ସମଗ୍ର ବିଶ୍ବ ପ୍ରତି, ନିର୍ଦ୍ଦିଷ୍ଟ ଭାବେ ମୂଳ ଭାରତୀୟ ବଂଶୋଦ୍ଭବ ଲୋକେ କାର୍ଯ୍ୟ କରିଥିବା ଏବଂ ସମୃଦ୍ଧି ଲାଭ କରିଥିବା ଦେଶଗୁଡ଼ିକ ପ୍ରତି, ବିପଦ ସୃଷ୍ଟି କରିଥିବା କରୋନା ଭାଇରସ୍ ଯୋଗୁଁ ଆଜି ଭାରତ ମାତା ସହିତ ବିଦେଶରେ ରହୁଥିବା ତା’ର ସନ୍ତାନମାନଙ୍କ ସଂପର୍କ ଏକ ଅଭୂତପୂର୍ବ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ଉପୁଜିଛି । ସହୃଦୟତାର ସହିତ ଭାରତକୁ ସହାୟତା ପ୍ରଦାନ ପରିବର୍ତ୍ତେ, ଯଦି ବିଶ୍ବର ବିଭିନ୍ନ ସ୍ଥାନରେ ବସବାସ କରୁଥିବା 3 କୋଟି ଭାରତୀୟଙ୍କ ମଧ୍ୟରୁ ସଂଖ୍ୟାଧିକ ଲୋକେ ଭାରତରୁ ସହାୟତା ପାଇବାକୁ ଚାହାଁନ୍ତି, ତେବେ ଏ ପର୍ଯ୍ୟନ୍ତ ପ୍ରାପକ ହୋଇ ରହିଆସିଥିବା ଭାରତ ଏବଂ ପ୍ରଦାନକାରୀ ରୂପେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ଭୂମିକା ବିପରୀତ ହୋଇଯିବ । ଏହା ସହିତ, ପ୍ରବାସୀ ଭାରତୀୟଙ୍କ ପ୍ରାଣହାନି କ୍ଷେତ୍ରରେ ସମ୍ଭାବ୍ୟ ଦାରିଦ୍ର୍ୟ ଓ ଦୁର୍ଦ୍ଦଶାରେ ହିଁ ପ୍ରକୃତ ବିପଦ ଆଶଙ୍କା ରହିଛି । କରୋନା ଭାଇରସ୍ର ବ୍ୟାପ୍ତିକୁ ରୋକା ନଗଲେ ଏବଂ ବିଶ୍ବ ଅର୍ଥନୀତିର ପୁନରୁଦ୍ଧାର ହୋଇ ନପାରିଲେ, ଭାରତ ଉପରେ ଏକ ବିଶାଳ ବୋଝର ଚାପ ପଡ଼ିବା ଆଶଙ୍କା ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି ।
ବିଶ୍ବର ବିଭିନ୍ନ ଭାଗରେ ଜାତୀୟତାବାଦୀ ଚିନ୍ତାଧାରାର ଅଭିବୃଦ୍ଧି ସହିତ ଅନ୍ତର୍ଜାତୀୟ ସହଯୋଗର ଧାରା ଅବକ୍ଷୟାଭିମୁଖୀ ହୋଇପଡ଼ିଥିବା ବେଳେ ବହିରାଗତ ସାହାଯ୍ୟ ଉପରେ ଭାରତ ସେତେ ବେଶୀ ନିର୍ଭର କରିପାରିବ ନାହିଁ । ଚୀନ୍ର ଔଦ୍ଧତ୍ୟପୂର୍ଣ୍ଣ ଦୃଷ୍ଟିଭଙ୍ଗୀ କାରଣରୁ ଖୋଦ୍ ମିଳିତ ଜାତିସଂଘ ବି ସ୍ଥାଣୁ ଅବସ୍ଥାରେ ରହିଛି । ଏମିତି କି ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଚରମ ଜାତୀୟତାବାଦକୁ ସମାଲୋଚନା