ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୀମା ସୁରକ୍ଷାରେ ନିୟୋଜିତ ଯବାନଙ୍କ ଉଦ୍ଦେଶ୍ୟରେ ନିଜର ମତ ରଖିଛନ୍ତି । "ଦେଶକୁ ବର୍ତ୍ତମାନ ବୁଲେଟ୍ ଟ୍ରେନର ଆବଶ୍ୟକତା ନାହିଁ ବରଂ ଯବାନଙ୍କୁ ବୁଲେଟ୍ପ୍ରୁଫ୍ ଜ୍ୟାକେଟର ଆବଶ୍ୟକତା ରହିଛି " ବୋଲି ସେ କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ର ସରକରାଙ୍କ ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି ଅଖିଳେଶ। କେନ୍ଦ୍ରୀୟ ନେତୃତ୍ୱ ବୁଲେଟ୍ ଟ୍ରେନ ଉପରେ ଅଧିକ ଦୃଷ୍ଟିଦେବା ଛାଡ଼ି କିଭଳି ଯବାନଙ୍କୁ ବୁଲେଟ୍ପ୍ରୁଫ୍ ଜ୍ୟାକେଟ ଯୋଗାଇ ଦିଆଯିବ ଏ ବାବଦରେ ପ୍ରାଥମିକତା ଦେବାକୁ ସେ ଜଣାଇଛନ୍ତି।
'ଦେଶକୁ ବୁଲେଟ୍ ଟ୍ରେନ ଦରକାର ନାହିଁ, ଯବାନଙ୍କୁ ବୁଲେଟ୍ପ୍ରୁଫ୍ ଜ୍ୟାକେଟ ଦରକାର' - bullet train
ପୁଲୱାମା ଆକ୍ରମଣ ପରେ ଅଖିଳେଶ ଯାଦବଙ୍କ ବୟାନ। "ଦେଶକୁ ବୁଲେଟ ଟ୍ରେନ ଦରକାର ନାହିଁ, ଯବାନଙ୍କୁ ବୁଲେଟ ପ୍ରୁଫ୍ ଜ୍ୟାକେଟର ଦରକାର ଅଛି। "
ଏହି ଅବସରରେ ଦେଶର ଗୁଇନ୍ଧ ବିଭାଗର ପାରିବାରପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟି ମୁଖିଆ । ସୀମା ସୁରକ୍ଷା କ୍ଷେତ୍ରରେ ଏକ ଦୀର୍ଘସ୍ଥାୟୀ ନୀତି ଆପଣେଇବାକୁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ନିକଟରେ ପୁଲୱାମା ଠାରେ 46 ଜଣ ଯବାନ ଶହୀଦ ହେବା ଏକ ଅପୂରଣୀୟ କ୍ଷତି। ଏହା ଆଦୌ ଭରଣାଯୋଗ୍ୟ ନୁହେଁ। ଏଣୁ କେନ୍ଦ୍ର ସରକାର କିଛି କରିବା ଦରକାର ବୋଲି କହିଛନ୍ତି ଅଖିଳେଶ ।
ସୂଚନାଯୋଗ୍ୟ, ପୁଲୱାମା ଏବଂ ଉରି ଆକ୍ରମଣର ତଦନ୍ତ ଲାଗି ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଖଲ ହୋଇଛି। ଏଥିପାଇଁ ଜଣେ ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଶନ ଗଠନ କରାଯିବାକୁ ପିଟିସନରେ ଉଲ୍ଲେଖ କରାଯାଇଛି । ସେଥିରେ ସେନା, ଗୁଇନ୍ଦା ବିଭାଗ ଏବଂ ସ୍ଥାନୀୟ ପ୍ରଶାସନକୁ ସାମିଲ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।