ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ନିଜର ବାର୍ତ୍ତା ରଖିବା ସମୟରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ପିଏମଙ୍କ ସମ୍ବୋଧନ ସମୟରେ ୱାକଆଉଟ କରିଯାଇଥିଲେ କଂଗ୍ରେସ ସାଂସଦ । ଏହା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ନା ନିଜର ନା ଦେଶର ଭଲ କରିପାରିବ । ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସର ଭିନ୍ନ ଭିନ୍ନ ଆଭିମୁଖ୍ୟ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ କେବଳ ଏତିକି ନୁହେଁ, କଂଗ୍ରେସ ଏକ କନଫ୍ୟୁଜ ପାର୍ଟି ବୋଲି କଟାକ୍ଷ କରି କହିଛନ୍ତି ପିଏମ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯାହା ହେବ ନାହିଁ ତାକୁ ନେଇ ଭୟ ସୃଷ୍ଟି କରାଯାଉଛି । ଏହି ପଦ୍ଧତି ଆନ୍ଦୋଳନଜୀବୀ ଆପଣାନ୍ତି ବୋଲି ସେ କହିଛନ୍ତି । ଚାଷୀଙ୍କ ଅଧିକାର କିଏ ଛଡାଇନେଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ସମୟ ବଦଳିବା ସହିତ ପ୍ରଗତିଶୀଳ ହେବା ପାଇଁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିବ । ଏଥିପାଇଁ ସେ ତିନି ତଲାକ, ଶିକ୍ଷା ନୀତି ବିଷୟରେ ମଧ୍ୟ ଉଦାହରଣ ଦେଇଛନ୍ତି ।