ଓଡିଶା

odisha

ETV Bharat / bharat

କଂଗ୍ରେସ ବିରୋଧରେ ବିଷ ଓଗାଳିଲେ ପ୍ରିୟଙ୍କା - କଂଗ୍ରେସ ନେତା

କଂଗ୍ରେସର ଅସଲ ମୁଖାକୁ ପଦାରେ ପକାଇଛନ୍ତି ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ। ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖା ପୋଷ୍ଟ କରି ସେ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି ।

ଫାଇଲ ଫଟୋ

By

Published : Apr 18, 2019, 3:15 PM IST

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ନେତାଙ୍କୁ ନିର୍ବାଚନୀ ପ୍ରଚାରରେ କଂଗ୍ରେସ ବ୍ୟବହାର କରୁଛି । ଏନେଇ ଦଳ ବିରୋଧରେ ଅଭିଯୋଗ ଆସିଛି । ଆଉ ଏପରି ଅଭିଯୋଗ କୌଣସି ବିରୋଧୀ ନୁହେଁ ଖୋଦ୍‌ ଦଳର ମୁଖପାତ୍ର ଆଣିଛନ୍ତି ।

କଂଗ୍ରେସର ଅସଲ ମୁଖାକୁ ପଦାରେ ପକାଇଛନ୍ତି ଦଳର ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ । ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି । ନିକଟରେ ଜଣେ ଏଆଇସିସି ସଦସ୍ୟଙ୍କ ସହିତ 8 ଜଣ ପଦାଧିକାରୀଙ୍କୁ କଂଗ୍ରେସ ଦଳରେ ମିଶାଇବା ପରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

ସୂଚନାନୁସାରେ ଗତବର୍ଷ ସେପ୍ଟେମ୍ବର 1ରେ ରାଫେଲ ବିବାଦ ବିଷୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଥୁରାରେ ଆଲୋଚନା କରୁଥିଲେ । ଏହି ସଭାରେ ତାଙ୍କ ପ୍ରତି କେତେକ କଂଗ୍ରେସ ସଦସ୍ୟ ଖରାପ ବ୍ୟବହାର କରିବା ସହ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ । ଏହାପରେ ସେ ୟୁପି କଂଗ୍ରେସ ମୁଖ୍ୟ ରାଜ ବବର ଓ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ପାଖରେ ଏହି ବିଷୟରେ ଅଭିଯୋଗ କରିଥିଲେ ।

ଏହାର ଆଧାରରେ କଂଗ୍ରେସ ଏହି 8 ଜଣ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଳରୁ ନିଲମ୍ବନ କରିଥିଲା । ତେବେ ବୁଧବାର ଏହି ନେତାଙ୍କୁ ଦଳ ପୁଣି ଫେରାଇ ଆଣିବା ସହ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦେଇଛି । ଏହାସହ ସେମାନଙ୍କୁ ଭବିଷ୍ୟତରେ ଏପରି ବ୍ୟବହାର ନ କରିବା ପାଇଁ ଚେତାବନୀ ଦେଇଛି ଦଳ । ଏପରିକି ଏମାନଙ୍କୁ ଦଳରେ ମିଶିବା ପାଇଁ ଲେଖାଯାଇଥିବା ଚିଠିକୁ କଂଗ୍ରେସର ପଶ୍ଚିମ ୟୁପି ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନୁମତି ଦେଇଛନ୍ତି ।

ଏହି ଖବର ପ୍ରକାଶ ହେବା ପରେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରିୟଙ୍କା । 8 ଜଣ ସଦସ୍ୟଙ୍କୁ ଗୁଣ୍ଡା ବୋଲି ସମ୍ବୋଧନ କରି ସେ କହିଛନ୍ତି ଯେ ଦଳର ଏପରି ନିଷ୍ପତ୍ତିରେ ସେ ଦୁଃଖିତ । ଦଳ ପ୍ରତି ସମର୍ପଣ ଓ ତ୍ୟାଗ ମନୋଭାବ ରଖିଥିବା ସଦସ୍ୟଙ୍କୁ ଅଣଦେଖା କରାଯାଇ ଗୁଣ୍ଡାଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଦଣ୍ଡ ମିଳିବା ବଦଳରେ ସେମାନଙ୍କୁ ପ୍ରଚାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details