ଓଡିଶା

odisha

ETV Bharat / bharat

କୁମାରସ୍ବାମୀ-ସିଦ୍ଧରମୈୟା ଫାଇଟ: ସରକାର ଗଲା ଏବେ ମେଣ୍ଟ ଯିବ - ବରିଷ୍ଠ ନେତା ସିଦ୍ଧରମୈୟା

ସରକାରରୁ ହଟିବା ପରେ ଜେଡିଏସ-କଂଗ୍ରେସ କଳି ଏବେ ଚର୍ଚ୍ଚାର ବିଷୟ । ସରକାର ଭାଙ୍ଗିବା ନେଇ ଉଭୟଙ୍କ ପରସ୍ପରକୁ ଦୋଷାରୋପ ।

ଡିଜାଇନ ଫଟୋ

By

Published : Aug 26, 2019, 1:21 PM IST

ବେଙ୍ଗାଲୁରୁ: ପ୍ରଥମେ ହାତରୁ ଖସିଲା ସରକାର । ଏବେ ଭାଙ୍ଗିବା ପରିସ୍ଥିତିରେ ମେଣ୍ଟ । ଆଉ ଏଥିପାଇଁ କାହାରିକୁ ତିଳେ ମାତ୍ର ଚେଷ୍ଟା କରିବାକୁ ପଡୁନାହିଁ । କାରଣ 2 ଦଳର ପ୍ରମୁଖ ନେତା ଏଥିପାଇଁ ପୁରା ପ୍ରସ୍ତୁତିରେ ଲାଗିଛନ୍ତି । ଏହା ହେଉଛି କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ମେଣ୍ଟର କାହାଣୀ ।

ସରକାରରୁ ହଟିବା ପରେ ଏବେ ଉଭୟ ଦଳଙ୍କ ମଧ୍ୟରେ ମେଣ୍ଟ ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଜେଡିଏସ ନେତା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କ ସହ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ସରକାର ଭାଙ୍ଗିବା ପରଠାରୁ ଉଭୟ ଦଳ ଲଗାତାର ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଆଉ ଏଥିରେ ମୁଖ୍ୟ ଭୂମିକା ନେଇଛନ୍ତି ଉଭୟ ନେତା ।

ଫାଇଲ ଫଟୋ

କିଛିଦିନ ତଳେ ଏକ ସାକ୍ଷାତକାରରେ କୁମାରସ୍ବାମୀ କଂଗ୍ରେସ ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଉପରେ ଖୁବ ବର୍ଷିଥିଲେ । ଜେଡିଏସକୁ ସବୁବେଳେ ନିଜର ପ୍ରଥମ ଶତ୍ରୁ ବୋଲି ସିଦ୍ଧରମୈୟା ଭାବୁଥିଲେ । ଏପରିକି ଦଳ ପ୍ରତି ତାଙ୍କ ବ୍ୟବହାର ଖରାପ ଥିଲା ବୋଲି କୁମାରସ୍ବାମୀ କହିଥିଲେ । ତାଙ୍କ ଅଧୀନରେ ସରକାର ଚଲାଇବାକୁ ସିଦ୍ଧରମୈୟା ପସନ୍ଦ କରୁନଥିଲେ ବୋଲି ସେ କହିଛନ୍ତି । ଯଦିଓ ପରେ ସେ ଏହି ସାକ୍ଷାତକାରରେ ତାଙ୍କ ମନ୍ତବ୍ୟ ଭୁଲ ଦର୍ଶାଯାଇଥିବା ସ୍ପଷ୍ଟୀକରଣ ଦେଇଥିଲେ କିନ୍ତୁ ଏହା କଂଗ୍ରେସକୁ ଉତକ୍ଷିପ୍ତ କରିବାକୁ ଯଥେଷ୍ଟ ଥିଲା ।

ଫାଇଲ ଫଟୋ

ନିକଟରେ କୁମାରସ୍ବାମୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି ସିଦ୍ଧରମୈୟା । ସେ କୁମାରସ୍ବାମୀଙ୍କୁ ସିଧାସଳଖ ଆକ୍ଷେପ କରି କହିଛନ୍ତି ଯେ ଏହା ଏକ ବିଫଳ ସରକାରର ଚିତ୍କାର । ଶାସନ ଚଲାଇବା ଜାଣିନଥିବା ବ୍ୟକ୍ତି ହିଁ ଏପରି ମନ୍ତବ୍ୟ ଦିଅନ୍ତି । କାରଣ ସେମାନେ ବିଫଳ ବ୍ୟକ୍ତିତ୍ବ ବୋଲି ସିଦ୍ଧରମୈୟା କହିଛନ୍ତି । କୁମାରସ୍ବାମୀ ତାଙ୍କୁ କେବେବି ବନ୍ଧୁ ବା ବିଶ୍ବସ୍ତ ବୋଲି ବିବେଚନା କରିନାହାନ୍ତି । ଦଳର ସହଯୋଗୀ ଥାଇ ମଧ୍ୟ ଜେଡିଏସ ଆମକୁ କେବେ ମଧ୍ୟ ଜଣେ ବିଶ୍ବସ୍ତ ବନ୍ଧୁ ବୋଲି ଭାବିନାହିଁ । ବରଂ ସବୁବେଳେ ଶତ୍ରୁ ହିସାବରେ ବ୍ୟବହାର କରିଛି ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଏହାସହ କୁମାରସ୍ବାମୀଙ୍କ ଏପରି ବ୍ୟବହାର ଯୋଗୁଁ ହିଁ ସରକାର ଭାଙ୍ଗିଲା ଓ ସମସ୍ତ ସମସ୍ୟା ସୃଷ୍ଟି ହେଲା ବୋଲି ସେ ଅଭିଯୋଗ କରିଛନ୍ତି । ଜେଡିଏସ-କଂଗ୍ରେସର ଏପରି କଳି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ହାତରୁ ଖସିଯାଇଥିବାବେଳେ ଏବେ ମେଣ୍ଟ ଭାଙ୍ଗିବା ନେଇ ଆଶଙ୍କା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ବହୁମତ ହରାଇ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ଗାଦିଚ୍ୟୁତ ହୋଇଥିଲେ । ଏହାସହ ବିଜେପି ରାଜ୍ୟରେ ନୂଆ ସରକାର ଗଢିଥିଲା ।

ABOUT THE AUTHOR

...view details