ତି ଯାହାକି ଆଗକୁ ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ଅନେକ ସମସ୍ୟା ଉତ୍ପନ୍ନ କରିବ। ଏଭଳି ଅସମୟରେ ଶିକ୍ଷା ବର୍ଷକୁ କିପରି ବଞ୍ଚାଇ ରଖିହେବ ସେଥିପାଇଁ ଅନେକ ଶିକ୍ଷାନୁଷ୍ଠାନ ରିମୋଟ୍ ଇ-ଲର୍ଣ୍ଣିଙ୍ଗ ବା ଅନ୍ ଲାଇନ୍ ଏଜୁକେସନ ଭାବେ ବେଶ୍ ପରିଚିତ ହୋଇ ସାରିଥିବା ବ୍ୟବସ୍ଥାକୁ ଆପଣେଇଛନ୍ତି, ଯାହାକି ଶିକ୍ଷା ବ୍ୟବସ୍ଥା ପ୍ରତି ସାମାନ୍ୟ ଆଶାର ସଞ୍ଚାର ହୋଇଛି। ସର୍ବୋଚ୍ଚ ସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ପରିଚାଳନା କରୁଥିବା ସିବିଏସଇ, ୟୁଜିସି ଏବଂ ଏଆଇସିଟିଇ ଭଳି ସଂସ୍ଥାଗୁଡ଼ିକର ପରାମର୍ଶକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳିତ ଏବଂ ଅନ୍ୟ ସମସ୍ତ ସ୍ତରରେ ଥିବା ସ୍କୁଲରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଅନଲାଇନ ମାଧ୍ୟମରେ ନୂଆ ଶିକ୍ଷାବର୍ଷକୁ ପୂରା ଦମରେ ଚଲାଇବା ନେଇ ପ୍ରୟାସ ଜାରି ରଖିଛନ୍ତି। ଏହା ସତ୍ତ୍ବେ ବି ଅନ୍ ଲାଇନ୍ ଶିକ୍ଷା ପ୍ରଦାନ କେତେଦୂର ଫଳପ୍ରଦ ଏବଂ ଲାଭପ୍ରଦ ତାହାକୁ ନେଇ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ବିତର୍କ ଆରମ୍ଭ ହୋଇ ଯାଇଛି। ଏଥିସହ ସଂପୃକ୍ତ ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ ନାଗରିକ ସମସ୍ତେ ଆଜି ଏହାକୁ ନେଇ ଚିନ୍ତିତ ଓ ବିବ୍ରତ !
କଳ୍ପନାପ୍ରସୂତ ଏବଂ ବାସ୍ତବତା
ଇ-ଲର୍ଣ୍ଣିଙ୍ଗ ବ୍ୟବସ୍ଥାରେ କମ୍ ଖର୍ଚ୍ଚରେ ଦୂର ଦୂରାନ୍ତରେ ରହୁଥିବା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପହଞ୍ଚାଯାଇ ପାରୁଛି ସତ, କିନ୍ତୁ ଏଥିରେ ଅନେକ ଅବାସ୍ତବ ପରିକଳ୍ପନା ରହିଛି। ଲକ୍ ଡାଉନ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମତ ଥିଲା ଯେ ଅନଲାଇନ ଶିକ୍ଷା କେବଳ ଏକ ଅସ୍ଥାୟୀ କାମଚଳା ବ୍ୟବସ୍ଥା, ଏବଂ ସେମାନଙ୍କର ଆଶା ଥିଲା ଯଥାଶୀଘ୍ର ସ୍ବାଭାବିକ ଅବସ୍ଥା ଫେରିଆସିବା ସହ ଶ୍ରେଣୀକକ୍ଷରେ ପାରମ୍ପରିକ ମୁହାଁମୁହିଁ ପାଠପଢ଼ା ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହୋଇଯିବ। ବାସ୍ତବତା ହେଉଛି ଇ-ଏଜୁକେସନ ଏହା ପୂର୍ବରୁ ଭାରତୀୟ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରବେଶ କରି ସାରିଛି। ମ୍ୟାସିଭ ଓପେନ ଅନଲାଇନ କୋର୍ସେସ୍ (ଏମଓଓସିଏସ) ପ୍ଲାଟଫର୍ମରେ ସ୍ବୟଂମ ପ୍ଲାଟଫର୍ମରେ ଇ-ଏଜୁକେସନ ପ୍ରବେଶ କରିସାରିଛି। ବିଶ୍ବର ସର୍ବବୃହତ ଏହି ଅନଲାଇନ ମାଗଣା ଇ-ଲର୍ଣ୍ଣିଙ୍ଗ ପ୍ଲାଟଫର୍ମରେ ୱେବ ପରିଚାଲିତ ସ୍କୁଲ ଜରିଆରେ ସମସ୍ତଙ୍କୁ ସ୍କୁଲ ଶିକ୍ଷାରୁ ଆରମ୍ଭ କରି ଭୋକେସନାଲ, ଅଣ୍ଡରଗ୍ରାଜୁଏଟ, ପୋଷ୍ଟଗ୍ରାଜୁଏଟ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରଫେସନାଲ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଛି। କୋରୋନା ସଂକଟ କେବଳ ମାତ୍ର ଏହାକୁ ଆଗକୁ ନେଇଛି, ନଚେତ୍ ଏହି ନୂତନ ଜ୍ଞାନକୌଶଳକୁ ଏତେଶୀଘ୍ର ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଟେକ୍ନୋ ସ୍ୟାଭି ଥିବା କେବଳ ଯୁବବର୍ଗର ଶିକ୍ଷକମାନେ ଅନ୍ ଲାଇନ୍ ଶିକ୍ଷାପ୍ରଦାନ ବ୍ୟବସ୍ଥାକୁ ଗ୍ରହଣ କରି ନେଇ ପାରିବେ, କିନ୍ତୁ ପୁରୁଣା ସମୟର ଶିକ୍ଷକମାନଙ୍କ ପକ୍ଷରେ ଏହା ସହଜ ହେବନାହିଁ ବୋଲି ସାଧାରଣରେ ଏକ ଆଶଙ୍କା ରହିଥିଲା। ଅନେକ ରିସର୍ଚ୍ଚ ସଂସ୍ଥାର କହିବା କଥା ହେଲା, ନୂଆ ନୂଆ ଜ୍ଞାନକୌଶଳକୁ ଗ୍ରହଣ କରି ନେବାରେ ବୟସ ଆଦୌ ଏକ ପ୍ରତିବନ୍ଧକ ନୁହେଁ, ଏବଂ ପରିବର୍ତ୍ତନ ସହ ତାଳ ମିଳାଇ ଚାଲିବାକୁ ହେଲେ ଶିଖିବାର ପ୍ରବୃତ୍ତି ଜରୁରୀ।
ଏହାବାଦ୍ ଏକ ଅଜଣା ଶତ୍ରୁ ଭାବେ କିଛି ଶିକ୍ଷକଙ୍କ ମନର କୌଣସି ଏକ କୋଣରେ ଭୟ ରହି ଆସିଥିଲା ଯେ, ଅନ୍ ଲାଇନ୍ ଶିକ୍ଷା ବ୍ୟବସ୍ଥାରେ ସେମାନଙ୍କର ଭୂମିକା ଅପେକ୍ଷାକୃତ ପୂର୍ବାପେକ୍ଷା ଗୌଣ ହୋଇଯିବ ଏବଂ ଏହା ବଦଳରେ ଟେକନୋଲୋଜି ଏହି ସ୍ଥାନ ନେଇଯିବ! ବାସ୍ତବରେ ବର୍ତ୍ତମାନର ପରିବର୍ତ୍ତିତ ସମୟ ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନ ପାଇଁ ଏକ ସୁଯୋଗ ଆଣି ଦେଇଛି, ଯେଉଁଠି କି ସେମାନେ ପୁରୁଣା ଦିନର କଥା ମନେ ପକାଇ ଶହ ଶହ ବର୍ଷର ସେହି ପୁରୁଣାକାଳିଆ ‘ଚକ୍ ଏଣ୍ଡ ଟକ୍’(ବ୍ଲାକବୋର୍ଡରେ ଚକଖଡିରେ ଲେଖି ପାଟି କରି ପଢାଇବା) ବ୍ୟବସ୍ଥାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ଏବେ ଟେକନୋଲୋଜି ମାଧ୍ୟମରେ ପାଠପଢା ପ୍ରଣାଳୀରୁ କେତେ ନୂଆ ନୂଆ କଥା ଜାଣି ହେଉଛି ତାହା ଅନୁଶୀଳନ କରିବା ଉଚିତ୍।
ଅଧିକନ୍ତୁ, ଇ-ଲର୍ଣ୍ଣିଙ୍ଗରେ ଜଣେ ଶିକ୍ଷକଙ୍କୁ ଅଧିକ ସକ୍ରିୟ ଭୂମିକା ତୁଲାଇବାକୁ ପଡୁଛି ଏବଂ ପାଠ୍ୟକ୍ରମ ଡିଜାଇନର, ବିଷୟବସ୍ତୁ ପ୍ରସ୍ତୁତ କରିବା ଏବଂ ନୂଆ ନୂଆ ଟେକନୋଲୋଜି ଦ୍ବାରା ପିଲାଙ୍କ ଜ୍ଞାନ ବିକାଶ ସବୁ କ୍ଷେତ୍ରରେ ଶିକ୍ଷକଙ୍କ ଦାୟିତ୍ବ ରହୁଛି।
