ନୂଆଦିଲ୍ଲୀ: ଦିନ କେଇଟା ପରେ ସାରା ଦେଶ ସେଇ ଦିନକୁ ମନେ ପକାଇ ଉତ୍ସବ ପାଳନ କରିବ ଯେଉଁଦିନ ଆମେ ନିଜକୁ ନିଜ ପାଇଁ ଶାସନର ଏକ ସମ୍ବିଧାନ ଅର୍ପଣ କରିଲୁ। ଏ ଭିତରେ ୭୦ ବର୍ଷ ବିତିଲାଣି ଆଉ ଆମ ୨୬ ତାରିଖ ଦିନ ୭୧ତମ ଗଣରାଜ୍ୟ ଦିବସ ପାଳିବୁ। ସବ ଆଡ଼େ ଏଥିଲାଗି ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି।
ଇଟିଭି ଭାରତ ପକ୍ଷରୁ ଏହି କ୍ରମରେ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ଯେଉଁଥିରେ ଆମେ ବିଭିନ୍ନ ବର୍ଗର ଅନୁଶୀଳନକାରୀଙ୍କ ଆମ ସମ୍ବିଧାନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ବାବଦରେ ମତାମତ ସଂଗ୍ରହ କରୁଛୁ। ଆମେ କେଉଁସବୁ ପାହାଚ ଦେଇ ସାମ୍ବିଧାନିକ ବ୍ୟବସ୍ଥାକୁ ମଜଭୁତ ରଖିବାରେ ସମର୍ଥ ହୋଇଛୁ ଏବଂ ଆଗକୁ କି ପ୍ରକାର କଠୋର ଆଶଙ୍କାସବୁକୁ ଆମେ ସମ୍ମୁଖୀନ ହେବାକୁ ଯାଉଛି ତାହା ହେଉଛି ଏହି ଆଲୋଚନା ଗୁଡ଼ିକର ମୂଳ ବିଷୟବସ୍ତୁ।
ଆଜି ପୂର୍ବତନ ରାଜ୍ୟସଭା ମହାସଚିବ ତଥା ପୂର୍ବତନ ଆଇଏଏସ୍ ଭିକେ ଅଗ୍ନିହୋତ୍ରୀଙ୍କ ସହ ସମ୍ବିଧାନର ଏହି ୭୦ ବର୍ଷର ଯାତ୍ରା ବାବଦରେ ତାଙ୍କ ମତାମତ ସଂଗ୍ରହ କରିବାକୁ ଚାହିଁଛୁ। ଏହି ୧୯୬୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ୨୦୦୭ରୁ ୨୦୧୨ ଯାଏ ରାଜ୍ୟସଭାରେ ମହାସଚିବ ଭାବେ କାର୍ଯ୍ୟ କରି ସମ୍ବିଧାନର ବିଭିନ୍ନ ବ୍ୟବସ୍ଥା ଓ ତାହାର ପ୍ରତିଫଳନକୁ ବେଶ୍ ନିକଟରୁ ଅନୁଭବ କରିଛନ୍ତି। ଆସନ୍ତୁ ତା’ ହେଲେ ଭାରତର ସମ୍ବିଧାନର ଶକ୍ତି ଓ ତାହାର ଦୁର୍ବଳତା ବାବଦରେ ତାଙ୍କ ମତାମତ ଜାଣିବା।
ପ୍ରଶ୍ନ: ଯେତେବେଳେ ଆମେ ସମ୍ବିଧାନକୁ ପ୍ରଥମେ ଲେଖିଲୁ ବା ଆପଣାଇଲୁ ସେତେବେଳେ ଭାରତ ଭିବଷ୍ୟତରେ କି ପ୍ରକାର ହେବ, ତାହାକୁ ନେଇ ଅନେକ ଆଶା ଓ ସ୍ଵପ୍ନକୁ ସେଥିରେ ଆମେ ସନ୍ନିବଶିତ କରିଲୁ। ଏ ଭିତରେ ୭୦ ବର୍ଷ ସମୟ ଅତିବାହିତ ହେଲାଣି। ଆମେ ସେ ଆଶା, ସମ୍ଭାବନା ତଥା ସମ୍ବିଧାନ ନିର୍ମାତାମାନଙ୍କର ସ୍ଵପ୍ନକୁ କେତେ ରୂପାନ୍ତର କରିପାରିଛୁ?
