ଏ ବର୍ଷର ଆନ୍ତର୍ଜାତିକ ଦାରିଦ୍ର୍ୟ ଦୂରୀକରଣ ଦିବସର ଥିମ୍ ଥିଲା ‘ସମସ୍ତଙ୍କ ପାଇଁ ସାମାଜିକ ଓ ପରିବେଶ ନ୍ୟାୟ’। ବହୁମୁଖୀ ଦାରିଦ୍ର୍ୟତା ପ୍ରତି ବଢିଚାଲିଥିବା ସ୍ବୀକୃତିର ଅର୍ଥ ହେଲା ଯେ, ଏହି ଦୁଇ ପ୍ରସଙ୍ଗ ଅଙ୍ଗାଙ୍ଗୀ ଭାବେ ଜଡିତ । ଜଳବାୟୁ ପରିବର୍ତ୍ତନ ଓ ପରିବେଶଗତ ଆହ୍ବାନର ଆକ୍ରମଣାତ୍ମକ ମୁକାବିଲା ବିନା ସାମାଜିକ ନ୍ୟାୟର ଲକ୍ଷ୍ୟ ହାସଲ ହେବ ନାହିଁ । ଆୟଗତ ଦାରିଦ୍ର୍ୟ ସମସ୍ୟାର ସମାଧାନ ଦିଗରେ ଉନ୍ନତି ହୋଇଥିଲେ ମଧ୍ୟ ଦାରିଦ୍ର୍ୟର ଅନ୍ୟ ଗୁରୁତ୍ବପୂର୍ଣ୍ଣ ପରିମାପକରେ ସେତେଟା ସଫଳତା ପରିଲକ୍ଷିତ ହୋଇନାହିଁ । ସାମଗ୍ରିକ ଦୃଷ୍ଟିକୋଣରୁ ଦାରିଦ୍ର୍ୟତା ଉପରେ ପରିବେଶଗତ ପ୍ରଭାବ ନେଇ ସମସ୍ୟା ରହିଛି ।
ବିଶ୍ବର ଅନେକ ଅଞ୍ଚଳରେ କ୍ଷୁଧା ସମସ୍ୟା ଏବେ ବି ରହିଛି । ଏହା ଆଉ ଏକ ବଡ ଆହ୍ବାନ, ଯାହା କି ବିଶ୍ବକୁ ଧ୍ୟାନ ଦେବାକୁ ପଡିବ । କ୍ଷୁଧା ବିରୋଧରେ ସଂଗ୍ରାମ ଓ ବିଶ୍ବରେ ସଂଘର୍ଷ ପ୍ରଭାବିତ ଅଞ୍ଚଳର ସ୍ଥିତିରେ ସୁଧାର ଆଣି ଶାନ୍ତି ପାଇଁ ବାତାବରଣ ସୃଷ୍ଟି କରିବା ଉଦ୍ୟମ ଯୋଗୁଁ ନୋବେଲ କମିଟି ଯଥାର୍ଥ ଭାବେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ-ଡବ୍ଲୁଏଫପିକୁ ଶାନ୍ତି ପୁରସ୍କାର ଦେଇଛି । ୨୦୧୯ରେ ଡବ୍ଲୁଏଫପି ୮୮ଟି ଦେଶରେ ୧୦୦ ମିଲିଅନ ଲୋକଙ୍କୁ ଖାଦ୍ୟ ସହାୟତା ଯୋଗାଇଥିଲା ।
କୋଭିଡ-୧୯ ମହାମାରୀର ବିନାଶକାରୀ ପ୍ରଭାବ ଯୋଗୁଁ ଏ ବର୍ଷ ଦାରିଦ୍ର୍ୟ ପ୍ରସଙ୍ଗ ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ କୋଭିଡ ପ୍ରକୋପର ପ୍ରଭାବ କର୍ମନିଯୁକ୍ତି ଓ ଦାରିଦ୍ର୍ୟ ଦୂରୀକରଣ ଅଭିଯାନ ଉପରେ ପଡିଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି । ଏଥିସହ ବେରୋଜଗାରୀ ମଧ୍ୟ ବଢିବା ନେଇ ବି ଅନୁମାନ କରାଯାଇଛି । ଏଥିଯୋଗୁଁ ଅସଂଗଠିତ ଶ୍ରମିକମାନେ ଦାରିଦ୍ର୍ୟତା ମଧ୍ୟକୁ ଠେଲି ହୋଇଯିବେ । ହେଲସିଙ୍କିର ୟୁଏନ-ଡବ୍ଲୁଆଇଡିଇଆର୍ ବିଶ୍ବବିଦ୍ୟାଳୟର ଏକ ରିପୋର୍ଟ ଅନୁସାରେ ମୁଣ୍ଡ ପିଛା ଆୟ ୧୦ ପ୍ରତିଶତ ହ୍ରାସ ପାଇଛି ।
ବିଶ୍ବସ୍ତରରେ କୋଭିଡ-୧୯ ଯୋଗୁଁ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ପ୍ରକୃତ ଆହ୍ବାନ ସୃଷ୍ଟି କରିଛି । ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣ ପାଇଁ ଜାତିସଂଘ ଲକ୍ଷ୍ୟ ରଖିଥିଲେ ମଧ୍ୟ କୋରୋନା ଯୋଗୁଁ ଏହା ସମ୍ଭବ ହୋଇ ନ ପାରେ । ଦିନକୁ ୧ ଦଶମିକ ୯ ଆମେରିକୀୟ ଡଲାର ଓ ୩ ଦଶମିକ ୨ ଆମେରିକୀୟ ଡଲାର ଆୟ କରୁଥିବା ଲୋକଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇପାରେ । ଏହି ବର୍ଗର ଲୋକଙ୍କୁ ସମ୍ଭବତଃ ନୂଆ ଦାରିଦ୍ର୍ୟ ସୀମା ରେଖା ତଳେ ଅନ୍ତର୍ଭୁକ୍ତ କରାଯାଇପାରେ । ବିଶ୍ବର ଅତି ଗରିବ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିବ । ବିଶେଷ କରି ସବ୍ ସାହାରା ଆଫ୍ରିକା ଓ ଦକ୍ଷିଣ ଏସିଆରେ ଏହି ସ୍ଥିତି ଦେଖିବାକୁ ମିଳିବ । ବିଶ୍ବର ଏହି ଦୁଇ ଅଞ୍ଚଳରେ ସମଗ୍ର ଗରିବ ଲୋକଙ୍କ ସଂଖ୍ୟାର ୮୦ରୁ ୮୫ ପ୍ରତିଶତ ବାସ କରନ୍ତି । ଯଦି ଆମେ ଦିନକୁ ୩ ଦଶମିକ ୨ ଆମେରିକୀୟ ଡଲାର ଆୟ ଦୃଷ୍ଟିରୁ ବିଚାର କରିବା, ତାହା ହେଲେ ଦକ୍ଷିଣ ଏସିଆରେ ଦରିଦ୍ର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ । ୨୦୧୮ରେ ଏହି ଲୋକଙ୍କ ସଂଖ୍ୟା ୮୪୭ ମିଲିଅନ ଥିଲା । ଏ ବର୍ଷ ତାହା ବୃଦ୍ଧି ପାଇ ୯୧୫ ମିଲିଅନ ହେବା ସମ୍ଭାବନା ରହିଛି ।
ନିକଟରେ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏ ବର୍ଷ ଅତିରିକ୍ତ ୮୮ ରୁ ୧୧୫ ମିଲିଅନ ଲୋକ ଅତି ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବେ । ଆଉ ୨୦୨୧ ସୁଦ୍ଧା ମୋଟ ଦରିଦ୍ରଙ୍କ ସଂଖ୍ୟା ୧୫୦ ମିଲିଅନ ହୋଇପାରେ । ଅବଶ୍ୟ ଅର୍ଥନୈତିକ ସଙ୍କୋଚନର ତୀବ୍ରତା ଉପରେ ଏହା ନିର୍ଭର କରେ । ପ୍ରାୟ ୨୫ ବର୍ଷ ଧରି ବିଶ୍ବରେ ଅତି ଦରିଦ୍ର ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । ବର୍ତ୍ତମାନ କିଛି ଦଶକ ପରେ ଦାରିଦ୍ର୍ୟତା ଦୂର କରିବା ପାଇଁ ହେଉଥିବା ଉଦ୍ୟମକୁ ଶକ୍ତ ଧକକା ଲାଗିଛି । କୋଭିଡ-୧୯ ମହାମାରୀ, ସଂଘର୍ଷ ଓ ଜଳବାୟୁ ପରିବର୍ତ୍ତନ ପରି ବଡ ବଡ ଆହ୍ବାନ ଯୋଗୁଁ ଦାରିଦ୍ର୍ୟ ଦୂରୀକରଣ ଅଭିଯାନକୁ ଧକ୍କା ଲାଗିଛି । ସବୁ ଦେଶ ଏସବୁ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ବହୁସଂଖ୍ୟାରେ ଗରିବ ଲୋକ ଥିବା ଦେଶଗୁଡିକ ଏଥିପ୍ରତି ବିଷମ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ବିଶ୍ବରେ ଗରିବୀ ଚିହ୍ନଟ ପାଇଁ ବିଶ୍ବବ୍ୟାଙ୍କ ନିୟମିତ ଭାବେ ଉଦ୍ୟମ ଆରମ୍ଭ କରିବା ପରଠାରୁ ଅତି ଦରିଦ୍ର ଲୋକଙ୍କ ସଂଖ୍ୟାରେ ବଡ ଧରଣର ବୃଦ୍ଧି ଘଟିବା ଅନୁମାନ କରାଯାଉଛି । ଦାରିଦ୍ର୍ୟ ଦୂରୀକରଣ ପାଇଁ କୋଭିଡ-୧୯ ନୂଆ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ସଂଘର୍ଷ,ବିବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ବର ଅଧିକାଂଶ ଦେଶ ପାଇଁ ଗତ କିଛି ବର୍ଷ ଧରି ବଡ ଆହ୍ବାନ ହୋଇ ରହିଆସିଛି ।
ବସ୍ତିଗୁଡିକରେ କୋରୋନା ଭାଇରସ ନିୟନ୍ତ୍ରଣ ପାଇଁ ମୁମ୍ବାଇ ମହାନଗରୀକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିଛି । ଧରାବୀ ବସ୍ତିରେ କୋରୋନା ଭାଇରସର ଦ୍ରୁତ ବିସ୍ତାର ରୋକିବା ପାଇଁ ମୁମ୍ବାଇ ମହାନଗରୀ ଅଧିକାରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବିଶ୍ବବ୍ୟାଙ୍କ କହିଛି । ପ୍ରଭାବଶାଳୀ ରଣନୀତି ଗୋଷ୍ଠୀ ସଦସ୍ୟଙ୍କ ଦକ୍ଷତା ଓ ଉତ୍ସର୍ଗୀକୃତ ମନୋଭାବ ସାମନାକୁ ଆଣିପାରିଛି ବୋଲି ବିଶ୍ବବ୍ୟାଙ୍କ କହିଛି । ଗୋଷ୍ଠୀ ସହଭାଗିତା ଓ ଘରୋଇ ମେଡିକାଲ କ୍ଲିନିକର ସଦସ୍ୟଙ୍କୁ ଏକ ସୁଚିନ୍ତିତ ରଣନୀତ ସ୍ବରୂପ ଜ୍ବର ଓ ଅକ୍ସିଜେନ୍ ସ୍ତରର ମାସ୍ ସ୍କ୍ରିନିଂ ପାଇଁ ନିୟୋଜିତ କରାଯାଇଥିଲା ।
ଭାରତରେ ଦାରିଦ୍ର୍ୟତାର ପ୍ରଭାବ ଅତ୍ୟଧିକ ରହିଛି । ଅର୍ଥନୈତିକ ଝଟକା ଭାରତ ପାଇଁ ତୀବ୍ର ରହିଛି । ପ୍ରଥମତଃ କୋଭିଡ-୧୯ ପୂର୍ବରୁ ହିଁ ଭାରତର ଅର୍ଥନୀତି ମାନ୍ଦା ହୋଇଯାଇଥିଲା । ଫଳରେ ବେରୋଜଗାରୀ, କମ୍ ଆୟ, ଗ୍ରାମୀଣ ସଂକଟ, କୁପୋଷଣ ଓ ବ୍ୟାପକ ଅସମାନତାର ସମସ୍ୟା ଆହୁରୀ ଘନୀଭୂତ ହୋଇଥିଲା । ଦ୍ବିତୀୟତଃ ଭାରତର ବୃହତ ଅଣଆନୁଷ୍ଠାନିକ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି । ୨୦୧୭-୧୮ରେ ଜାତୀୟ ସ୍ତରରେ ୪୬୫ ମିଲିଅନ ଶ୍ରମିକଙ୍କ ମଧ୍ୟରୁ ୯୧ ପ୍ରତିଶତ (୪୨୨ ମିଲିଅନ ) ଶ୍ରମିକ ଅଣଆନୁଷ୍ଠାନିକ କ୍ଷେତ୍ରରେ କାମ କରୁଥିଲେ । ସେମାନଙ୍କର କୌଣସି ନିୟମିତ ଦରମା ନାହିଁ କି ଆୟ ନାହିଁ । କୋଭିଡ-୧୯ ମହାମାରୀ ନିୟନ୍ତ୍ରଣ ପାଇଁ ଜାରି ହୋଇଥିବା ଲକଡାଉନରେ ଏହି ଶ୍ରେଣୀର ଶ୍ରମିକମାନେ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ । ସେମାନଙ୍କର ଜୀବିକା ବୁଡିଯାଇଥିଲା ।
ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି –ସିଏମଆଇଇର ହିସାବ ଅନୁସାରେ ବେକାରୀ ହାର ୮ ଦଶମିକ ୪ ପ୍ରତିଶତରୁ ୨୭ ପ୍ରତିଶତ ବୃଦ୍ଧି ପାଇଛି । ୧୨୨ ମିଲିଅନ ଲୋକ କର୍ମନିଯୁକ୍ତି ହରାଇଛନ୍ତି । ଏଥିରୁ କ୍ଷୁଦ୍ର ବ୍ୟବସାୟୀ ଓ କାଜୁଆଲ ଶ୍ରମିକମାନଙ୍କ ସଂଖ୍ୟା ୯୧ ମିଲିଅନ ହେବ । ଆଇଏଲଓର ଏକ ରିପୋର୍ଟ ଅନୁସାରେ ଭାରତର ୪ ଶହ ମିଲିଅନ ଅଣଆନୁଷ୍ଠାନିକ ଶ୍ରମିକ ମହାମାରୀ ସଙ୍କଟ ସମୟରେ ଅତି ଦାରିଦ୍ର୍ୟତା ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି । ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନ ଅନୁସାରେ କୋଭିଡ-୧୯ ମହାମାରୀ ବ୍ୟାପିବାର ମାତ୍ର କିଛି ମାସ ମଧ୍ୟରେ ୭୭ ପ୍ରତିଶତ ପରିବାରଙ୍କ ପାଖରେ ପୂର୍ବାପେକ୍ଷା ବହୁ କମ ଖାଦ୍ୟ ରହିଥିଲା ।
କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ବିଶେଷଜ୍ଞଙ୍କ ମତରେ, ଜିଡିପି ପ୍ୟାକେଜର ୧୦ ପ୍ରତିଶତ ମଧ୍ୟରୁ ଆର୍ଥିକ ପ୍ରୋତ୍ସାହନ ଜିଡିପିର ମାତ୍ର ୧ ପ୍ରତିଶତରୁ ୨ ପ୍ରତିଶତ । ସଙ୍କଟର ଅଦ୍ଭୂତପୂର୍ବ ପ୍ରଭାବ ଦୃଷ୍ଟିରୁ ଗରିବଙ୍କ ପାଇଁ ଆର୍ଥିକ ସହାୟତା ପରିମାଣ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ଦରକାର ଥିଲା । କିନ୍ତୁ ସମସ୍ୟା ତୁଳନାରେ ଆର୍ଥିକ ପ୍ରୋତ୍ସାହନ ବା ରିଲିଫ୍ ଯଥେଷ୍ଟ ହୋଇନାହିଁ ।