ସମସ୍ୟାର ସମାଧାନ
ଏଥିସହିତ ଇ-ଲର୍ଣ୍ଣିଙ୍ଗ ପ୍ରଣାଳୀରେ ରହିଥିବା ସମସ୍ୟାସବୁର ସମାଧାନ ବିନା ଏହାକୁ କାର୍ଯ୍ୟକାରୀ କରାଗଲେ ଏଥିରୁ କୁଫଳ ବି ମିଳିପାରେ। ବିଶେଷ କରି ଭାରତ ଭଳି ରାଷ୍ଟ୍ର ଯେଉଁଠି ଏକ ବିଶାଳ ଶିକ୍ଷା ବ୍ୟବସ୍ଥା ରହିଛି (ସରକାରୀ ଓ ବେସରକାରୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ତରରେ 15 ଲକ୍ଷରୁ ଅଧିକ ସ୍କୁଲ ଏବଂ 50 ହଜାରରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି) ଏଠାରେ ଇ-ଲର୍ଣ୍ଣିଙ୍ଗ ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏନେଇ ରହିଥିବା ସମସ୍ୟାସବୁର ସମାଧାନ ଜରୁରୀ। ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ ସମସ୍ତଙ୍କୁ କିପରି ଇ-ଲର୍ଣ୍ଣିଙ୍ଗ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିହେବ ଏବଂ ଡିଜିଟାଲ କ୍ଷେତ୍ରରେ ରହିଥିବା ବୈଷମ୍ୟ କିପରି ଦୂର କରାଯାଇ ପାରିବ ତାହା ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ନୂଆ ଶିକ୍ଷା ନୀତିରେ ରଖାଯାଇଥିବା ଲକ୍ଷ୍ୟ ପୂରଣ କରିବାକୁ ଯାଇ ଦେଶରେ ଏକ ସୁନ୍ଦର ଶିକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ଏକ ବହୁମୁଖୀ ରଣନୀତି ଜରୁରୀ। ଡିଜିଟାଲ କ୍ଷେତ୍ରରେ ରହିଥିବା ବୈଷମ୍ୟତା ଦୂର କରିବା ହେଉଛି ଦେଶ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ଇ-ଲର୍ଣ୍ଣିଙ୍ଗ ବ୍ୟବସ୍ଥାରେ ଦେଶର ଏକ ବୃହତ ଅଂଶ ଏହି ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। କୋରୋନା ସଂକଟ ପରେ ସରକାର ଦେଶରେ ଥିବା ଡିଜିଟାଲ ବୈଷମ୍ୟତା ଦୂର କରିବା କଥା ବୁଝିଛନ୍ତି। ଅର୍ଥନୈତିକ, ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ, ଇଂଲିଶ ଭାଷାରେ ଦୁର୍ବଳ, ଲିଙ୍ଗଗତ ପ୍ରଭେଦ ଏବଂ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଆଦି ଏସବୁ ଦିଗକୁ ଦେଖିଲେ ଜଣାପଡିବ ଭାରତରେ ଘୋର ଡିଜିଟାଲ ବୈଷମ୍ୟତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏକପ୍ରକାର ନୀତି ପରିବର୍ତ୍ତେ ସମାଜର ଏସବୁ ବିଭିନ୍ନ ଦୁର୍ବଳ ଶ୍ରେଣୀ ପାଇଁ ଭିନ୍ନ ଭିନ୍ନ ନୀତି ଅବଲମ୍ବନ କରିବା ଜରୁରୀ। ଏକପ୍ରକାର ନୀତି ଗ୍ରହଣ କରାଗଲେ ଏହା ସହାୟତା ହେବନାହିଁ।