ଉତ୍ତର: ମୋ ମତରେ ସମ୍ବିଧାନ ହେଉଛି ଏକ ମହାନ ନଥି, ଯାହା ସରକାରଙ୍କ ବିଭିନ୍ନ ଅଙ୍ଗ ଯେମିତି ସଂସଦ ହେଉ ବା ନ୍ୟାୟପାଳିକା ଅଥବା କାର୍ଯ୍ୟପାଳିକା ପ୍ରଭୃତି କିପରି ଭାବେ କାର୍ଯ୍ୟ କରିବେ, ସେଥିଲାଗି ଆବଶ୍ୟକ ନୀତି, ନିର୍ଦେଶ ଦେଇଥାଏ। ଅଥବା ମାର୍ଗ ଦର୍ଶନ କରାଇଥାଏ। ଏହି ସଂସ୍ଥାସବୁର ଆଶା ଓ ଅନୁପ୍ରାଣର ମାଧ୍ୟମ ମଧ୍ୟ ସମ୍ବିଧାନ ହୋଇଥାଏ। ସମ୍ବିଧାନ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ସମ୍ବନ୍ଧରେ ନିଜର ପରାମର୍ଶ ମାନିବାକୁ ବାଧ୍ୟ କରେ ନାହିଁ, ବରଂ ଏଥିଲାଗି ଏକ ସ୍ଥୂଳ ନିୟମାବଳୀ ସାମ୍ନାକୁ ଆଣିଥାଏ। ହଁ, ଏହା ଠିକ୍ ଯେ, ଆମ ସମ୍ବିଧାନ ବିଶ୍ଵର ସବୁଠାରୁ ବୃହତ୍ ସମ୍ବିଧାନ।
ପ୍ରାଥମିକ ଭାବେ ଆମ ସମ୍ବିଧାନ ନିର୍ମାତାମାନେ ଏଥିରେ ସମୁଦାୟ ୩୯୫ଟି ଧାରାକୁ ସଂଯୁକ୍ତ କରି ଏହାକୁ ବିଶ୍ଵର ଏକ କିର୍ତ୍ତିରାଜୀ ଭାବେ ପ୍ରସ୍ତୁତ କରିଥିଲେ। କିନ୍ତୁ ଦୈନନ୍ଦିନ ଆବଶ୍ୟକକୁ ଲକ୍ଷ୍ୟ କରି ଏଥିରେ ନୂଆ ନୂଆ ନିୟମ ଯୋଡ଼ାଗଲା। ଏବଂ କିଛି ପୁରୁଣା ନିୟମକୁ ରଦ୍ଦ କରାଯାଇଛି। ଏବେ ସମ୍ବିଧାନର ସମୁଦାୟ ଧାରା ସଂଖ୍ୟା ୪୭୦ରେ ପହଞ୍ଚିଛି। ଏହା ସତ୍ୟ ଯେ, ଆମେ ଏଇ ୭୦ ବର୍ଷ ଭିତରେ ସମ୍ବିଧାନରେ ଅନେକ ପରିବର୍ତ୍ତନ ଆଣିଛୁ, କିନ୍ତୁ ବାସ୍ତବ ସ୍ଥିତିକୁ ଲକ୍ଷ୍ୟ କଲେ ଏସବୁ ପରିବର୍ତ୍ତନ ଜରୁରୀ ଥିଲା। ପରିବତର୍ତ୍ତିତ ସମାଜର ଆବଶ୍ୟକକୁ ଖାପ ଖୁଆଇବା ଲାଗି ଆମକୁ ସମ୍ବିଧାନର ନିୟମଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ପୁଣି ଏହା ବି ସତ୍ୟ ଯେ, ଅନେକ ପରିବର୍ତ୍ତନ ସମାଜ ପାଇଁ ଜରୁରୀ ଥିଲାବେଳେ ଆଉ କିଛି ପରିବର୍ତ୍ତନ ବା ସଂଶୋଧନ ଅଦରକାରୀ ଥିଲା।
