ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ । ଏନେଇ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବରୁ ବୁଧବାର ଏହି ବିଲ 125 ଖଣ୍ଡ ଭୋଟ ସହ ରାଜ୍ୟସଭାରେ ପାରିତ ହୋଇଥିବା ବେଳେ ସୋମବାର 311ଟି ଭୋଟରେ ବହୁମତ ପାଇ ଏହା ଲୋକସଭାରେ ମଧ୍ୟ ପାରିତ ହୋଇ ସାରିଥିଲା ।
ଏହି ନୂଆ ନାଗରିକତା ସଂଶୋଧନ ଆଇନ ଦେଶରେ ରହୁଥିବା ପାକିସ୍ତାନୀ, ଆଫଗାନୀ ଓ ବାଙ୍ଗଲାଦେଶୀ ଅଣମୁସଲିମମାନଙ୍କୁ ଭାରତୀୟ ନାଗରିକ ଭାବେ ପରିଚୟ ଦେବ । ଏହି ବିଲକୁ ନେଇ ଉତ୍ତର ପୂର୍ବ ରାଜ୍ୟ, ମୁଖ୍ୟତଃ ଆସାମରେ ଜନ ଅସନ୍ତୋଷ ତୀବ୍ରତର ହେବାକୁ ଲାଗିଥିବା ବେଳେ ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ଏବେ ଆଇନରେ ପରିଣତ ହୋଇଛି ଏହି ବିଲ । ଯାହା ଗୁରୁବାର ରାତିରୁ କାର୍ଯ୍ୟକାରୀ ମଧ୍ୟ ହୋଇଛି ।
ସମ୍ବିଧାନ ଅନୁଯାୟୀ ଷଷ୍ଠ ତାଲିକାର ଅନ୍ତର୍ଗତ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର କେତେକ ଆଦିବାସୀ ଅଞ୍ଚଳରେ ଏହି ଆଇନ ଲାଗୁ ହେବ ନାହିଁ । ଏଥିସହ ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ରେଗୁଲେସନ,1873 ମୁତାବକ ଇନର ଲାଇନ ପରମିଟ(ଆଇଏଲପି)ର ଅନ୍ତର୍ଭୁକ୍ତ ଅଞ୍ଚଳରେ ମଧ୍ୟ ଏହି ଆଇନ ଲାଗୁ ହେବ ନାହିଁ । ଯାହା ଅନୁଯାୟୀ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମରେ ଏହି ଆଇନ ଲାଗୁ ହେବ ନାହିଁ ।
ତେଣେ ଏହି ବିଲକୁ ବିରୋଧ କରି ଆସାମରେ ଜନ ଅନ୍ତୋଷ ତେଜିବାରେ ଲାଗିଛି । ଫଳରେ ଗୁରୁବାର ପୋଲିସ ଫାୟାରିଂର ଶିକାର ହୋଇ 2ଜଣ ପ୍ରାଣ ହରାଇଥିବା ବେଳେ ଜାରି ହୋଇଥିବା କର୍ଫ୍ୟୁକୁ ଖାତିର ନକରି ଗଳିକନ୍ଦିରେ ମାତିଛନ୍ତି ହଜାର ହଜାର ଲୋକେ । ପରିସ୍ଥିତିକୁ କାବୁ କରିବାକୁ ଯାଇ ବୁଧବାର ସନ୍ଧ୍ୟାରୁ 24 ଘଣ୍ଟା ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ସ୍ଥାନେ ସ୍ଥାନେ କର୍ଫ୍ୟୁ ଜାରି କରାଯାଇଥିଲା । ଯାହାକୁ ନଜରରେ ରଖି ଗୁରୁବାର ସକାଳେ ଆସାମବାସୀଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ଦେଇଥିଲେ ।
ଏହାମଧ୍ୟରେ ଇଣ୍ଡିଆନ ୟୁନିଅନ ମୁସଲିନ ଲିଗ୍(ଆଇୟୁଏମଏଲ) ଏହି ବିଲ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ସେମାନଙ୍କ କହିବା ମୁତାବକ ଏହା ଦେଶର ନାଗରିକମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ଜାତିଗତ ଭେଦଭାବ ସୃଷ୍ଟି କରୁଛି ।