ଜୟପୁର: ରାଜସ୍ଥାନ ବିଜେପି ସଭାନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ଗେହଲଟ ସରକାରଙ୍କ ମଧ୍ୟରେ ଚାଲିଛି ଅଘୋଷିତ ମେଣ୍ଟ । ଏମିତିକି ବସୁନ୍ଧରା ରାଜେ ସିନ୍ଧିଆ ନିଜେ ଅଶୋକ ଗେହଲଟ ସରକାରକୁ କ୍ଷମତାଚ୍ୟୁତ ନ ହେବାପାଇଁ ମଧ୍ୟ ସହଯୋଗ କରିଛନ୍ତି । ଫଳରେ ଗେହଲଟ ସରକାର କ୍ଷମତାରେ ତିଷ୍ଠି ରହିବାରେ ସଫଳ ହେଲାପରି ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ସାଂସଦ ହନୁମାନ ବେନିଓ୍ବାଲ ।
ହନୁମାନ ଅଭିଯୋଗ ଆଣି କହିଛନ୍ତି ଯେ ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗେହଲଟ ବିରୋଧି ବିଦ୍ରୋହ ପରେ ରାଜସ୍ଥାନ ସରକାର ସତ୍ତା ପ୍ରତି ସଂକଟ ଦେଖାଦେଇଥିଲା । ସେହି ସମୟରେ ଗେହଲଟ ସରକାରଙ୍କୁ କ୍ଷମତାରେ ରଖିବା ପାଇଁ ଭିତିରି ସହଯୋଗ କରିଥିଲେ ସିନ୍ଧିଆ । ଫଳରେ ସେଠାରେ କଂଗ୍ରେସର ଗେହଲଟ ସରକାର ଭାଙ୍ଗିବାକୁ ଥିବା ସତ୍ତ୍ବେ ମଧ୍ୟ କ୍ଷମତା ବଞ୍ଚାଇବାରେ ସଫଳ ହୋଇପାରିଲା । ଏମିତିକି ଗେହଲଟ ସରକାରକୁ ବଞ୍ଚାଇବା ପାଇଁ ବସୁନ୍ଧରା ରାଜେ ସିନ୍ଧିଆ ନିଜେ 20 ବିଧାୟକଙ୍କ ସମର୍ଥନ ପକ୍କା କରିଥିଲେ ଫଳରେ ଶେଷ ମୁହୁର୍ତ୍ତରେ ଗେହଲଟ ସରକାର ସତ୍ତା ବଞ୍ଚାଇବାରେ ସଫଳ ହୋଇପାରିଲା ବୋଲି ସେ କହିଛନ୍ତି । ରାଜସ୍ଥାନ ନାରୀ ଉତ୍ପୀଡନ ଓ ଅପରାଧ ମାମଲାରେ ଉତ୍ତରପ୍ରଦେଶକୁ ମଧ୍ୟ ପଛରେ ପକାଇ ସାରିଲାଣି । ଏଥିପାଇଁ ସିନ୍ଧିଆ ଓ ଗେହଲଟ ଉଭୟ ହିଁ ଦାୟି ବୋଲି ସେ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ ଆଣି କହିଛନ୍ତି ଯେ ଗତ 20 ବର୍ଷରେ ବସୁନ୍ଦରା ରାଜେ ସିନ୍ଧିଆ ଓ ଅଶୋକ ଗେହଲଟଙ୍କ ଶାସନ କାଳରେ ହିଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି । ରାଜସ୍ଥାନ ଏବେ ଗାଙ୍ଗଓ୍ବାର ଏକ ପ୍ରୁମୁଖ ପେଣ୍ଠସ୍ଥଳୀ ହୋଇସାରିଲାଣି ।