ହାଇଦ୍ରାବାଦ: କୋଇଲା ଖନନ କ୍ଷେତ୍ରରେ ଭାରତ ସରକାରଙ୍କ ଉଦ୍ୟୋଗ ‘କୋଲ ଇଣ୍ଡିଆ’ର ଏକଛତ୍ରବାଦକୁ ପ୍ରଶମିତ କରିବାକୁ ଯାଇ କେନ୍ଦ୍ର ସରକାର ଘରୋଇ କ୍ଷେତ୍ରଗୁଡ଼ିକର ସହଯୋଗ ତଥା ପୁଞ୍ଜି ନିବେଶ ଆହ୍ବାନ କରିଛନ୍ତି । ଏହାଦ୍ଵାରା ଘରୋଇ କମ୍ପାନୀମାନେ ଏଣିକି ବ୍ୟବସାୟିକ ଭିତ୍ତିରେ କୋଇଲା ଖନନ କରିପାରିବେ। ଏଥିନେଇ ଖଣି ଓ ଖଣିଜ ବିକାଶ ( ବିକାଶ ଓ ନିୟନ୍ତ୍ରଣ) ଆଇନରେ ଆବଶ୍ୟକ ସଂଶୋଧନ ଆଣିବାରେ କେନ୍ଦ୍ର କ୍ୟାବିନେଟ୍ ସହମତି ପ୍ରକାଶ କରିଛନ୍ତି। ପୁଣି ଆଇନର ସଂଶୋଧିତ ଅଂଶକୁ ଯଥାଶୀଘ୍ର କାର୍ଯ୍ୟରେ ଲଗାଇବା ଉଦ୍ଦେଶ୍ୟରେ ସରକାର ଏକ ଜରୁରୀ ଅଧ୍ୟାଦେଶ ବି ଜାରି କରିଛନ୍ତି । ଫେବୃୟାରୀ ୨୦୧୮ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଦ୍ଵାରା ଆଶା କରାଯାଇଛି ଯେ କୋଇଲା କ୍ଷେତ୍ରର ଆବଶ୍ୟକ ବିକାଶ ହୋଇପାରିବ। କିନ୍ତୁ ବାସ୍ତବରେ ଖଣି ପରିଚାଳନାରେ ପ୍ରତିଦ୍ଵନ୍ଦ୍ଵିତା ସୃଷ୍ଟି ଦିଗରେ ଥିବା ପ୍ରତିବନ୍ଧକ ତଥା ସମସ୍ୟାର ସମାଧାନ ହୋଇପାରି ନାହିଁ । ଯଦି ସରକାର ଚାହୁଁଛନ୍ତି ଏ କ୍ଷେତ୍ରରେ ପ୍ରତିଦ୍ଵନ୍ଦ୍ଵିତା ବଢ଼ୁ ଏବଂ ବିଦେଶୀ ପୁଞ୍ଜି ନିବେଶ ବଢ଼ୁ, ତେବେ ସରକାରଙ୍କୁ ଏଥିନେଇ ଆବଶ୍ୟକ ହେଉଥିବା ପ୍ରତିଦ୍ଵନ୍ଦ୍ଵତା ମୂଳକ ଖନନ ପାଇଁ ଆଗ୍ରହ ପ୍ରକାଶ ପ୍ରକ୍ରିୟା ପ୍ରତି ଧ୍ୟାନ ଦେବାକୁ ହେବ।
ଭାରତ ବର୍ଷରେ ଏଯାଏଁ ଶକ୍ତି ଓ ଇସ୍ପାତ କ୍ଷେତ୍ରର ବ୍ୟବସାୟିକ ସଂସ୍ଥା ଯାହାଙ୍କର ଭାରତରେ କୋଇଲା ଖଣି ପରିଚାଳନା କ୍ଷେତ୍ରରେ ପୂର୍ବ ଅଭିଜ୍ଞତା ରହିଛି ସେମାନେ ହିଁ ପ୍ରତିଦ୍ଵନ୍ଦ୍ଵିତା ଲାଗି ସୁଯୋଗ ପାଇପାରୁଛନ୍ତି । ଏହି ନୂଆ ଅଧ୍ୟାଦେଶରେ କିନ୍ତୁ ଏ ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଆଗ୍ରହ ପ୍ରକାଶ ନୋଟିସ୍ରେ ସରକାରଙ୍କ ପକ୍ଷରୁ ଏ କ୍ଷେତ୍ରକୁ ଅଧିକ ଖୋଲା କରାଯିବାକୁ ଚେଷ୍ଟା କରାଯାଇଛି। ଫଳରେ ଉଭୟ ଘରୋଇ ଓ ବିଦେଶୀ କମ୍ପାନୀ କୋଇଲା ଖଣି ଲାଗି ଆବେଦନ କରିପାରିବେ। ଅନ୍ତର୍ଜାତୀୟ କ୍ଷେତ୍ରରେ ନାଁ କରିଥିବା କମ୍ପାନୀ ଯେମିତି ପି’ବଡୀ, ଗ୍ଲେନ୍ କୋର ଏବଂ ରିଓ ଟିଣ୍ଟୋ ଭଳି ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଛନ୍ତି । ସିମେଣ୍ଟ, ଷ୍ଟିଲ୍ ଓ ବିଜୁଳି ଶିଳ୍ପ ଗୁଡ଼ିକୁ କାର୍ଯ୍ୟରତ ରଖିବା ଲାଗି ସେମାନଙ୍କ ମୁଖ୍ୟ ଆବଶ୍ୟକତା ଭାବେ କୋଇଲାର ଯୋଗାଣ ନିରନ୍ତର ରଖାଯିବା ଆବଶ୍ୟକ। ବାସ୍ତବରେ ଆମ ଦେଶରେ କୋଇଲା ଖଣି ଥିଲେ ମଧ୍ୟ ସେଗୁଡ଼ିକର ଉତ୍ପାଦନ ଠିକଣା ଭାବେ ହୋଇପାରୁ ନଥିବାରୁ ଆମ ଦେଶର ଚାହିଦା ମେଣ୍ଟାଇବା ଲାଗି ପ୍ରତିବର୍ଷ ବିଦେଶରୁ ପାଖାପାଖି ୨୩ ବିଲିୟନ ଟନ୍ କୋଇଲା ଆମଦାନୀ କରିବାକୁ ହୋଇଥାଏ । ଯଦି ଆମେ ଆମ ଦେଶର ସିମେଣ୍ଟ, ବିଜୁଳି ଓ ଇସ୍ପାତ ଶିଳ୍ପର ଆବଶ୍ୟକତାକୁ ମେଣ୍ଟାଇ ପାରିବା ତବେ ପାଖାପାଖି ୧୩ କୋଟି ଟଙ୍କା ବଞ୍ଚିପାରନ୍ତା । ଏହାଛଡ଼ା ସରକାର ଆଶା ରଖିଛନ୍ତି ଯେ, ଏହିଭଳି ପ୍ରତିଦ୍ଵନ୍ଦ୍ଵିତା ସୃଷ୍ଟି ଫଳରେ କୋଇଲା ଉତ୍ପାଦନ ବଢ଼ିପାରିବ । ଆଶା କରାଯାଉଛି ଯେ, ବିଦେଶୀ ପୁଞ୍ଜିନିବେଶ ହେବା ଦ୍ଵାରା ବୈଜ୍ଞାନିକ ଶୈଳୀରେ ଖଣି ପରିଚାଳନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। କିନ୍ତୁ ଏସବୁ ନହେବା ଦ୍ଵାରା ବର୍ଷ ପରେ ବର୍ଷ ଆମର ନିର୍ମାଣ ଶିଳ୍ପ କୋଇଲାର ଅଭାବ ପରିଲକ୍ଷିତ କରୁଛି।
କୋଲ୍ ଇଣ୍ଡିଆ ଯାହା ଭାରତର ଘରୋଇ ଆବଶ୍ୟକତା ମାତ୍ର ଦୁଇ ତୃତୀୟାଂଶ ପୂରଣ କରିବାକୁ ସକ୍ଷମ ସେ ବି ତାହାର ଟାର୍ଗେଟ ହାସଲରେ ବିଫଳ ହୋଇ ଚାଲିଛି । ଫଳରେ ଦେଶର ଆମାଦାନୀ ପରିମାଣ ଦିନକୁ ଦିନ ବଢ଼ୁଛି । କୋଇଲା ଖଣି ଗୁଡ଼ିକର ଜାତୀୟକରଣ ହେବା ପରେ ୧୯୭୩ ମସିହାରେ କୋଲ୍ ଇଣ୍ଡିଆ ଗଠନ ହୋଇଥିଲା । ପ୍ରଥମ ଦିନରୁ ହିଁ ଏହି ଉଦ୍ୟୋଗ ଇନ୍ଧନ ପାଇଁ ନିର୍ଭର କରୁଥିବା କମ୍ପାନୀମାନଙ୍କ ଇନ୍ଧନ ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ । ନିକଟରେ ମୋଦି ସରକାର ଏଥିରେ କିଛି ସଂଶୋଧନ ଆଣିବାକୁ ଚେଷ୍ଟା କରିଛନ୍ତି। ଫଳ ସ୍ଵରୂପ କୋଇଲା ଉଦ୍ୟୋଗରେ ଟେକ୍ନୋଲୋଜି ଓ ପୁଞ୍ଜି ନିବେଶର ଆଶା ଫିଟିଛି । ଏକ ନବରତ୍ନ କମ୍ପାନୀ ଭାବେ ପରିଚିତ କୋଲ୍ ଇଣ୍ଡିଆ ଲିମିଟେଡ୍ ବର୍ଷକୁ ୬୦ କୋଟି ଟନ୍ କୋଇଲା ଖନନ କରିଥାଏ । ଯଦି ଏହି କମ୍ପାନୀ ନିଜର ଟାର୍ଗେଟ ହାସଲ କରିବାରେ ସୁଧାର ନଆଣେ ତବେ ୨୦୨୩-୨୪ ବେଳକୁ ଏହାର ପରିସ୍ଥିତି ବିଏସଏନଏଲ ସଦୃଶ ହେବ। ଅର୍ଥାତ୍ ଘରୋଇ କମ୍ପାନୀମାନଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା ନକରିପାରି ଅଣ ନିଃଶ୍ଵାସୀ ହୋଇପଡ଼ିବ। ବିଦେଶୀ ପୁଞ୍ଜି ନିବେଶକୁ ଅଧିକ ପ୍ରଶ୍ରୟ ଦେଉଥିବା ଏହି ସରକାର କୋଇଲା କ୍ଷେତ୍ରରେ ବିକାଶ ପାଇଁ ଆଇନରେ ସଂଶୋଧନ ଆଣିଥିଲେ କୋଲ୍ ଇଣ୍ଡିଆରେ କାମ କରୁଥିବା ୩୦ ଲକ୍ଷ ଲୋକଙ୍କ ଜୀବନ ଜୀବୀକା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏବେ କେନ୍ଦ୍ର କୋଇଲା ଓ ଖଣିଜ ବିକାଶ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିଶ୍ରୁତିକୁ ଲକ୍ଷ୍ୟ କରି ଅଣ ପାରମ୍ପରିକ ଶକ୍ତିରେ କାର୍ଯ୍ୟ କରିବ ବା ନକରିବ ତାହା କୋଲ୍ ଇଣ୍ଡିଆ ଉପରେ ନିର୍ଭର କରେ । କୋଇଲା ଖନନ କ୍ଷେତ୍ରରେ ହେଉଥିବା ବିଦେଶୀ ପୁଞ୍ଜି ବିନିଯୋଗରେ ସ୍ଥିରତା ଆସିବା ଭିତରେ ଯଦି କୋଲ୍ ଇଣ୍ଡିଆ ତାହାର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦିତ କରି ନିଜର ଟର୍ଗେଟ ହାସଲ କରିବାରେ ସକ୍ଷମ ହୁଏ, ତବେ ତାହା ଦେଶର ବିକାଶରେ ସହାୟକ ହେବ।