ଜୟପୁର: ରାଜସ୍ଥାନ ରାଜନୀତିର ହାଇଭୋଲଟେଜ ଡ୍ରାମାରେ ବିଦ୍ରୋହୀ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ସରକାରଙ୍କୁ ଦୁର୍ବଳ କରିବା ପାଇଁ ବିଜେପି ଦ୍ବାରା ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଅଶୋକ ଗେହଲଟ କହିଛନ୍ତି । ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେମାନେ 'ଆ ବଳଦ ମୋତେ ମାର' ବୁଦ୍ଧି ପ୍ରୟୋଗ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛନ୍ତି । ଏଥିସହ କ୍ୟାବିନେଟରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ସବିଶେଷ ସୂଚନା ଦେଇଛନ୍ତି । ଏଠାରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ସିଏମ ଅଶୋକ କହିଛନ୍ତି ଯେ, ବିଜେପି ପକ୍ଷରୁ ଟଙ୍କା ଏବଂ ଏଜେନ୍ସିର ବଳ ପ୍ରୟୋଗ କରି ନିର୍ବାଚିତ ସରକାର ଦୁର୍ବଳ କରାଯାଉଛି । ପ୍ରଥମେ ମଧ୍ୟପ୍ରଦେଶରେ କରାଯାଇଥିଲା, ବର୍ତ୍ତମାନ ରାଜସ୍ଥାନରେ ।
ଅଶୋକ ଗେହଲଟ କହିଛନ୍ତି ଯେ, କଂଗ୍ରେସ ବିଜେପିର ଚକ୍ରାନ୍ତ ଓ ଯୋଜନାକୁ କଦାପି ସଫଳ ହେବାକୁ ଦେବ ନାହିଁ । ସଚିନ ପାଇଲଟଙ୍କ ବିଷୟରେ ସେ କହିଛନ୍ତି ଯେ, ଦଳରୁ ଅନେକ ଅନେକ ସୁଯୋଗ ଦିଆଯାଇଥିଲା, ଆଜି ତାଙ୍କ ପାଇଁ ବୈଠକ ଡକାଯାଇଥିଲା, କିନ୍ତୁ କେହି ଆସି ନଥିଲେ। ।
ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି ଯେ, ରିସୋର୍ଟରୁ ଆରମ୍ଭ କରି କଂଗ୍ରେସର ବିଦ୍ରୋହ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ବିଜେପି ଦ୍ବାରା କରାଯାଉଛି । ଅଶୋକ ଗେହଲଟ କହିଛନ୍ତି ଯେ, ଜନତା ଆମକୁ ସମର୍ଥନ କରିଛନ୍ତି, କିନ୍ତୁ ବିଜେପି ଏହାକୁ ଗ୍ରହଣ କରିପାରୁନାହିଁ ।