ଏଣୁ ଏହି ଅଦରକାରୀ ଭିତରୁ ଅନେକ ବ୍ୟବସ୍ଥାକୁ ଶୁଣିବା ଲାଗି ସୁପ୍ରିମ୍କୋର୍ଟଙ୍କ ନିକଟରେ ଆମେ ଆବେଦନ କରିଥିଲୁ। ଅନେକଙ୍କ ପକ୍ଷରୁ ଦାଖଲ ଯାଚିକାକୁ ଶୁଣି ସୁପ୍ରିମ୍କୋର୍ଟ ସରକାରଙ୍କୁ ସମ୍ବିଧାନର ମୂଳ ଭାବ ଓ ମୂଲ୍ୟବୋଧ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ସଂଶୋଧିତ କିଛି ଅଙ୍ଗକୁ ସାମ୍ବିଧାନିକ ମନ୍ତ୍ରର ବିରୋଧୀ ବୋଲି ଗ୍ରହଣ କଲେ। ସୁପଅିମ୍କୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଦେଇ ସମ୍ପୃକ୍ତ ଆଇନ ଓ ସଂଶୋଧନକୁ ସରକାର ପ୍ରତ୍ୟାହାର କରିଛନ୍ତି।
ପ୍ରଶ୍ନ: ଆଉ ଏଥିପାଇଁ ଆମେ ଆମ ସମ୍ବିଧାନକୁ ଏକ ଜୀବନ୍ତ ନଥି ବୋଲି ଅଭିହିତ କରିଛୁ, ଯାହା ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଇବାକୁ ଯାଇ ପରିବର୍ତ୍ତନକୁ ଗ୍ରହଣ କରିଛି?
ଉତ୍ତର: ହଁ, ଏଥିପାଇଁ ଏହା ଏକ ଜୀବନ୍ତ ନଥି କାରଣ ସଂଶୋଧନ ପାଇଁ ଅନେକ କଠୋର ନିୟମ ଥିଲେ ମଧ୍ୟ ସମାଜର ଆବଶ୍ୟକକୁ ଲକ୍ଷ୍ୟ କରି ଏଥିପାଇଁ ସହମତି ପ୍ରକାଶ ପାଇଛି ଓ ସମ୍ବିଧାନରେ ପରିବର୍ତ୍ତନ ଆସିଛି। ଅବଶ୍ୟ ଏହା ଠିକ୍ ଯେ, ସବୁସମୟରେ ସାମବିଧାନିକ ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଅତ୍ୟନ୍ତ କଠୋର ନିୟମକୁ ଆପଣାଇବାକୁ ପଡ଼ି ନଥାଏ। ଏପରି କିଛି ବ୍ୟବସ୍ଥାରେ କେବଳ ସରକାର ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବର୍ତ୍ତନକୁ ଅନୁମୋଦନ କରିଥାଆନ୍ତି ଏବଂ ତାହା ସଂଶୋଧିତ ହୋଇଥାଏ। ଏଥିଲାଗି ସମ୍ବିଧାନ ସଂଶୋଧନର ଆବଶ୍ୟକବା ଲମ୍ବା ନୀତି ନିୟମକୁ ଅନୁସରଣ କରିବାକୁ ପଡ଼ି ନଥାଏ।
ଏହାର ଏକ ଉଦାହରଣ ହେଉଛି ଧାରା ୩୭୦ର ଉଚ୍ଛେଦ। ଏଥିଲାଗି ସମ୍ବିଧାନରେ କୌଣସି ସଂଶୋଧନର ଆବଶ୍ୟକ ପଡ଼ି ନଥିଲା। କିନ୍ତୁ ଏମିତି କିଛି ବିଷୟ ବି ରହିଛି ଯାହାର ସଂଶୋଧନ କରିବାକୁ ହେଲେ ସଂସଦର ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କୁ ରାଜି ହୋଇ ଆବଶ୍ୟକ ଭୋଟ୍ ପ୍ରଦାନ କରିବାକୁ ପଡ଼ିଥାଏ, ତାହା ପୁଣି ଦୁଇଟି ଯାକ ସଦନରେ। ଯଦି ଦୁଇ ଗୃହ ଭିତରେ ଏଥିନେଇ କୌଣସି ବୁଝାମଣାର ଅଭାବ ହୁଏ ତେବେ ଉଭୟ ଗୃହର ସଦସ୍ୟଙ୍କୁ ଏକାଠି ବସି ଆଲୋଚନା ମାଧ୍ୟମରେ ସମାଧାନ ଆଣିବାକୁ ହୋଇଥାଏ। ଆଉ କିଛି କ୍ଷେତ୍ରରେ ସମ୍ବିଧାନ ସଂଶୋଧନ ପାଇଁ ରାଜ୍ୟ ବିଧାନସଭାମାନଙ୍କର ସହମତି ଆବଶ୍ୟକ ହୋଇଥାଏ।
