କର୍ଣ୍ଣାଟକ: ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଦେଶବାସୀ । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ନିଜର ମତଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି କର୍ଣ୍ଣାଟକ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ତାଙ୍କ ପତ୍ନୀ ଅନିଥା କୁମାରସ୍ବାମୀ ଓ ପୁତ୍ରଙ୍କ ସହ ରାମନଗରାରେ ଭୋଟ୍ ଦେଇଛନ୍ତି। ସେହିପରି ତାଙ୍କ ସହ ମାଣ୍ଡ୍ୟା, ନିଖିଲର ଜେଡିଏସ୍ ପ୍ରାର୍ଥୀ ମଧ୍ୟ ମତଦାନ କରିଛନ୍ତି। ଭୋଟ୍ ଦେଇସାରି କୁମାରସ୍ବାମୀ ବିଜେପିକୁ ଆକ୍ଷେପ କରି କହିଛନ୍ତି ଯେ ଆଞ୍ଚଳିକବାଦ ଓ ବଂଶବାଦ ରାଜନୀତି ଦେଶର ମୁଖ୍ୟ ସମସ୍ୟା ନୁହେଁ। ଏହି ରାଜନୀତି ପାଇଁ ଅନେକ ରାଜ୍ୟରେ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି।
ସେହିପରି ହସନ ପଡୁଭଲାହିପେର ପୋଲିଂ ବୁଥ୍ରେ ମତଦାନ କରିଛନ୍ତି କୁମାରସ୍ବାମୀଙ୍କ ବାପା ତଥା ଜେଡିଏସ ନେତା ଏଚଡି ଦେବେଗୌଡା। ତାଙ୍କ ପତ୍ନୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ଭୋଟ୍ ଦେଇଛନ୍ତି ।
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ମଧ୍ୟ ତାଙ୍କ ପତ୍ନୀ କନ୍ନିକା ପରମେଶ୍ବରୀଙ୍କ ସହ ଟୁମକୁର କୋରାଟାଗେରେର ପୋଲିଂ ବୁଥ୍ରେ ମତଦାନ କରିଛନ୍ତି। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସିଏମ ଇଡାପ୍ପଡି କେ ପଲାନିସ୍ବାମୀ ସିଲମ ଇଡାପ୍ପଡିର ଏକ ପୋଲିଂ ବୁଥ୍ରେ ମତଦାନ କରିଛନ୍ତି।
ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମି ଏବଂ ଉପରାଜ୍ୟପାଳ କିରଣ ବେଦୀ। ଏହାସହ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଓ ରାଜ୍ୟପାଳ ନଜମା ହେପ୍ତୁଲ୍ଲା ମଧ୍ୟ ଇମ୍ଫାଲ ପୋଲିଂ ବୁଥ୍ରେ ଭୋଟ୍ ଦେଇଛନ୍ତି ।