ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ତେବେ ପ୍ରଥମେ ସକାଳ 10ଟାରେ ବୈଠକ ବସିବାକୁ ଥିବାବେଳେ ତାହାକୁ ଘୁଞ୍ଚାଇ ଦିଆଯାଇଛି । 10 ଟା ପରିବର୍ତ୍ତେ 11ଟାରେ ବୈଠକ ହେବ ବୋଲି କୁହାଯାଇଛି । ସକାଳ 10ଟାରେ ବୈଠକ ହେବା ନେଇ ସୋମବାର ରାତିରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ।
ଦଳର ବରିଷ୍ଠ ନେତା ଅବିନାଶ ପାଣ୍ଡେ ଓ ଅଜୟ ମାର୍କନଙ୍କ ସହିତ ସେ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ମଙ୍ଗଳବାର ସକାଳେ ପୁଣି ଥରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ସେ କହିଛନ୍ତି । ସେହିପରି ବୈଠକ ହୋଟେଲ ଫାୟାର ମାଉଣ୍ଟରେ ହେବ ବୋଲି ସେ କହିଛନ୍ତି ।
ଏହାସହ ଏହି ବୈଠକରେ ସାମିଲ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କୁ ମଧ୍ୟ ଡକରାଯାଇଥିବା ଜଣାପଡିଛି । ସେମାନଙ୍କୁ ଫୋନ ଓ ଲିଖିତ ମାଧ୍ୟମରେ ବୈଠକରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
ସେପଟେ କଂଗ୍ରେସ ଓ ସମର୍ଥକ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାରରେ ସେମାନଙ୍କ ସମର୍ଥନ ଦେଇଥିବା ମଧ୍ୟ ସେ ଦର୍ଶାଇଛନ୍ତି । ଏହାସହ ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ଯେଉଁ ବିଧାୟକମାନେ ଯୋଗଦେଇନାହାଁନ୍ତି ସେମାନେ ମଙ୍ଗଳବାର ଦିନ 10ଟାରେ ହେବାକୁ ଥିବା ବୈଠକରେ ଯୋଗ ଦିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।
ସେହିପରି ଦିଲ୍ଲୀରେ ଥିବା ବିଧାୟକମାନେ ମଧ୍ୟ ବୈଠକରେ ଯୋଗ ଦିଅନ୍ତୁ ବୋଲି ସେ ଦର୍ଶାଇବା ସହ ସଚିନ ପାଇଲଟଙ୍କ ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାର ସବୁବେଳେ ଖୋଲା ରହିଛି ବୋଲି ପରୋକ୍ଷରେ କହିଛନ୍ତି । ଏହାସହ ସରକାରରେ ବର୍ତ୍ତମାନ କୌଣସି ସଙ୍କଟ ନଥିବା ସୂର୍ଯେୱାଲା ଦର୍ଶାଇଛନ୍ତି ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଛି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ନିଜ ସମର୍ଥକ ବିଧାୟକଙ୍କ ସହ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ସେ ପ୍ରଥମେ କଂଗ୍ରେସ ନେତୃତ୍ବଙ୍କ ସହ ଆଲୋଚନା କରିଥିବାବେଳେ ଏବେ ବିଜେପି ନେତୃତ୍ବଙ୍କ ସହିତ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କର ବିଜେପି ଯିବାର କୌଣସି ଯୋଜନା ନଥିବା ସଚିନଙ୍କ ନିକଟତମ ବିଧାୟକ ସୂଚନା ଦେଇଛନ୍ତି ।