ତଥାପି ଅମ ଦେଶରେ ଯେଉଁ ସମ୍ବିଧାନ ସଂଶୋଧନ ପାଇଁ ବ୍ୟବସ୍ଥା ସବୁ ରହିଛି ତାହା ସ୍ଵିଜରଲ୍ୟାଣ୍ଡ ତଥା ଅଷ୍ଟ୍ରେଲିଆ ଭଳି କଠୋର ନୁହେଁ। ସେଠାରେ ସମ୍ବିଧାନ ସଂଶୋଧନ କରିବାକୁ ହେଲେ ଆପଣଙ୍କୁ ଗଣ ଭୋଟ୍ କରିବାକୁ ପଡ଼ିଥାଏ। ଆମ ଦେଶରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଆମେରିକାରେ ମଧ୍ୟ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ପାଇଁ କଠୋର ବ୍ୟବସ୍ଥା ଆପଣାଯାଇଥାଏ। ସଂଶୋଧିତ ହୋଇଥିବା ଆଇନକୁ ପ୍ରଥମେ ସଂସଦର ଦୁଇ ଗୃହରେ ପାରିତ କରିବାକୁ ହୋଇଥାଏ। ତାହା ପୁଣି ତିନି ଚତୁର୍ଥାଂଶ ରାଜ୍ୟର ସହମତି ଆବଶ୍ୟକ କରିଥାଏ।
ଆମେ କିନ୍ତୁ କିଛି ନିର୍ଦିଷ୍ଟ ସଂଶୋଧନ ଲାଗି କେବଳ ରାଜ୍ୟମାନଙ୍କର ଏକ ସଂଖ୍ୟା ଗରିଷ୍ଠ ସହମତି ଆଶା କରୁ। କିଛିଦିନ ତଳେ ଏମିତି କିଛି ଆବଶ୍ୟକ ପଡ଼ିଥିଲା। ଯେତେବଳେ ଆମେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ଉଦ୍ଦିଷ୍ଟ ଆରକ୍ଷଣ ବ୍ୟବସ୍ଥାକୁ ଆହୁରି ଅଧିକ ବର୍ଷ ବଢ଼ାଇଲୁ ଆମକୁ ଏହି ବ୍ୟବସ୍ଥା ଆପଣାଇବାକୁ ପଡ଼ିଥିଲା। ଧାରା ୩୩୪କୁ ଆହୁରି ୧୦ ବର୍ଷ ଅଧିକ ବଢ଼ାଯାଇଥିଲା, ଏଥିଲାଗି ରାଜ୍ୟମାନଙ୍କର ଅନୁମୋଦନ ଆବଶ୍ୟକ ପଡ଼ିଥିଲା । କିନ୍ତୁ ଏଯାଏଁ ତାହା ସମ୍ଭବ ହୋଇପାରି ନଥିବାରୁ ଏହି ସଂଶୋଧିତ ବ୍ୟବସ୍ଥା ଏଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ।
ପ୍ରଶ୍ନ: ନୂଆକରି ଲାଗୁ ହୋଇଥିବା ନାଗରିକତ୍ଵ ଆଇନ ବିରୋଧରେ ସୁପ୍ରିମ୍କୋର୍ଟଙ୍କ ପାଖରେ ଅନେକ ରିଟ୍ ପିଟିସନ୍ ଦାୟର ହୋଇଛି। ସେଥିରେ ପ୍ରାୟ ସମସ୍ତେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାର ବ୍ୟାହତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଆପଣ ଏ ବିଷୟକୁ କିପରି ଗ୍ରହଣ କରିବେ?
ଉତ୍ତର: ପ୍ରାଥମିକ ସ୍ତରରେ ଯାଞ୍ଚ କଲେ ଏହା ଜଣାଯାଏ ଯେ ସମ୍ପୃକ୍ତ ନାଗରିକତ୍ଵ ସଂଶୋଧନ ଆଇନ (ସିଏଏ) ସମ୍ବିଧାନର ଅଂଶ ବିଶେଷ ନୁହେଁ। ଏଥିଲାଗି ଦରକାର ହୋଇଥିବା ସଂଶୋଧନ ବିଲ୍ ଏହା ଏକ ସାଧାରଣ ବିଧେୟକ ଭଳି। ଯାହାର ସଂଶୋଧନକୁ ଉଭୟ ଗୃହ ଅନୁମୋଦନ କରିଛନ୍ତି। ଅର୍ଥାତ୍ ଏହା ସମ୍ବିଧାନ ସଂଶୋଧନ ନୁହେଁ। ନାଗରିକତ୍ଵ ପ୍ରସଙ୍ଗ ଯେହେତୁ କେନ୍ଦ୍ର ସରକାରଙ୍କ ବିଚାରାଧୀନ ପରିସର ଏଣୁ ଏଥିଲାଗି ରାଜ୍ୟମାନଙ୍କ ପରାମର୍ଶ ଆବଶ୍ୟକ ନୁହେଁ।
ଅପପକ୍ଷେ ଏହି ଆଇନକୁ ନେଇ ଯେଉଁ ଚ୍ୟାଲେଞ୍ଜ କରାଯାଇଛି ସେଥିରେ ଦୁଇଟି ପ୍ରମୁଖ ବିଷୟ ଅନ୍ତର୍ଭୁକ୍ତ। ଗୋଟିଏ ହେଲା ଯେ, ଆମ ଦେଶର ଧର୍ମ ନିରପେକ୍ଷ ଢାଞ୍ଚା। ଯଦିଓ ବିଦେଶରେ ମୁସଲମାନମାନେ ନିର୍ଯାତନାର ଶିକାର ହେଉଛନ୍ତି କିନ୍ତୁ ଏହି ଆଇନର ପରିଧିରୁ ସେମାନଙ୍କୁ ବାହାରେ ରଖାଯାଇଛି। ଦ୍ଵିତୀୟଟି ହେଉଛି ଯାହା ଆପଣ କହିଲେ, ସମାନତା ପ୍ରସଙ୍ଗ, ଯାହା ସବୁବେଳେ କହେ ଯେ, ଆଇନ ଆଖିରେ ସମସ୍ତେ ସମାନ। ଏଣୁ କୌଣସି ମତ ଦେବା ପୂର୍ବରୁ ଅପେକ୍ଷା କରିବା ଦରକାର ଯେ, କୋର୍ଟ କ’ଣ କହୁଛନ୍ତି।
କାରଣ ଗୋଟିଏ ଆଇନ ସଂସଦରେ ପାରିତ ହେବା ପରେ କୋର୍ଟଙ୍କ କ୍ଷମତା ରହିଛି ତାହାର ସାମ୍ବିଧାନିକ ପରିବ୍ୟାପ୍ତି ବିଷୟରେ ବିଶ୍ଳେଷଣ କରିବା। ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସାଂସଦ ଓ ସରକାର ଏହି ଆଇନକୁ ସଂଶୋଧନ କରିବା ଲାଗି ସେମାନଙ୍କ ବୁଦ୍ଧିମତ୍ତାକୁ ପ୍ରୟୋଗ କରିଛନ୍ତି। ସେମାନେ ଜାଣିଛନ୍ତି ସାମ୍ବିଧାନିକ ଦୃଷ୍ଟିକୋଣ କ’ଣ ରହିଛି ବା ନରହିଛି।
