ହାଇଦ୍ରାବାଦ:ଆଜିକୁ ଠିକ ବର୍ଷେ ପୂର୍ବେ ସଂସଦର ପାରିତ ହୋଇଥିଲା ନାଗରିକତା ସଂଶୋଧନ ଅଧିନିୟମ 2019 (ସିଏଏ) । ପଡୋଶୀ ରାଷ୍ଚ୍ରମାନଙ୍କରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ପଳାୟନ କରିଥିବା ଶରଣାର୍ଥୀଙ୍କୁ ସୁରକ୍ଷା ପ୍ରଦାନ କରିବା ଭିତ୍ତିରେ ଏହି ଅଧିନିୟମ ପାରିତ ହୋଇଥିଲା । ଏହି ଆଇନ ଅନୁଯାୟୀ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଭିତ୍ତିରେ ନିର୍ଯ୍ୟାତିତ ହୋଇ ଆସି ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରାଯିବ । ତେବେ ଏହି ସବୁ ରାଷ୍ଟ୍ରରେ ଅଣ-ମୁସଲିମ ହିଁ ସଂଖ୍ୟାଲଘୁ ହୋଇଥିବାରୁ ଏହାକୁ ନେଇ ଅନେକ ବିରୋଧ ଦେଖା ଦେଇଥିଲା । ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧରେ କୋର୍ଟରେ ମାମଲା ମଧ୍ୟ ହୋଇଥିଲା ।
ସିଏଏ ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଖୁବ୍ ବିରୋଧ ହୋଇଥିଲା । ଦିଲ୍ଲୀର ଶାହିନବାଗ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ନୌର ଘଣ୍ଟାଗାର, ଆଲିଗଡ ବିଶ୍ବବିଦ୍ୟାଳୟ ଏବଂ ଆହ୍ଲାବାଦ ପାର୍କରେ ଏହି ଆଇନକୁ ତୀବ୍ର ବିରୋଧ କରିଥିଲେ । ଏହି ସ୍ଥାନଗୁଡିକରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । 19 ଡିସେମ୍ବରରୁ ଜାନୁଆରୀ 10 ମଧ୍ୟରେ ଘଟିଥିବା ଏହି ହିଂସା ସମୟରେ 23 ଜଣ ପ୍ରାଣ ହରାଇଥିଲେ ।
ସିଏଏ ବିରୋଧୀ ଏବଂ ଏନଆରସି ବିରୋଧୀ ହିଂସା ପ୍ରଦର୍ଶନ ପରେ ଯୋଗୀ ସରକାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ହିଂସା ସହ ଜଡିତ ଥିବା ଲୋକଙ୍କ ପରିଚୟ ସିସିଟିଭି ମାଧ୍ୟମରେ କରାଯାଇଥିଲା । ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସହରର ବିଭିନ୍ନ ଛକରେ ସେମାନଙ୍କ ଫଟୋ ଟଙ୍ଗାଯାଇଥିଲା । ସେହି ହିଂସାକାରୀଙ୍କ ମଧ୍ୟରେ ଅନେକ ଏପରି ବ୍ୟକ୍ତି ଥିଲେ, ଯେଉଁମାନେ ଭିଡ ମଧ୍ୟରୁ ଗୁଳି ଚାଳନା କରିବା ସହ ମିଡିଆ ଭ୍ୟାନ ପୋଡିବା ଏବଂ ବ୍ୟାପକ ଭଙ୍ଗାରୁଜା କରିବା ଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ । ସେହିପରି କେତେକ ସାମାଜିକ କର୍ମୀ ଓ ଧାର୍ମିକ ନେତାମାନଙ୍କ ପୋଷ୍ଟର ମଧ୍ୟ ଛକ ଛକରେ ଲଗାଯାଇଥିଲା । ଯେଉଁମାନେ ଏହି ହିଂସାକୁ ସମର୍ଥନ କରିଥିଲେ ଓ ଏହାର ସହଯୋଗୀ ପାଲଟିଥିଲେ । ହିଂସା ସମୟରେ ସିସିଟିଭିରେ ଥିବା ଚିତ୍ର ଓ ନାମ ଆଧାରରେ ଲକ୍ଷ୍ନୌ, କାନପୁର ଓ ଆଲିଗଡ ଭଳି ସହରରେ କେତେକ ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ବି ଆଦାୟ କରାଯାଇଥିଲା ।
ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ପୋଲିସର ହିଂସା: