ଓଡିଶା

odisha

By

Published : Dec 16, 2019, 4:30 PM IST

ETV Bharat / bharat

'ଗଣତନ୍ତ୍ରରେ ହିଂସାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ'

ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଜାରିରହିଛି। ଏଭଳି ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇନ୍‌କୁ ବିରୋଧ କରି ହିଂସାକାଣ୍ଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

citizenship-amendment-act
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି। ପୂର୍ବୋତ୍ତର ରାଜ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନ ଏବେ ଦେଶର ବଡ ବଡ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଛି। ଏପରିକି ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ହିଂସାକାଣ୍ଡ ମଧ୍ୟ ଦେଖାଦେଇଛି। ଏହି ଆଇନ୍‌ ବିରୋଧରେ ଏଭଳି ହିଂସାକାଣ୍ଡକୁ କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇନ୍‌କୁ ବିରୋଧ କରି ହିଂସାକାଣ୍ଡ ଘଟାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ହିଂସାତ୍ମକ ପ୍ରଦର୍ଶନକୁ ନେଇ ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସେ କହିଛନ୍ତି ଯେ, ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ହିଂସାକାଣ୍ଡ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ଆଲୋଚନା, ଯୁକ୍ତିତର୍କ ଏବଂ ଅସନ୍ତୋଷ ଗଣତନ୍ତ୍ରର ଏକ ଆବଶ୍ୟକ ଅଙ୍ଗ କିନ୍ତୁ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଁଞ୍ଚାଇବା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ନାଗରିକତ୍ବ ସଂଶୋଧନ ଆଇନ୍‌ ସଂସଦର ଉଭୟ ସଦନରେ ଆବଶ୍ୟକୀୟତା ଠାରୁ ଅଧିକ ସମର୍ଥନ ସହ ପାରିତ କରାଯାଇଥିଲା । ବଡ ସଂଖ୍ୟାରେ ରାଜନୈତିକ ଦଳ ଏବଂ ସାଂସଦ ଏହାର ସମର୍ଥନ କରିଥିଲେ । ଏହି ଆଇନ୍‌ ଭାରତର ପୁରାତନ ସଂସ୍କୃତିର ସ୍ବୀକୃତି, ସଦ୍‌ଭାବ, କରୁଣ ଏବଂ ଭାଇଚାରାକୁ ଦର୍ଶାଉଛି। ଏହା ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରିବା ଅନୁଚିତ ବୋଲି ମୋଦି କହିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର

ଏହା ସହିତ ଭାରତୀୟଙ୍କୁ ଆଶ୍ବାସନା ଦେଇ ମୋଦି କହିଛନ୍ତି, ଏହି ଆଇନ୍‌ କୌଣସି ଧର୍ମର ଭାରତୀୟ ନାଗରିକଙ୍କ ଉପରେ ପ୍ରଭାବ ପକାଇବ ନାହିଁ। କୌଣସି ଭାରତୀୟଙ୍କୁ ଏହି ଆଇନ୍‌ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହି ଆଇନ୍‌ କେବଳ ବର୍ଷ ବର୍ଷ ଧରି ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ଲୋକଙ୍କ ପାଇଁ, ଯେଉଁମାନଙ୍କ ପାଖରେ ଭାରତ ଛଡା ଅନ୍ୟ କୌଣସି ସ୍ଥାନ ନାହିଁ ବୋଲି ପିଏମ ମୋଦି କହିଛନ୍ତି। ଏହା ସହିତ ଶାନ୍ତି, ଏକତା ଏବଂ ଭାଇଚାରା ବଜାୟ ରଖି ଗୁଜବରୁ ଦୂରେଇ ରହିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ABOUT THE AUTHOR

...view details