ଏହି ପ୍ରସଙ୍ଗରେ କିଛି ରାଜ୍ୟମାନେ କହିପାରିବେ ନାହିଁ ଯେ, ସେମାନେ ତାହାକୁ ଲାଗୁ କରିବେ ନାହିଁ। ଅଥବା କୋର୍ଟ କିଛି ବ୍ୟାଖ୍ୟା ନକରିବା ଯାଏ ରାଜ୍ୟଗୁଡ଼ିକ ନିରବ ରହିବେ! ଏ ବାବଦରେ ଆଇନ ମନ୍ତ୍ରୀ ମଧ୍ୟ ସ୍ପଷ୍ଟ ଭାବେ ଧାରା ୨୫୬କୁ ଉଲ୍ଲେଖ କରିଛନ୍ତି। ଏହି ଆଇନ ଅନୁସାରେ ‘ନାଗରିକତ୍ଵ’ ଏକ କେନ୍ଦ୍ରୀୟ ପ୍ରସଙ୍ଗ।
ଏଣୁ କେନ୍ଦ୍ର ହାତରେ କ୍ଷମତା ରହିଛି ଏହି ଆଇନକୁ ସଂଶୋଧନ କରିବା ବା ଏ ବାବଦରେ ନୂଆ ଆଇନ ଆଣିବା ପ୍ରଭୃତି। ସେହିପରି ଧାରା ୨୫୬ ଏହା ସ୍ପଷ୍ଟ କରୁଛି ଯେ, ଯେଉଁ ଆଇନକୁ ଭରତର ସଂସଦ ପାରିତ କରୁଛି ତାହାକୁ ରାଜ୍ୟ ସରକାରମାନେ ଲାଗୁ କରିବାକୁ ବାଧ୍ୟ। ଏଣୁ ରାଜ୍ୟମାନେ ଏହି ଆଇନକୁ ଲାଗୁ କରିବା ପାଇଁ ମନା କରିପାରିବେ ନାହିଁ।
ଧାରା ୩୬୫ ଅନୁସାରେ ଯଦି କୌଣସି ରାଜ୍ୟ ସଂସଦରେ ପାରିତ ହୋଇଥିବା ଆଇନକୁ ଲାଗୁ କରିବାରେ ଅମଙ୍ଗ ପ୍ରକାଶ କରନ୍ତି ବା ବାଧା ସାଜନ୍ତି ତେବେ ତାହାକୁ ସାମ୍ବିଧାନିକ ବ୍ୟବସ୍ଥାର ବିଫଳତା ବୋଲି କୁହାଯାଇପାରିବ। ଏପରି କ୍ଷେତ୍ରରେ କେନ୍ଦ୍ର ଧାରା ୩୫୬ ଅନୁସାରେ ସମ୍ପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ। ଅର୍ଥାତ୍ ସେ ସରକାରଙ୍କୁ ଭାଙ୍ଗିଦେବା କ୍ଷମତା ରହିଛି।