କରିଆସିଥିବା ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର ସମୂହ ବି ଅନ୍ତର୍ମୁଖୀ ଚିନ୍ତାଧାରାକୁ ଆପଣେଇ ନେଇଛନ୍ତି ଏବଂ ଫଳତଃ, ପ୍ରତିଟି ସଦସ୍ୟ ରାଷ୍ଟ୍ର ନିଜେ ନିଜର ସୁରକ୍ଷା କରିବାରେ ଲାଗିପଡ଼ିଛନ୍ତି । ଦକ୍ଷିଣ ଏସିଆ କ୍ଷେତ୍ରୀୟ ସହଯୋଗିତା ସଙ୍ଗଠନ (SAARC), ଜି-20 ଏବଂ ଜି-7 ସଦସ୍ୟ ରାଷ୍ଟ୍ର ସମୂହ ମଧ୍ୟରେ ଆୟୋଜିତ ଅପାର୍ଥିବ ବା ଅନ୍ଲାଇନ୍ ବୈଠକରେ ମଧ୍ୟ ଏହି ଭୂତାଣୁର ସମ୍ମୀଳିତ ମୁକାବିଲା ପାଇଁ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ ହୋଇପାରିଲା ନାହିଁ ।
ବିଶ୍ବର କୋଣ ଅନୁକୋଣରେ ବସବାସ କରୁଥିବା ଏହାର ପ୍ରବାସୀ ନାଗରିକଙ୍କ ସାମ୍ରାଜ୍ୟରେ ସୂର୍ଯ୍ୟାସ୍ତ ହୁଏ ନାହିଁ ବୋଲି ଗର୍ବ କରିଆସୁଥିବା ଏକ ଦେଶକୁ, ଏବେ ଏହି ବିଶ୍ବବ୍ୟାପୀ ମହାମାରୀ ମନେ ପକାଇ ଦିଏ, ଅତୀତ ଶାସନ ସମୟର ଦୁଃଖକଷ୍ଟ ଏବଂ ଘଡ଼ିସନ୍ଧି ମୁହୂର୍ତ୍ତର କଥା ଏବଂ ନିଜସ୍ବ ଧନ, ଗୌରବ ଏବଂ ଦାୟିତ୍ବର ଭାର ତଳେ ଚାପି ହୋଇ ଖଣ୍ଡବିଖଣ୍ଡିତ ସାମ୍ରାଜ୍ୟର କଥା । ପ୍ରବାସୀ ଭାରତୀୟମାନେ ଅର୍ଥପ୍ରେରଣ, ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଜ୍ଞାଶକ୍ତିର ଏକ ଉତ୍ସ ହୋଇ ରହିଆସିଛନ୍ତି । ଯେବେଠାରୁ ଭାରତୀୟ ଅର୍ଥନୀତିରେ ଉଦାରୀକରଣ ଧାରା ପ୍ରଚଳିତ ହେଲା ଏବଂ ଏହା ଦ୍ରୁତ ଅଭିବୃଦ୍ଧି ହାସଲ କରିବାରେ ଲାଗିଲା, ସେବେଠାରୁ ବିକଶିତ ଦେଶଗୁଡ଼ିକରେ ରହୁଥିବା ଏକ ସମୃଦ୍ଧ ପ୍ରବାସୀ ବର୍ଗ ଏବଂ ଭାରତରୁ ଯାଇ ଉପସାଗରୀୟ ଅଞ୍ଚଳରେ କାର୍ଯ୍ୟରତ ବହୁସଂଖ୍ୟକ କର୍ମଚାରୀ ହିଁ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ପରିଗଣିତ ହୋଇ ଆସିଛନ୍ତି । ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ସ୍କଟ୍ଲ୍ୟାଣ୍ଡ ୟାର୍ଡ୍ ଭଳି ସୁପ୍ରସିଦ୍ଧ ସଂସ୍ଥାକୁ ଅକ୍ତିଆର କରି ଉପସାଗରୀୟ ଦେଶର ଧନୀକ ଗୋଷ୍ଠୀ ବ୍ରିଟିଶ ସାମ୍ରାଜ୍ୟକୁ ଶକ୍ତ ଧକ୍କା ଦେଇଥିଲେ । ବିଶ୍ବରେ 3 କୋଟି ପ୍ରବାସୀ ଭାରତୀୟଙ୍କ ମୋଟ ସଂପତ୍ତିର ପରିମାଣ ଭାରତର ମୋଟ ଘରୋଇ ଉତ୍ପାଦ ବା ଜିଡିପି ତୁଳନାରେ ଅଧିକ ବୋଲି ଆକଳନ କରାଯାଇଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତ ସେମାନଙ୍କ ସମର୍ଥନ ଉପରେ ନିର୍ଭର କରିପାରିବ ।
ପ୍ରବାସୀ ଭାରତୀୟମାନଙ୍କ ଅଭିବୃଦ୍ଧିର ଇତିହାସ ଉପରେ ନଜର ପକାଇଲେ ଜାଣିହେବ ଯେ ବିଭିନ୍ନ ସମୟରେ ଦେଶ ବାହାରକୁ ଛୁଟିଥିବା ଲୋକଙ୍କ ସ୍ରୋତ ଅଂଶଗଠିତ ଏବଂ ଅସ୍ଥାୟୀ ରୂପରେ ରହିଥିଲା । ସମୟ ସମୟରେ ବିଭିନ୍ନ ବିକଶିତ ଦେଶରେ ଯେଉଁ ସବୁ ପେସାଦାର ଲୋକଙ୍କ ଚାହିଦା ରହିଥିଲା, ସେମାନେ ଭଲ ଚାକିରି ଏବଂ ସମୃଦ୍ଧ ଜୀବନ ସନ୍ଧାନରେ ବ୍ୟକ୍ତିଗତ ଉଦ୍ୟମରେ ଭାରତରୁ ସେଠାକୁ ଯାଇଥିଲେ । ଗୋଟିଏ ସମୟରେ ଏହାକୁ ବ୍ରେନ୍ ଡ୍ରେନ୍ ବା ଦେଶରୁ ବୃଦ୍ଧିମତ୍ତାର ନିର୍ଗମନ ବୋଲି ବିଚାର କରାଯାଉଥିଲା, କିନ୍ତୁ ଏହା ବ୍ରେନ୍ ଗେନ୍ ବା ବୃଦ୍ଧିମତ୍ତା ଲାଭରେ ପରିଣତ ହେଲା । କାରଣ, ଭାରତରେ ପର୍ଯ୍ୟାପ୍ତ ବଳକା ପ୍ରଜ୍ଞାଶକ୍ତି ରହିଥିଲା । ଦେଶାନ୍ତର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାକୁ ବାଟ ଖୋଲିଗଲା ପରେ, ବିଭିନ୍ନ ଯାତ୍ରା କଟକଣା ସତ୍ତ୍ବେ ବହୁ ଭାରତୀୟ ବୃତ୍ତିଧାରୀ ସେଠାକୁ ଚାଲିଗଲେ ଏବଂ ଅପେକ୍ଷାକୃତ ସ୍ବଳ୍ପ ସମୟ ଭିତରେ ଅସୀମ ସମୃଦ୍ଧି ହାସଲ କଲେ । ପ୍ରଯୁକ୍ତି ବିଦ୍ୟାର ବିକାଶ ସହିତ ତାଳ ଦେଇ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତୀୟ ଲୋକଙ୍କ ସଂଖ୍ୟା ଦ୍ରୁତ ହାରରେ ବଢ଼ିବାରେ ଲାଗିଲା ଏବଂ ପ୍ରଯୁକ୍ତି ବିଦ୍ୟାରେ ଭାରତୀୟମାନଙ୍କର ଏକ ପ୍ରକାରର ଏକାଧିପତ୍ୟ ସ୍ଥାପିତ ହେଲା । ଏଥିରୁ ଗୋଟିଏ ହେଲେ ଦେଶାନ୍ତର