ହାଇଦ୍ରାବାଦ:ସାରା ବିଶ୍ବର ଏବେ ଗୋଟିଏ ଲକ୍ଷ୍ୟ କୋଭିଡ ମୁକାବିଲା । ବିଶ୍ବର ଅର୍ଦ୍ଧାଧିକ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀକୁ କିପରି ରୋକାଯିବ । ସେ ଦିଗରେ ଅହରହ ଚାଲିଛି ପରୀକ୍ଷା ନିରୀକ୍ଷା । ଦିନ ରାତି ଏକ କରି ବିଶ୍ବର ବହୁ ବୌଜ୍ଞାନିକ ଓ ଚିକିତ୍ସିକ ଚଲାଇଛନ୍ତି ଗବେଷଣା । ହେଲେ ଏ ଭିତରେ ବଡ ବଡ ରୋଗର ଚିକିତ୍ସାରେ ଦେଖା ଦେଇଛି ସମସ୍ୟା । ଯେଉଁ ରୋଗ କିଛି ବର୍ଷ ତଳେ ଆତଙ୍କ ଖେଳାଇଥିଲା, ଆଜି ସେ ରୋଗ କୋଭିଡ ଯୋଗୁଁ ଅଣଦେଖା ପାଲଟିଛି । ଆଉ ଏପରି ଲାଗି ରହିଲେ ଆଗାମୀ କିଛି ମାସ ଏହା ଭୟଙ୍କର ରୂପ ନେଇପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚେତାଇ ଦେଇଛି ।
ମହାମାରୀ କୋଭିଡକୁ ରୋକିବାକୁ ଯାଇ ଆଜି ଅଣାଦେଖା ପାଲଟିଛି ଏଚଆଇଭି ଓ ଏଡସ ଭଳି ସଂକ୍ରମଣ ରୋଗ । କୋଭିଡ ପାଇଁ ବର୍ତ୍ତମାନ ଔଷଧ ଯୋଗାଣ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇଛି । ଏଚଆଇଭି ସେବା ବନ୍ଦ ହେବା ସହ ଆଣ୍ଟିଟେରୋଭାଇରାଲ୍ ଥେରାପି ଯୋଗାଇବାରେ ଏବେ ବାଧା ଉପଜୁଛି । ଫଳରେ ତୁରନ୍ତ ଚିକିତ୍ସା ଓ ନିରାକରଣ ଦିଗରେ ଧ୍ୟାନ ଦେବାକୁ ଆବଶ୍ୟକ ହୋଇପଡିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି । ନଚେତ ଆଗାମୀ 6 ମାସ ମଧ୍ୟରେ ବିଶ୍ବର 5 ଲକ୍ଷରୁ ଊର୍ଦ୍ଧ୍ବ ମୃତ୍ୟୁବରଣ କରିବେ ।
ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟେଏସ କହିଛନ୍ତି, ଆଫ୍ରିକାରେ 5 ଲକ୍ଷ ଲୋକେ ଏଡସ୍ ରୋଗରେ ମୃତ୍ୟୁବରଣ କରିବେ ବୋଲି ଆଶଙ୍କା କରାଯାଉଛି । ସମସ୍ତ ଦେଶ ଏଥିପ୍ରତି ଯତ୍ନବାନ ହେବାକୁ ପଡିବ । ଏଚଆଇଭି ପାଇଁ କେତେକ ଦେଶ ଏବେ ପଦକ୍ଷେପ ଗ୍ରହଣ କଲେଣି । ଏହି ସମୟରେ ଅତ୍ୟାବଶ୍ୟକୀୟ ଔଷଧ ହେଉ କି ଚିକିତ୍ସା ଯେମିତି ବାଧାପ୍ରାପ୍ତ ନ ହୁଏ, ସେନେଇ ସମସ୍ତ ସୁବିଧା ଯୋଗାଇବାକୁ କହିଛନ୍ତି ଟେଡ୍ରୋସ ।