ନୂଆଦିଲ୍ଲୀ: ଭାରତ-ଚୀନ ବିବାଦକୁ ନେଇ ମୋଦି ସରକାରକୁ ପୁଣି ଘେରିଛି କଂଗ୍ରେସ । ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛି ଦଳ । ଏହାସହ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଥିବା ଦର୍ଶାଇ ଏହା ଭାରତ ପ୍ରତି ବିପଦ ବୋଲି କଂଗ୍ରେସ ନେତା ରାଜୀବ ଶୁକ୍ଳା ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ନଗଦ ସାଟେଲାଇଟ ଚିତ୍ର ଦେଖାଇବା ସହ ଚୀନ କିପରି ସୀମା ଅଞ୍ଚଳରେ ନିଜର ନିର୍ମାଣ କାର୍ଯ୍ୟ ଜାରି ରଖିଛି ତାହା ଦେଖାଇଛନ୍ତି । ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ପାଇଁ ନିର୍ମାଣ କାମ ଚୀନ କରୁଥିବା ସେ କହିବା ସହ ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଦର୍ଶାଇଛନ୍ତି ।
ସାଟେଲାଇଟ ଚିତ୍ର ଦେଖାଇବା ସହ ଡୋକା ଲା ଓ ନାକୁ ଲା ପଏଣ୍ଟ ଅଞ୍ଚଳରେ ଚୀନ କିପରି ନିଜର ନିର୍ମାଣ କାମ କରୁଛି ତାହା ଦେଖାଇଛନ୍ତି । ଯେଉଁଠିକି ମେ9 ତାରିଖରେ 7 ଜଣ ଭାରତୀୟ ଯବାନ ଆହତ ହୋଇଥିଲେ ।
ଚୀନ ଏଭଳି ରଣନୀତି ପ୍ରସ୍ତୁତ କରୁଛି ଯେଉଁଠିକି ତାର ଅଧିକ ଯବାନ ରହିପାରିବେ । ଫଳରେ ଅରୁଣାଚଳ ପ୍ରଦେଶ ସମେତ ଉତ୍ତରପୂର୍ବ ଅଞ୍ଚଳରେ ସେ ତାର ଅଧିକ ସୈନ୍ୟ ମୁତୟନ କରିପାରିବ ବୋଲି ଏପରି ନିର୍ମାଣ କାର୍ଯ୍ୟ କରିଥିବା ସେ ଦର୍ଶାଇଛନ୍ତି ।
ଯାହା ଚିକେନ ଲେଗ୍ ଉପରେ ବିପଦ ବୋଲି ସେ କହିଛନ୍ତି । ଏହାସହ ଚୀନର ନିର୍ମାଣ କାମ ଦେଖିଲେ ଏହା ଜଣାପଡୁଛି ଯେ, ସେ ଆମକୁ ଚାରିଆଡୁ ଘେରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଯାହାକି ଭାରତ ପାଇଁ ଚିନ୍ତା କରିବାର ବିଷୟ ବୋଲି ଶୁକ୍ଳା କହିବା ସହ ସେପ୍ଟେମ୍ବର 14 ତାରିଖରୁ ବସିବାକୁ ଥିବା ମୌସୁମୀ ଅଧିବେଶନରେ ଏହା ଉପରେ ଆଲୋଚନା କରିବାକୁ ସେ ସରକାରଙ୍କୁ ଜଣାଇଛନ୍ତି ।