କୌଣସି ଜାତୀୟ ନୀତିର ଅଂଶ ନଥିଲା ଏବଂ ସେମାନଙ୍କ ସଂପର୍କରେ ଭାରତରେ କୌଣସି ପରିସଂଖ୍ୟାନ ରଖା ଯାଉନଥିବା ବେଳେ ବିଦେଶରେ ସେମାନଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ଅଳ୍ପ କେତେକ ଭାରତୀୟ ନାଗରିକ ଭାରତୀୟ ଦୂତାବାସରେ ପଞ୍ଜୀକରଣ କରାଇଥିଲେ । କର୍ମୀମାନଙ୍କ ପାଇଁ ସୁଯୋଗ, ନିର୍ଦ୍ଦିଷ୍ଟ ଭାବେ ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ କର୍ମୀଙ୍କ ପାଇଁ ଉପସାଗରୀୟ ଅଞ୍ଚଳରେ ଉପୁଜିଥିବା ସୁଯୋଗ ମଧ୍ୟ ଯୋଜନାବିହୀନ ଏବଂ ଅପ୍ରତ୍ୟାଶିତ ଥିଲା । ବ୍ୟକ୍ତିଗତ ପ୍ରଚେଷ୍ଟା ଫଳରେ ଭାରତୀୟ କର୍ମଶକ୍ତି ଦ୍ରୁତ ହାରରେ ବଢ଼ିବାରେ ଲାଗିଲା ଏବଂ କେତେକ ନକଲି ଏଜେଣ୍ଟ ଭାରତୀୟ କର୍ମୀମାନଙ୍କୁ ଶୋଷଣ କରିବାରେ ଲାଗିଲେ । କିନ୍ତୁ ଅଧିକାଂଶ ପ୍ରବାସୀ ଉପସାଗରୀୟ ଅଞ୍ଚଳରେ ଏଠାର ତୁଳନାରେ ଅଧିକ ରୋଜଗାର କରିବା ଲାଗିଲେ ଏବଂ ଉପସାଗରୀୟ ଅଞ୍ଚଳକୁ କର୍ମୀମାନଙ୍କ ସୁଅ ଛୁଟିବାରେ ଲାଗିଲା । ଏହା ଫଳରେ ଭାରତକୁ ଅର୍ଥପ୍ରେରଣ ବଢ଼ିଲା ଏବଂ ଭାରତୀୟ ଅର୍ଥନୀତିର ରୂପ ବଦଳିବାରେ ଲାଗିଲା । ଦୀର୍ଘମିଆଦି ବିନିଯୋଗ ଯୋଜନା ଅଭାବରୁ ସେମାନଙ୍କ ଦ୍ବାରା ଅର୍ଜିତ ଅର୍ଥର ଅଧିକାଂଶ ଭାଗ, ଜମିବାଡ଼ି କିଣିବା ଓ କୋଠା ନିର୍ମାଣ ଭଳି ଅଣଉତ୍ପାଦକ ବ୍ୟୟରେ ନଷ୍ଟ ହେଲା । ଦେଶ ଛାଡ଼ି ଯାଇଥିବା କେତେକ ବ୍ୟକ୍ତି ପ୍ରଚୁର ପରିମାଣର ସଂପତ୍ତି ଅର୍ଜନ କଲେ ଏବଂ ଅଫିସ୍ କାର୍ଯ୍ୟ ଭଳି ସହଜ ଚାକିରି ବା ହ୍ବାଇଟ୍ କଲାର ଜବ୍ ମଧ୍ୟ ସୃଷ୍ଟି ହେଲା । ଉପସାଗରୀୟ ଅଞ୍ଚଳର ଏହି ସମୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଦୃଷ୍ଟି ଆକର୍ଷଣ କଲା ଏବଂ ସରକାର ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏକ ପାରସ୍ପରିକ ଲାଭଦାୟକ ସମ୍ପର୍କର ବିକଶିତ ହେଲା । କଠିନ ପରିଶ୍ରମ ଓ କର୍ମନିଷ୍ଠା ଯୋଗୁଁ ଭାରତୀୟମାନଙ୍କର ଖ୍ୟାତି ବଳରେ ଭାରତ ଓ ଉପସାଗରୀୟ ଦେଶ ସମୂହର ସରକାରଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ସାଧିତ ହେଲା ।
