ହାଇଦ୍ରାବାଦ: ଡାକ୍ତର, ଡାକ୍ତରଖାନା, ଔଷଧ ଏବଂ ଆବଶ୍ୟକୀୟ ଚିକିତ୍ସା ସୁବିଧା ସୁଯୋଗର ଅଭାବ ଆଦି ସମସ୍ୟା ସ୍ଵାସ୍ଥ୍ୟକ୍ଷେତ୍ରରେ କିଛି ନୂଆ କଥା ନୁହେଁ। ହେଲେ ସରକାର ଏ ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ପ୍ରଚେଷ୍ଟା କରିବା ବଦଳରେ ଚିରାଚରିତ ଭାବେ କିଛି ପଦକ୍ଷେପ ଗ୍ରହଣ କରନ୍ତି, ଯାହାଦ୍ଵାରା ସମସ୍ୟା ସମାଧାନ ହେବା ବଦଳରେ ଜନସାଧାରଣଙ୍କ ଲାଗି ଏକ ବୋଝ ଭାବେ ଉଭା ହୋଇଛି।
ଦେଶରେ ସାଧାରଣ ଲୋକଟିଏ ନିଜର ସ୍ଵାସ୍ଥ୍ୟ ଖରାପ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ଏମିତିକି ଗ୍ରାମାଞ୍ଚଳରେ ଥିବା ଅନେକ ଲୋକ ସେମାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ମୁକାବିଲା କରିବାଲାଗି ଆବଶ୍ୟକ ଚିକିତ୍ସା ସୁବିଧା ପାଇପାରୁ ନାହାଁନ୍ତି। ଏହାର ଏକ ପ୍ରମୁଖ କାରଣ ହେଉଛି ଆମ ଦେଶରେ ଡାକ୍ତରଙ୍କ ଅଭାବ। ଯେତେବେଳେ ବିଶ୍ଵସ୍ଵାସ୍ଥ୍ୟ ସଙ୍ଗଠନ ପ୍ରତି ଏକ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତରଙ୍କ ଉପଲବ୍ଧି ଅନୁଭବ କରନ୍ତି, ସେତେବେଳେ ଭାରତରେ ଜଣେ ଡାକ୍ତରଙ୍କୁ ହାରାହାରି ୧୦ ହଜାର ୧୮୯ ରୋଗୀଙ୍କ ଚିକିତ୍ସା କରିବାକୁ ପଡ଼ିଥାଏ। ମିଳିଥିବା ତଥ୍ୟ ଅନୁସାରେ ଏବେ ଆମ ଦେଶରେ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ମାତ୍ର ୬ ଲକ୍ଷ ଡାକ୍ତର ଏବଂ ପାଖାପାଖି ୨୦ ଲକ୍ଷ ନର୍ସ କାର୍ଯ୍ୟରତ ରହିଛନ୍ତି।
ଆମ ଦେଶର ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୦ କୋଟି ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତି। ଏହା ସମଗ୍ର ଦେଶର ଅର୍ଥନୀତି ପାଇଁ ଏକ ବୋଝ ସଦୃଶ। ହେଲେ ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ବ୍ୟବସ୍ଥା କରାଇପାରୁ ନଥିବାରୁ ଆମ ଦେଶର ଚିକିତ୍ସା ବ୍ୟବସ୍ଥା ବିଶ୍ଵର ଅନ୍ୟ ଦେଶଙ୍କ ଠାରୁ ଅନେକ ପଛରେ ପଡ଼ି ରହିଛି। ବିଶ୍ଵର ୧୧୭ଟି ଦେଶରେ ଉପଲବ୍ଧ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥାକୁ ଦେଖିଲେ ଆମ ଦେଶ ୧୦୨ ସ୍ଥାନରେ ରହିଛି। ଅର୍ଥାତ୍ ଗୁଣାତ୍ମକ ଚିକିତ୍ସା ସୁବିଧା ଆମ ଦେଶ ଲାଗି ଏକ ଚିନ୍ତାଜନକ ବିଷୟ। ଖାଲି ସେତିକି ନୁହେଁ, ଯକ୍ଷ୍ମା, ହୃଦ୍ଜନିତ ରୋଗ, କ୍ୟାନ୍ସର ଏବଂ କିଡ୍ନୀ ରୋଗର ଚିକିତ୍ସା କ୍ଷେତ୍ରରେ ଭାରତ ଯଥେଷ୍ଟ ପଛରେ ପଡ଼ି ରହିଛି। ଅପରପକ୍ଷେ ଆମର ପଡ଼ୋଶୀ ଦେଶ ଯେମିତି ଚୀନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଭୂଟାନରେ ଆମ ଦେଶ ଅପେକ୍ଷା ଭଲ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେଉଛି।
