ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ବାରା ସଂକ୍ରମିତ ବ୍ୟକ୍ତି ଯଦି ଲକଡାଉନ ଓ ସାମାଜିକ ଦୂରତା ନିୟମ ପାଳନ ନ କରନ୍ତି ତେବେ ସେ 30 ଦିନ ମଧ୍ୟରେ 406 ଜଣ ଲୋକଙ୍କୁ ସଂକ୍ରମିତ କରିପାରିବେ । ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ‘ଯଦି ଜଣେ ବ୍ୟକ୍ତି ଲକଡାଉନ ଏବଂ ସାମାଜିକ ଦୂରତା ନୀତି ଅନୁସରଣ ନ କରନ୍ତି, ତେବେ ସେ 30 ଦିନରେ 406 ଜଣଙ୍କୁ ସଂକ୍ରମିତ କରିପାରନ୍ତି ।’ ତଥାପି ଯଦି ସାମାଜିକ ସଂପର୍କ 75% ହ୍ରାସ ହୁଏ, ତେବେ ସେହି ସଂକ୍ରମିତ ବ୍ୟକ୍ତି ମାତ୍ର 2.5 ଲୋକଙ୍କୁ ସଂକ୍ରମିତ କରିପାରନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଲକଡାଉନ ଓ ସାମାଜିକ ଦୂରତା ପଦକ୍ଷେପ ଅନୁସରଣ କରିବାକୁ ଆପଣ ସମସ୍ତଙ୍କୁ ନିବେଦନ କରୁଛୁ । ଏହା ହିଁ କୋରୋନା ମୁକାବିଲା କରିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ହସ୍ତକ୍ଷେପ ବୋଲି ଆମେ ବୁଝିବା ଦରକାର ।’