ଓଡିଶା

odisha

ETV Bharat / bharat

ରାଜସ୍ଥାନର ଘୋଡା ବେପାରରେ କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କ ସମ୍ପୃକ୍ତି ଅଭିଯୋଗ, 2 ବିଧାୟକ ନିଲମ୍ବିତ

ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟ ପଛରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ହାତ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା । ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ହଟାଇବା ପାଇଁ ରଚାଯାଇଥିବା ଷଡଯନ୍ତ୍ରରେ ଗଜେନ୍ଦ୍ର ସିଂ ଶେଖାୱତ ସମ୍ପୃକ୍ତ ଥିବା ସୁରଜେୱାଲା କହିଛନ୍ତି ।

By

Published : Jul 17, 2020, 11:39 AM IST

ବିଶ୍ୱେନ୍ଦ୍ର ସିଂଙ୍କୁ
ବିଶ୍ୱେନ୍ଦ୍ର ସିଂଙ୍କୁ

ଜୟପୁର: ରାଜସ୍ଥାନ ରାଜନୀତିରେ ଚାଲିଥିବା 'କ୍ଷମତା ଯୁଦ୍ଧ' ଏବେ ରୋଚକପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ରାଜସ୍ଥାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ଏହି ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ ନେଉଛି । ତେବେ ଇତିମଧ୍ୟରେ ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟ ପଛରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ହାତ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା । ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ହଟାଇବା ପାଇଁ ରଚାଯାଇଥିବା ଷଡଯନ୍ତ୍ରରେ ଗଜେନ୍ଦ୍ର ସିଂ ଶେଖାୱତ ସମ୍ପୃକ୍ତ ଥିବା ସୁରଜେୱାଲା କହିଛନ୍ତି ।

ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ ତୁରନ୍ତ ଏଫଆଇଆର ରୁଜୁ କରି ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ ବୋଲି ସୁରଜେୱାଲା କହିଛନ୍ତି । ଏହା ବ୍ୟତୀତ ଦଳ ପାଇଲଟ କ୍ୟାମ୍ପର 2 ବିଧାୟକ ଭଓଁର ଲାଲ ଶର୍ମା ଏବଂ ବିଶ୍ୱେନ୍ଦ୍ର ସିଂଙ୍କୁ ନିଲମ୍ବନ କରିଛି । ଏହା ସହିତ ଏହି ଅଭିଯୋଗ ଉପରେ ସଚିନ ପାଇଲଟଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି ଦଳ ।

ଶୁକ୍ରବାର କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି , ରାଜସ୍ଥାନରେ ଘୋଡା ବେପାର ହେଉଥିବା ଅଡିଓ କ୍ଲିପରେ ସ୍ପଷ୍ଟ ହୋଇଛି । ଏହି କ୍ଲିପରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ବିଜେପି ନେତା ସଞ୍ଜୟ ଜୈନ ଏବଂ କଂଗ୍ରେସ ବିଧାୟକ ଭଓଁର ଲାଲ ଶର୍ମା ବିଧାୟକଙ୍କୁ ଲାଞ୍ଚ ଦେବା ଏବଂ ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବା ନେଇ କଥା ହେଉଥିବା ଶୁଣିବାକୁ ମିଳିଛି। ଏନେଇ ଆମେ ରାଜସ୍ଥାନ ସରକାର ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG)କୁ ଏଫଆଇଆର ରୁଜୁ କରିବା ସହ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କରୁଛୁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ବିରୋଧରେ SOG ଏକ ଏଫଆଇଆର ରୁଜୁ କରୁ ଏବଂ ଏହି ଅଡିଓ କ୍ଲିପର ତଦନ୍ତ କରୁ । ଏଥିସହ ସୁରଜେୱାଲା ସୂଚନା ଦେଇଛନ୍ତି ଯେ, ବିଦ୍ରୋହୀ ବିଧାୟକ ଭଓଁର ଲାଲ ଶର୍ମା ଏବଂ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ସେପଟେ ଏନେଇ ସଚିନ ପାଇଲଟଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି ଦଳ । ଏନେଇ ସୁରଜେୱାଲା କହିଛନ୍ତି, ବରଖାସ୍ତ ହୋଇଥିବା ଉପମୁଖ୍ୟମନ୍ତ୍ରୀ ଆଗକୁ ଆସି ବିଜେପିକୁ ବିଧାୟକଙ୍କ ତାଲିକା ପ୍ରଦାନ ଅଭିଯୋଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ।

ଏହାପୂର୍ବରୁ ଗତକାଲି କଂଗ୍ରେସ ତିନୋଟି ଅଡିଓ କ୍ଲିପ୍ ପ୍ରକାଶ କରିଥିଲା ​​। ଯେଉଁଥିରେ ବିଧାୟକ କିଣା ବିକା ନେଇ ଆଲୋଚନା ଚାଲିଥିବା ଜଣାପଡିଥିଲା । କେନ୍ଦ୍ରମନ୍ତ୍ରୀ ଶେଖାୱତ ସଞ୍ଜୟ ଜୈନଙ୍କ ମାଧ୍ୟମରେ କଂଗ୍ରେସ ବିଧାୟକ ଭଓଁରଲାଲ ଶର୍ମାଙ୍କ ସହ ଯୋଗାଯୋଗ ମଧ୍ୟ କରିଥିବା ଗେହଲଟ ସରକାରଙ୍କ ପକ୍ଷରୁ ପ୍ରେସ ନୋଟ ଜାରି କରି କୁହାଯାଇଥିଲା ।

ABOUT THE AUTHOR

...view details