ମୁମ୍ବାଇ: ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । କିଏ ଟ୍ରେନରେ ତ କିଏ ବସରେ ତ କିଏ ବିମାନରେ । ଆଉ ଅନେକ ଏହି ସବୁ ସୁବିଧା ନପାଇ ଡହଡହ ଖରାରେ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଛନ୍ତି । ହେଲେ ତିନି ଜଣ ଶ୍ରମିକ ମୁମ୍ବାଇରୁ କୋଲକାତା ଫେରିବାକୁ ବିମାନ ଭଡା ପାଇଁ ନିଜ ଛେଳି ଓ ସୁନା ମୁଦି ବିକିଥିବା ଖବର ସାମନାକୁ ଆସିଛି ।
ସୂଚନାନୁଯାୟୀ, ଏବେ ବିମାନ ଭଡା ପୂର୍ବ ଅପେକ୍ଷା ଅଧିକ ରହିଛି । ସେପଟେ କେହି କେହି ଟିକଟ କିଣିବାକୁ ସମର୍ଥ ଥିବା ବେଳେ ଅନେକ ବହୁ କଷ୍ଟରେ ଟିକଟ ପାଇଁ ଟଙ୍କା ଯୋଗାଡ କରୁଛନ୍ତି । ସେପଟେ ତିନି ଶ୍ରମିକ ଛେଳି ଓ ସୁନା ମୁଦି ବିକି ବିମାନରେ କୋଲକାତା ଯିବା ପାଇଁ ଟିକଟ କରିଥିଲେ । କିନ୍ତୁ ଟିକେଟ ବାତିଲ ହୋଇଯିବାରୁ ସେମାନେ ହତାଶ ହୋଇପଡିଛନ୍ତି ।
ମୁର୍ସିଦାବାଦ ନିକଟସ୍ଥ ତିନୋଟି ଗ୍ରାମରୁ ଆସିଥିବା ସୋନା ମଲ୍ଲିକ, ରହୀମା ଖାଟୁମ୍ ଏବଂ ଫରିଦ ମଲ୍ଲିକ ଗତ ଦଶନ୍ଧି ମଧ୍ୟରେ ମୁମ୍ବାଇରେ ବିଭିନ୍ନ କାର୍ଯ୍ୟ କରିଆସୁଛନ୍ତି । 2000 ଟଙ୍କା ଦେଇ ସେମାନେ ବିମାନବନ୍ଦରରେ ପହଞ୍ଚିଥିଲେ । ପରେ ଜାଣିବାକୁ ପାଇଲେ ଯେ ବିମାନଟି ଭଡାଣ ଭରିବ ନାହିଁ ।
ତେବେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ଇଣ୍ଡିଗୋ ସେମାନଙ୍କୁ ଅନ୍ୟ ବିମାନରେ ଯିବା ପାଇଁ ପ୍ରସ୍ତାବ ଦେଇଥିଲା । ଇଣ୍ଡିଗୋ ଟ୍ବିଟ କରିକହିଥିଲା ଯେ କୋଲକାତା ଯିବା ପାଇଁ ସେହି ତିନି ଶ୍ରମିକଙ୍କୁ ପ୍ରସ୍ତାବ ଦେଇଥିଲୁ । କିନ୍ତୁ ପଶ୍ଚିମବଙ୍ଗ ସରକାର ମେ 28 ପରେ ବିମାନ ଭଡାଣ ପାଇଁ ଅନୁମତି ଦେଇଛନ୍ତି । ଫଳରେ ମେ 28ରେ ପ୍ରଥମ ବିମାନରେ ତାଙ୍କ ଯିବା ପାଇଁ କୌଣସି ଅଧିକ ଭଡା ବିନା ବ୍ୟବସ୍ଥା କରାଯିବ । କିନ୍ତୁ ସେମାନେ ଏବେ ମେ 28 ପରିବର୍ତ୍ତେ ଜୁନ 1 ରେ ଯିବାକୁ ଚାହୁଁଛନ୍ତି ଫଳରେ ତାଙ୍କ ପାଇଁ ଇଣ୍ଡିଗୋ ସମସ୍ତ ବ୍ୟବସ୍ଥା କରିବ ବୋଲି କୁହାଯାଇଛି ।
ଏଠାରେ ସୂଚନା ଥାଉ ଯେ, ତିନି ଶ୍ରମିକ ମଧ୍ୟରୁ ସୋନା ମଲ୍ଲିକ ସମ୍ବାଦଦାତାକୁ କହିଥିଲେ ଯେ ଟ୍ରେନରେ ଯିବା ପାଇଁ ବହୁବାର ଚେଷ୍ଟା କରିଥିଲୁ । କିନ୍ତୁ ବିଫଳ ହେବାରୁ ଯେବେ ଜାଣିଲୁ ବିମାନ ସେବା ଆରମ୍ଭ ହେବ ବିମାନ ଟିକଟ ପାଇଁ ଚେଷ୍ଟା କରିଥିଲୁ । ମୋ ସ୍ତ୍ରୀ ମୁର୍ଶିଦାବାଦରେ ତିନୋଟି ଛେଳି ବିକିଥିଲେ ଯେଉଁଥିରୁ 9,600 ଟଙ୍କା ମିଳିଥିଲା । ଆଉ କିଛି ଜଣଙ୍କ ଠାରୁ 1000 ଟଙ୍କା ଉଦ୍ଧାର ଆଣିଥିଲେ ଏହାପରେ ମୁଁ ସେହି ଟଙ୍କାରେ ଟିକଟ କରିଥିଲି ବୋଲି ସେ କହିଥିଲେ । ସେହିପରି ଫରିଦ ମଲ୍ଲିକ ଓ ରହୀମା ଖାତୁମ୍ ସୁନା ମୁଦି ଓ ଉଦ୍ଧାର ଆଣି ଟିକଟ କରିଥିଲେ । ଟିକିଟ କ୍ୟାନସେଲ ହେବା ପରେ ସେମାନେ ପୁରା ଭାଙ୍ଗି ପଡିଥିବାବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।