ପ୍ରବାସୀ ଭାରତୀୟମାନଙ୍କର ଆବଶ୍ୟକତା ପ୍ରତି ଭାରତ ସହୃଦୟତାର ସହ ଧ୍ୟାନ ଦେବାରେ ଲାଗିଲା ଏବଂ ଏହା ଫଳରେ ବିଦେଶରେ ଥିବା ଦୂତାବାସ, ବିଭିନ୍ନ ରାଜ୍ୟର ରାଜଧାନୀ ଏବଂ ଦିଲ୍ଲୀରେ ଏକ ସରକାରୀ ବ୍ୟବସ୍ଥା ସୃଷ୍ଟି ହେଲା ଏବଂ ଭାରତରେ ବାର୍ଷିକ ପ୍ରବାସୀ ଦିବସ ପାଳନ ସହିତ ପ୍ରବାସୀ ସମ୍ମାନ ପ୍ରଦାନ କରାଗଲା । ଏ କ୍ଷେତ୍ରରେ ମୁଣ୍ଡ ଟେକୁଥିବା ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହିତ ସରକାର ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ପାରସ୍ପରିକ ସମ୍ପର୍କ ପାରସ୍ପରିକ ସମ୍ମାନ ଏବଂ ସହଯୋଗର ଗାଥାରେ ରୂପାନ୍ତରିତ ହେଲା । ପ୍ରବାସୀ ଭାରତୀୟଙ୍କ ପାଇଁ ସରକାରୀ କାର୍ଯ୍ୟାନୁଷ୍ଠାନ ବିଭିନ୍ନ ଉପାୟରେ ଖୁବ୍ ସହାୟକ ପ୍ରମାଣିତ ହେଲା ଏବଂ ଧନୀ ପ୍ରବାସୀ ଭାରତୀୟମାନେ ଭାରତରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କଲେ । ବିଦେଶରେ ଭାରତୀୟ ସମାଜର ନେତାଙ୍କ ସହ ସୁସଂପର୍କ ସ୍ଥାପନ ଲାଗି ରାଜନୈତିକ ଦଳଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରିବାରେ ଲାଗିଲେ । ଏହା ବଦଳରେ ଏହି ନେତାମାନେ ରାଜନୈତିକ ଦଳକୁ ଅର୍ଥ ପ୍ରଦାନ କରିବା ସହିତ କେତେକ ସୁବିଧା ହାସଲ କଲେ । ଦେଶର ନିୟମାନୁସାରେ ଯେତେବେଳେ ବି କୌଣସି ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ଫେରିବା କଥା ଉଠିଲା, ସରକାର ସେଥିରେ ହସ୍ତକ୍ଷେପ କଲେ ଏବଂ ସେମାନଙ୍କୁ ସେଠାରେ ହିଁ ରଖିବା ପାଇଁ ଲାଗିଲେ କିମ୍ବା ଭାରତରେ ପୁନର୍ବାସ ଲାଗି ଅନୁଦାନ ଏବଂ ଋଣ ପ୍ରଦାନ କଲେ ।
