ହାଇଦ୍ରାବାଦ: ମହାରାଷ୍ଟ୍ରରେ ସବୁ ଦଳକୁ ଘାରିଛି ବିଧାୟକଙ୍କୁ ହରାଇବା ଡର । ନଭେମ୍ବର 30ରେ ବହୁମତ ପ୍ରମାଣ ଦେବେ ଦେବେନ୍ଦ୍ର ଫଡନାଭିସ । ଶନିବାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ର ପଦରେ ଯଥାକ୍ରମେ ଫଡନାଭିସ ଏବଂ ଏନସିପି ନେତା ଅଜିତ ପାଓ୍ବାର ଶପଥ ନେଇଛନ୍ତି । ଫଳରେ ଏହାରି ଭିତରେ ଘୋଡା ବେପାର ଭୟରେ ସବୁ ଦଳ ନିଜ ନିଜ ବିଧାୟକଙ୍କୁ ବାହାରକୁ ପଠାଇବାର ଯୋଜନା କରୁଛନ୍ତି ।
ମହାରାଷ୍ଟ୍ରରେ ଘୋଡା ବେପାର ଭୟ, ନିଜ ନିଜ ବିଧାୟକଙ୍କୁ ଲୁଚାଇଲେ ଦଳ
ମହାରାଷ୍ଟ୍ରରେ ସବୁ ଦଳକୁ ଘାରିଛି ଘୋଡା ବେପାର ଭୟ । ଶିବସେନା ଓ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇବାର ଯୋଜନା କରୁଛନ୍ତି । ତେବେ ବିଜେପି ମଧ୍ୟ ଏନସିପିର ସମର୍ଥନକାରୀ ବିଧାୟକ ଏବଂ ନିଜ ବିଧାୟକଙ୍କୁ ବାହାରକୁ ପଠାଇବ ବୋଲି ସୂଚନା ମିଳିଛି ।
ମହାରାଷ୍ଟ୍ରରେ ଘୋଡା ବେପାର
ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶ ଭୋପାଳରେ କଂଗ୍ରେସ ନିଜର ବିଧାୟକଙ୍କୁ ଲୁଚାଇବାକୁ ଯୋଜନା କରୁଛି । ସେହିପରି ଶିବସେନା ବିଧାୟକଙ୍କୁ ମୁମ୍ବାଇ ଲଳିତ ହୋଟେଲରେ ଭେଟିଛନ୍ତି ଉଦ୍ଧବ ଠାକରେ । ସମସ୍ତ ବିଧାୟକଙ୍କ ମୋବାଇଲ ଫୋନ୍ ଦଳ ପାଖରେ ଜମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ପଠାଇବାର ଚାଲିଛି ଯୋଜନା ।
ସେହିପରି ଘୋଡ଼ା ବେପାର ଆଶଙ୍କା ଦେଖି ବିଜେପି ମଧ୍ୟ ସମର୍ଥିତ ଏନିସିପିର 9 ବିଧାୟକଙ୍କୁ ଦିଲ୍ଲୀ ପଠାଇଛି । ପ୍ରଥମେ ଗୁଜରାଟ ପଠାଇବା ପାଇଁ ଯୋଜନା ଥିଲା ହେଲେ ପରବର୍ତ୍ତୀ ସମୟରେ ଦିଲ୍ଲୀକୁ ପଠାଯାଇଛି ।