ଥିରୁଅନନ୍ତପୁରମ: କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି । ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କୋଝିକୋଡ ବିମାନବନ୍ଦର ଗସ୍ତ କରିଛନ୍ତି। ସେଠାରେ ସେ ବିମାନ ଦୁର୍ଘଟଣା ପରର ପରିସ୍ଥିତି ଏବଂ ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ପୁରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।
ଏହା ବ୍ୟତୀତ ପୁରୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ 10 ଲକ୍ଷ ଟଙ୍କା ଆଗୁଆ ରିଲିଫ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଗୁଆ ସହାୟତା ଭାବରେ ଆମେ ମୃତକଙ୍କ ସମ୍ପର୍କୀୟଙ୍କୁ 10 ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ 50,000 ଟଙ୍କା ପ୍ରଦାନ କରିବୁ ବୋଲି ସେ କହିଛନ୍ତି। ତେବେ ଅନ୍ୟାନ୍ୟ କ୍ଷତିପୂରଣ, ଯାହା ବିଭିନ୍ନ ଏଜେନ୍ସି, ବିମାନର ବୀମା ଇତ୍ୟାଦିରୁ ଆସିପାରେ ବୋଲି ସେ କହିଛନ୍ତି । ବିମାନକୁ ସବୁଠାରୁ ଅଭିଜ୍ଞ ଏବଂ ପ୍ରତିଷ୍ଠିତ କମାଣ୍ଡର ଦୀପକ ସାଥେ ପରିଚାଳିତ କରୁଥିଲେ ବୋଲି ପୁରୀ କହିଛନ୍ତି ।