ଭୋପାଳ: ଚୀନ, ଇରାନ, ଇଟାଲୀ ଓ ଆମେରିକା ରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଏବେ ଆମଦେଶରେ ମଧ୍ୟ ବ୍ୟାପିବାରେ ଲାଗିଛି । ଦେଶରେ କେରଳରୁ ଚିହ୍ନଟ ହୋଇଥିବା କୋରୋନା ପ୍ରଥମେ ପ୍ରଥମେ ନିୟନ୍ତ୍ରଣରେ ଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଚିନ୍ତା ଜନକ ହୋଇପଡିଛି । କୋରୋନା ଆକ୍ରାନ୍ତ 2 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିସାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ବ ମହାମାରୀ ଘୋଷଣା କରିସାରିଛି । ଏତିକି ବେଳେ ଭାରତ ସରକାର ମଧ୍ୟ ଏହାକୁ ଜାତୀୟ ବିପତ୍ତି ଶ୍ରେଣୀରେ ରଖିଛନ୍ତି । ଯଦ୍ବାରା କୋରୋନା ମୁକାବିଲା ପାଇଁ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଯୋରଦାର ହୋଇଛି । କିନ୍ତୁ ଚିନ୍ତା ଜନକ ସ୍ଥିତି ହେଉଛି ଦେଶରେ ଜାତୀୟ ବିପତ୍ତି ଉତ୍ପନ୍ନ ହେବା ସ୍ଥିତିରେ ଥିବାବେଳେ ରାଜନୈତିକ କ୍ଷମତା ଲଢେଇ ମଧ୍ୟ ଚରମ ସୀମାରେ ପହଞ୍ଚିଛି ।
ଗୋଟିଏ ପଟେ କୋରୋନାକୁ ନେଇ ଉତ୍ପତି ସ୍ଥଳ ଚୀନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ଭାଇରସ ଭାରତକୁ 30 ଜାନୁୟାରୀରେ କେରଳ ଦେଇ ପ୍ରବେଶ କରିଛି । 3ଜଣଙ୍କ ଆକ୍ରାନ୍ତ ପରେ କେରଳ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ । କେରଳ ସରକାରଙ୍କ ଏହି ପଦକ୍ଷେପ କେତେ ସମ୍ବେଦନଶୀଳ ଥିଲା ତାହା ସ୍ପଷ୍ଟ ହେଉଛି । ହେଲେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇପଡିଛି । ଆଜି (ରବିବାର) ପର୍ଯ୍ୟନ୍ତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 111 ରେ ପହଞ୍ଚିଛି । ଫଳରେ ସତର୍କତା ସ୍ବରୂପ କେତେକ ରାଜ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ମଲ, ରେଷ୍ଟୁରାଣ୍ଟ, ସିନେମା ହଲ, ଭଳି ଜନସାଧାରଣ ସ୍ଥାନ ଉପରେ କଟକଣା ଜାରି ହୋଇଛି । ଲୋକଙ୍କୁ ଅଧିକରୁ ଅଧିକ ଏକାଠି ନହେବା ପାଇଁ ସରକାର ପରାମର୍ଶ ଦେଉଛନ୍ତି । ତମାମ ପଦକ୍ଷେପ ସତ୍ବେ ଦେଶରେ ରାଜନୈତିକ କ୍ଷମତା ଦଖଲ ପାଇଁ ରାଜନୈତିକ ଦଳ କୌଣସି ସୁଯୋଗ ଛାଡୁ ନାହାଁନ୍ତି । ସରକାରଙ୍କ ସମସ୍ତ କଟକଣା କୁ ଫୁ’ କରି ରାଜନେତା କ୍ଷମତା ପାଇଁ ସବୁକୁ ଯେମିତି ଭୁଲି ଯାଇଛନ୍ତି ।
କେଜ୍ରିୱାଲ ସରକାରଙ୍କ ସ୍ବତନ୍ତ୍ର ଅଧିବେଶନ
ଦିଲ୍ଲୀରେ ଜଣେ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇସାରିଛି । କିନ୍ତୁ କେଜ୍ରିୱାଲ ସରକାର ଏଥିରୁ ନଜର ହଟାଇ ଏନପିଆର ଓ ଏନଆରସି ଉପରେ ଚର୍ଚ୍ଚା ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହାସହ ଏହା ବିରୋଧରେ ପ୍ରସ୍ତାବ ମଧ୍ୟ ପାରିତ କରିଛନ୍ତି । ଯେଉଁଥିରେ ଦଳର ସମସ୍ତ ବିଧାୟକ ସାମିଲ ହୋଇଛନ୍ତି ।
ସିନ୍ଧିଆଙ୍କ ଭବ୍ୟ ରୋଡଶୋ
ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଗୈରିକ ବସ୍ତ୍ର ଧାରଣ କରିବା ପରେ ସିନ୍ଧିଆ ଦିଲ୍ଲୀରୁ ଭୋପାଳ ଆସିଛନ୍ତି । ବିଜେପିରେ ଯୋଗଦେବା ପରେ ସିନ୍ଧିଆଙ୍କୁ ସ୍ବାଗତ ପାଇଁ ବିମାନ ବନ୍ଦରରୁ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଜକୀୟ ରୋଡଶୋ ରେ ସିନ୍ଧିଆଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଯେଉଁଥିରେ ହଜାର ହଜାର ନେତା ଜନତା ସାମିଲ ହୋଇଥିଲେ । ସେହିପରି ଉଭୟ ଦଳ ନିଜ ନିଜ ବିଧାୟକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି । ଯାହା କୋରୋନା ସତର୍କତାକୁ ଆଖିଠାର ମାଡିଛି ।