ଅନ୍ୟ ଭାଷାରେ କହିଲେ, ଉପସାଗରୀୟ ଦେଶ ସମୂହରେ ରହୁଥିବା ଭାରତୀୟମାନେ ଭାରତର ବିକାଶ ଦିଗରେ ନିଜର ଯୋଗଦାନ ଦେଲେ ଏବଂ ବଦଳରେ ଏଠାରେ ସରକାର ଦେଉଥିବା ସୁବିଧା ସୁଯୋଗ ହାସଲ କଲେ । ବିଶ୍ବର କୌଣସି ଭାଗରେ ପ୍ରବାସୀ ଭାରତୀୟମାନେ ଅସୁବିଧାର ସମ୍ମୁଖୀନ ହେଲେ, ଭାରତ ସେମାନଙ୍କୁ ସହାୟତା ପ୍ରଦାନ କଲା । ଏହା ପୂର୍ବବର୍ତ୍ତୀ ବର୍ଷଗୁଡ଼ିକରେ ଭାରତ ଅବଲମ୍ବନ କରିଥିବା ନୀତି ବିପରୀତ ଥିଲା । କାରଣ, ସେତେବେଳେ ଆଭ୍ୟନ୍ତରୀଣ ଆଇନ ଯୋଗୁଁ ବର୍ମା, ୱେଷ୍ଟ ଇଣ୍ଡିଜ୍ର ଦେଶ ସମୂହ ଏବଂ ଉଗାଣ୍ଡା ଛାଡ଼ିବାକୁ ବାଧ୍ୟ ହୋଇଥିବା ଭାରତୀୟମାନଙ୍କୁ ଭାରତ ସରକାର କେବଳ ଥଇଥାନ କରିବାରେ ହିଁ କାମ ସାରିଦେଇଥିଲେ । ଫିଜିରେ ଭାରତୀୟମାନଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ହିଁ ଭାରତୀୟ ନୀତିରେ ଏହି ପରିବର୍ତ୍ତନ ହୋଇଥିଲା । ତତ୍କାଳୀନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧି 1988 ମସିହାରେ ଫିଜିର ସାମରିକ ସରକାରଙ୍କୁ ରାଜ୍ୟଗୋଷ୍ଠୀରୁ ବହିଷ୍କାର କରିଥିଲେ ।
ଏଭଳି ଏକ ସୁଖଦ ସ୍ଥିତିରେ ଅପ୍ରତ୍ୟାଶିତ ଭାବେ ପ୍ରବେଶ କରିଛି କୋଭିଡ୍-19 ଯାହା ସେକ୍ସପିୟରଙ୍କ ନାଟକର ଖଳନାୟକ ଭଳି ସବୁ କିଛି ଓଲଟପାଲଟ କରିଦେବ । ଏହା ସହିତ ନାଟକର ମୁଖ୍ୟ ଚରିତ୍ରମାନଙ୍କୁ ପରସ୍ପର ବିରୋଧରେ ମୁହାଁମୁହିଁ କରିଦେଇଛି । ସଂକ୍ଷେପରେ କହିବାକୁ ଗଲେ ପ୍ରବାସୀ ଭାରତୀୟମାନେ ସାରା ବିଶ୍ବରେ ରହିଥିବା କାରଣରୁ ପ୍ରାରମ୍ଭିକ ସଂକ୍ରମଣର ସୂତ୍ରପାତ ହୋଇଥିଲା । ସଂକ୍ରମଣର କେନ୍ଦ୍ରସ୍ଥଳ ଚୀନ୍ର ୱୁହାନରେ ରହୁଥିବା ଜଣେ ଭାରତୀୟ ଛାତ୍ରଙ୍କ ଜରିଆରେ କେରଳକୁ ପ୍ରଥମ ସଂକ୍ରମଣ ମାମଲା ଆସିଥିଲା ଏବଂ ପରେ ପରେ ଇଟାଲୀ, ସ୍ପେନ୍ ଏବଂ ଇରାନ୍ ଭଳି ଅପ୍ରତ୍ୟାଶିତ ସ୍ଥାନରେ ଭାରତୀୟମାନଙ୍କୁ ଚିହ୍ନଟ କରାଗଲା ଏବଂ ସେମାନେ ଯେତେ ଶୀଘ୍ର ସମ୍ଭବ ଭାରତକୁ ଆସିବାକୁ ବ୍ୟଗ୍ର ହୋଇ ଉଠିଥିଲେ । ଯଦି ସାରା ବିଶ୍ବରେ ବିମାନ ଚଳାଚଳ ସ୍ଥଗିତ ହୋଇଥାନ୍ତା ଏବଂ ବିମାନ ବନ୍ଦର ବନ୍ଦ କରି ଦିଆଯାଇଥିଲେ ଦେଶରେ ଭୂତାଣୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ହୋଇନଥାନ୍ତା । ଏପରିକ କି ବିଭିନ୍ନ କ୍ଷେତ୍ରରେ ଜରୁରୀକାଳୀନ ସ୍ଥିତି ଉପୁଜି ନ ଥାଆନ୍ତା । ତଥାପି ଭାରତ କେତେକ ଦେଶରୁ ଆମ ନାଗରିକମାନଙ୍କୁ ଫେରାଇ ଆଣିଛି, କିନ୍ତୁ, ଏବେ ବି ଭାରତର ସାମର୍ଥ୍ୟ ତୁଳନାରେ ବହୁ ଅଧିକ ଲୋକ ଫେରି ଆସିବାକୁ ଆଶା କରୁଛନ୍ତି ।
ସେମାନଙ୍କୁ ଦେଶକୁ ଫେରାଇ ଆଣିବା ଦିଗରେ ଭାରତର ଅକ୍ଷମତାକୁ ନେଇ ପ୍ରଭାବିତ ଭାରତୀୟମାନେ ଯେଉଁ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ତାହା ଆଦୌ ଶୁଭଙ୍କର ନୁହେଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ନିଜ ଇଚ୍ଛାରେ ସମ୍ପକ୍ତ ଦେଶଗୁଡ଼ିକୁ ଯାଇଥିଲେ ଏବଂ ସେମାନେ ଏଭଳି ସଙ୍କଟର ସମ୍ମୁଖୀନ ହେବେ ବୋଲି କେହି ଆଶା କରୁ ନଥିଲେ । ଏହି ଅପ୍ରତ୍ୟାଶିତ ସଙ୍କଟର ମୁକାବିଲା ଲାଗି ଭାରତକୁ ସମୟ ଲାଗିଥିଲା । କିନ୍ତୁ ଯଦି ବର୍ତ୍ତମାନର ଲକ୍ଡାଉନ୍ ପରେ ବି ଏହି ଭୂତାଣୁ ସଂକ୍ରମଣ ଜାରି ରହେ ତେବେ ଆମ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବାର ଚାପ ଏକ ଦୁରୂହ ବ୍ୟାପାର ରୂପରେ ଉଭା ହେବ । ମଧ୍ୟ ପ୍ରାଚ୍ୟ ଦେଶରୁ ଏବଂ ପରିସ୍ଥିତି ବିଷମ ରୂପ ଧାରଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାରୁ ସେମାନଙ୍କୁ ଦେଶକୁ ଫେରାଇ ଆଣିବା ଖୁବ୍ କଷ୍ଟକର ହୋଇପଡ଼ିବ । ଯଦି ବିଶ୍ବର ସମସ୍ତ କୋଣରୁ ଭାରତୀୟମାନେ ଭାରତକୁ ଫେରିଆସନ୍ତି ତେବେ ଯେଉଁ ସଙ୍କଟ ଉତ୍ପନ୍ନ ହେବ, ସେ କଥା ଭାବିଲେ ଦେହ ଶୀତେଇ ଉଠେ ।