ହାଇଦ୍ରାବାଦ: ସମୟ ସହିତ କୋରୋନା ଜୀବାଣୁ ମଧ୍ୟ ଶକ୍ତିଶାଳୀ ହେଉଛନ୍ତି । ଯେଉଁ କାରଣରୁ ଏହାର ଆଶଙ୍କା ବଢିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢିବାରେ ଲାଗିଛି ତାହା ଚିନ୍ତା ବଢାଇବା ସ୍ବାଭାବିକ । ତେବେ ବର୍ତ୍ତମାନ ଭାରତରେ କୋରୋନା ମାମଲା 3 ଲକ୍ଷ ଅତିକ୍ରମ କରିଛି ।
ରିପୋର୍ଟ ଅନୁସାରେ, ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ସେହିପରି କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ରହିଛି । ଯାହା ଏକ ଆଶ୍ବସ୍ତିକର ଖବର ନିଶ୍ଚୟ । ମାତ୍ର ନିକଟରେ ହୋଇଥିବା ଏକ ଗବେଷଣା ଏହା ଦର୍ଶାଯାଇଛି ଯେ କୋରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ନିକଟରେ ମଧୁମେହ ହେବାର ଆଶଙ୍କା ଦେଖାଦେଇଛି ।
ଗବେଷଣା ଅନୁଯାୟୀ, ମଧୁମେହ ଏବଂ କୋଭିଡ 19 ମଧ୍ୟରେ ଏକ ଗଭୀର ସଂଯୋଗ ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଇଥିଲା ଯେ ମଧୁମେହ ରୋଗୀଙ୍କଠାରେ କୋରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହଛି ମାତ୍ର ବର୍ତ୍ତମାନ ଏହି ଗବେଷଣାରୁ ଏହା ସ୍ପଷ୍ଟ ଜଣାପଡିଛି ଯେ କୋରୋନାରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କର ମଧ୍ୟ ମଧୁମେହ ସମସ୍ୟା ଦେଖା ଦେଇପାରେ ।