ନୂଆଦିଲ୍ଲୀ: ହଷ୍ଟେଲ ଫିସ ବୃଦ୍ଧି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଜେଏନୟୁ କୁଳପତି ଏମ ଜଗଦିଶ କୁମାରଙ୍କ ବରଖାସ୍ତ ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘଦିନରୁ ଚାଲିଥିବା ଏହି ସମସ୍ୟାର ସମାଧାନ ନହେବାରୁ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର। ଏନେଇ ଶୁକ୍ରବାର ଜେଏନୟୁ ପ୍ରଶାସନ ଏବଂ ଛାତ୍ର ପ୍ରତିନିଧିଙ୍କ ସହ ଅଲଗା ଅଲଗା ଆଲୋଚନା କରିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସଚିବ ଅମିତ ଖାରେ। ଆଲୋଚନା ପରେ ଜାନୁଆରୀ 13 ତାରିଖରୁ ପାଠପଢା ଆରମ୍ଭ ହେବ ବୋଲି ଜେଏନୟୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏମଏଚଆରଡି ସହ ଜେଏନୟୁ ଛାତ୍ରଙ୍କ ଆଲୋଚନା, ଜାନୁଆରୀ 13ରୁ ପାଠପଢା - ଏମଏଚଆରଡି ସହ ଆଲୋଚନା କଲେ ଜେଏନୟୁ ଛାତ୍ର
ଜାନୁଆରୀ 13 ତାରିଖରୁ ଜେଏନୟୁରେ ପାଠପଢା ଆରମ୍ଭ ହେବ ବୋଲି ଜେଏନୟୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଛାତ୍ର ଏବଂ ଶିକ୍ଷକଙ୍କ ଶିକ୍ଷାଗତ ଗତିବିଧିକୁ ଆଗକୁ ବଢାଇବା ପାଇଁ ଅନୁକୂଳ ବାତାବରଣ ସ୍ଥାପନା ପାଇଁ ପ୍ରୟାସ କରିବ ପ୍ରଶାସନ।
ଶୁକ୍ରବାର ପ୍ରଥମେ ଜେଏନୟୁ କୁଳପତିଙ୍କ ସମେତ ବିଶ୍ବବିଦ୍ୟାଳୟ ପ୍ରଶାସନର 5 ଜଣିଆ ସଦସ୍ୟ ଦଳ ଅମିତ ଖାରେଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ଖାରେ ଜେଏନୟୁ ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷଙ୍କ ଆଧ୍ୟକ୍ଷତାରେ ଆସିଥିବା ଛାତ୍ରଙ୍କ ସହ ବୈଠକ କରିଥିଲେ। ବୈଠକ ପରେ କୁଳପତି ଜଗଦିଶ କୁମାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଡିସେମ୍ବର 11 ତାରିଖରେ ଜାରି ଏମଏଚଆରଡି ସହ ହୋଇଥିବା ଆଲୋଚନାର ରେକର୍ଡ ଲାଗୁ ହେବ। ଏହା ସହିତ ଛାତ୍ର ଏବଂ ଶିକ୍ଷକଙ୍କ ଶିକ୍ଷାଗତ ଗତିବିଧିକୁ ଆଗକୁ ବଢାଇବା ପାଇଁ ଅନୁକୂଳ ବାତାବରଣ ସ୍ଥାପନା ପାଇଁ ପ୍ରଶାସନ ପ୍ରୟାସ କରିବ। ଏଥିପାଇଁ ଛାତ୍ର ମଧ୍ୟ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫିସ ବୃଦ୍ଧି ସମ୍ବନ୍ଧୀୟ ଉପଯୋଗୀତା ଏବଂ ସେବାଶୁଳ୍କକୁ ପୁରଣ କରିବା ପାଇଁ ଜେଏନୟୁ ପ୍ରସାଶନ ପକ୍ଷରୁ ୟୁଜିସିକୁ ଚିଠି ଲେଖାଯାଇଛି। ବର୍ତ୍ତମାନ ଛାତ୍ରଙ୍କୁ ସେବା ଏବଂ ଉପଯୋଗୀତା ଶୁଳ୍ପ ଦେବାକୁ ପଡିବନାହିଁ। ସେମାନଙ୍କୁ କେବଳ ହଷ୍ଟେଲର ରୁମ ଭଡା ବାବଦରେ 300 ଟଙ୍କା ଦେବାକୁ ହେବ। ଏହି ଟଙ୍କା ଛାତ୍ରଙ୍କୁ ଭଲ ସୁବିଧା ଦେବାପାଇଁ ଉପଯୋଗ କରାଯିବ ବୋଲି ସେ କହିଛନ୍ତି । ଏହା ସହିତ ଆବଶ୍ୟକସ୍ଥଳେ ଶୀତକାଳୀନ ସେମିଷ୍ଟାର ପାଇଁ ପଞ୍ଜୀକରଣ ସମୟସୀମା ବୃଦ୍ଧି କରିବା ପାଇଁ ଏମଏଚଆରଡିକୁ ସୂଚିତ କରାଯାଇଛି ବୋଲି କୁଳପତି କହିଛନ୍ତି।