ଆମ ଦେଶର ମାତ୍ର ୨୦ ପ୍ରତିଶତ ଲୋକ ସ୍ଵାସ୍ଥ୍ୟବୀମା କରାଇପାରିଛନ୍ତି। ଏଥିପାଇଁ ଅନେକ କାରଣ ଦାୟୀ। ଏହା ଭିତରେ ଏକ ମୁଖ୍ୟ କାରଣ ହେଲା ଆମ ଦେଶର ଗ୍ରାମାଞ୍ଚଳ ଲୋକଙ୍କୁ ବୀମା କମ୍ପାନୀ କମ ବୀମାରାଶିରେ ବୀମା ବିକ୍ରି କରିବା ପାଇଁ ଅରାଜିବ୍ୟକ୍ତ କରନ୍ତି। ଏହା ବ୍ୟତୀତ ଆମ ଲୋକଙ୍କ ଭିତରେ ସ୍ଵାସ୍ଥ୍ୟବୀମାର ଉପକାରିତା ବାବଦରେ ଜ୍ଞାନ ନ ଥିବା ଲକ୍ଷ୍ୟ କରାଯାଇଥାଏ। ଅପରପେକ୍ଷ ସରକାର ପ୍ରଣୟନ କରୁଥିବା ଚିକିତ୍ସା ଭିତ୍ତିକ ଯୋଜନା ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରେ ନାହିଁ। ସ୍ଵାସ୍ଥ୍ୟ କ୍ଷେତ୍ରରେ ସ୍ଵଳ୍ପ ପୁଞ୍ଜି ଖର୍ଚ୍ଚ ବ୍ୟବସ୍ଥା କରିବା ଏବଂ ହସ୍ପିଟାଲ ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଏଠାକାର ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ ହୋଇ ରହିଛି।
ଏହି ଆବଶ୍ୟକକୁ ଲକ୍ଷ୍ୟ କରି ୨୦୧୭ ମସିହାରେ କେନ୍ଦ୍ର ସରକାର ଜାତୀୟ ସ୍ଵାସ୍ଥ୍ୟ ଯୋଜନା ପ୍ରଣୟନ କରିଥିଲେ। ଗତ ସେପ୍ଟେମ୍ବର ୨୩ ତାରିଖରେ ନୀତିଗତ ଭାବେ ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ ଯୋଜନାର ଶୁଭାରମ୍ଭ ହେଲା। ଏହାର ଲକ୍ଷ୍ୟ ରହିଲା ଯେ, ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ଯାଏ ବୀମା ରାଶି ସୁବିଧାରେ ଅନ୍ତର୍ଭୁକ୍ତ କରାଇବା। ପାଖାପାଖି ୫୦ କୋଟି ଲୋକଙ୍କୁ ଏହି ବୀମା ସୁବିଧାରେ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ସରକାର ତଥ୍ୟ ରଖୁଛନ୍ତି। ତଥାପି ଏହି ଏହି ଯୋଜନା ତାର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଏବେ ପ୍ରତି ପରିବାରକୁ ସେମାନଙ୍କ ରୋଜଗାର ରାଶିର ୨୦ ପ୍ରତିଶତରୁ ୮୦ ପ୍ରତିଶତ ଅର୍ଥ ଔଷଧ ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଶସ୍ତାରେ ଔଷଧ ଯୋଗାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଜନଔଷଧୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ଏଥିଲାଗି ଜନଔଷଧୀ କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ଭିତରେ ୫୦୦୦ରୁ ଅଧିକ ଔଷଧ କେନ୍ଦ୍ର ଦେଶର ବିଭିନ୍ନ ସ୍ଥାନରେ ଖୋଲିଛି।