ଓଡିଶା

odisha

ETV Bharat / bharat

‘ଗଲୱାନରେ ଚୀନର ଦାବି ନୂଆ ନୁହେଁ’

ସମଗ୍ର ଗଲୱାନ ଉପତ୍ୟକା ଉପରେ ଚୀନର ଦାବି ନୂଆ ନୂହେଁ ଏବଂ ପୂର୍ବରୁ ସେମାନଙ୍କ ପାଖରେ ଥିବା ସେହି ଅଞ୍ଚଳର ମାନଚିତ୍ର ଭିତ୍ତିରେ ଏହି ଦାବି କରାଯାଉଛି ବୋଲି ରଣନୀତି ବିଶେଷଜ୍ଞ ପ୍ରଫେସର ଏମ୍‌.ଟେଲର ଫ୍ରାଭେଲ କହିଛନ୍ତି । ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍‌ନୋଲୋଜିରେ ରାଜନୀତି ବିଜ୍ଞାନର ଆର୍ଥର ଆଣ୍ଡ ରଥ୍‌ ସ୍ଲୋଆନ୍‌ ପ୍ରଫେସର ଏବଂ ସିକ୍ୟୁରିଟି ଷ୍ଟଡିଜ୍‌ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ଫ୍ରାଭେଲ କହନ୍ତି ଯେ, ଚୀନ ସରକାରଙ୍କ ସାଧନ ଜରିଆରେ ସେ ଚିହ୍ନଟ କରିଥିବା ମାନଚିତ୍ର ଭିତ୍ତିରେ, ନଦୀ ମୁହାଣ କିମ୍ବା ନଦୀର ବାଙ୍କ ପର୍ଯ୍ୟନ୍ତ ଗଲୱାନ ଉପତ୍ୟକା ଉପରେ ବେଜିଂ ଅଧିକାର ଦାବି କରିଆସିଛି ଏବଂ ସଂପ୍ରତି ଭାରତ ସହ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେହି ଦାବି ପରିବର୍ତ୍ତିତ ହୋଇନାହିଁ ।

india china situation
ଗଲୱାନ ଉପରେ ଚୀନର ଦାବି ନୂଆ ନୁହେଁ

By

Published : Jul 12, 2020, 7:28 PM IST

ସ୍ମିତା ଶର୍ମା, ନୂଆଦିଲ୍ଲୀ, 11 ଜୁଲାଇ, 2020

ଏକ୍‌ସକ୍ଲୁସିଭ୍‌

‘ଯଥାପୂର୍ବ ସ୍ଥିତାବସ୍ଥା ସଂପୂର୍ଣ୍ଣ ଫେରିଆସିବା ସମ୍ଭାବନା ସ୍ପଷ୍ଟ ନୁହେଁ’

ସମଗ୍ର ଗଲୱାନ ଉପତ୍ୟକା ଉପରେ ଚୀନର ଦାବି ନୂଆ ନୂହେଁ ଏବଂ ପୂର୍ବରୁ ସେମାନଙ୍କ ପାଖରେ ଥିବା ସେହି ଅଞ୍ଚଳର ମାନଚିତ୍ର ଭିତ୍ତିରେ ଏହି ଦାବି କରାଯାଉଛି ବୋଲି ରଣନୀତି ବିଶେଷଜ୍ଞ ପ୍ରଫେସର ଏମ୍‌.ଟେଲର ଫ୍ରାଭେଲ କହିଛନ୍ତି । ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍‌ନୋଲୋଜିରେ ରାଜନୀତି ବିଜ୍ଞାନର ଆର୍ଥର ଆଣ୍ଡ ରଥ୍‌ ସ୍ଲୋଆନ୍‌ ପ୍ରଫେସର ଏବଂ ସିକ୍ୟୁରିଟି ଷ୍ଟଡିଜ୍‌ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ଫ୍ରାଭେଲ କହନ୍ତି ଯେ, ଚୀନ ସରକାରଙ୍କ ସାଧନ ଜରିଆରେ ସେ ଚିହ୍ନଟ କରିଥିବା ମାନଚିତ୍ର ଭିତ୍ତିରେ, ନଦୀ ମୁହାଣ କିମ୍ବା ନଦୀର ବାଙ୍କ ପର୍ଯ୍ୟନ୍ତ ଗଲୱାନ ଉପତ୍ୟକା ଉପରେ ବେଜିଂ ଅଧିକାର ଦାବି କରିଆସିଛି ଏବଂ ସଂପ୍ରତି ଭାରତ ସହ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେହି ଦାବି ପରିବର୍ତ୍ତିତ ହୋଇନାହିଁ । ହେଲେ, ଏହି ଦାବିକୁ ପ୍ରତିପାଦିତ କରିବା ଲାଗି ଅତୀତରେ ଚୀନ ଉକ୍ତ ଅଞ୍ଚଳରେ ଚଳାଇଥିବା କାର୍ଯ୍ୟକଳାପର ମାତ୍ରାକୁ ନେଇ ଯାହା କିଛି ପାର୍ଥକ୍ୟ ରହିଛି ବୋଲି ସେ ସ୍ମରଣ କରାଇ ଦିଅନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଥାଇ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଫେସର ଫ୍ରାଭେଲ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ସଂପୂର୍ଣ୍ଣ ଭାବେ ଯଥାପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବା କେବେହେଲେ ସମ୍ଭବ ହେବ ନାହିଁ । ଏହାର କାରଣ, ଉଭୟ ପକ୍ଷଙ୍କୁ ପ୍ରଥମେ ଅତୀତରେ ଏହାର ସ୍ଥିତି ସଂପର୍କରେ ସମ୍ମତ ହେବାକୁ ପଡ଼ିବ । ଭାରତକୁ ସମର୍ଥନ ଜଣାଇ ଆମେରିକା ଦେଇଥିବା ବିବୃତି ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ପ୍ରଫେସର ଫ୍ରାଭେଲ କହିଛନ୍ତି ଯେ, ଭାରତ-ଚୀନ ସୀମାରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଲେ ଆମେରିକା ଏଥିରେ କେତେଦୂର ପର୍ଯ୍ୟନ୍ତ ସଂପୃକ୍ତ ହେବ ସେସଂପର୍କରେ ସେ ନିଶ୍ଚିତ ନୁହନ୍ତି ।

ସେହିଭଳି, ଆଗକୁ ୱାସିଂଟନ୍‌ ଡିସି ସହିତ କେତେ ନିବିଡ଼ ଭାବରେ ସଂଯୋଜିତ ହେବ ସେ ସଂପର୍କରେ ଭାରତକୁ ମଧ୍ୟ ନିଷ୍ପତ୍ତି ନେବାକୁ ପଡ଼ିବ । ଚୀନର ବୈଦେଶିକ ଏବଂ ସୁରକ୍ଷା ନୀତି ବିଷୟରେ ଜଣେ ବିଦ୍ବାନ, ପ୍ରଫେସର ଫ୍ରାଭେଲ ‘ଆକ୍ଟିଭ୍‌ ଡିଫେନ୍‌ସ; ଚାଇନାସ୍‌ ମିଲିଟାରୀ ଷ୍ଟ୍ରାଟେଜି ସିନ୍‌ସ 1949’ ଶୀର୍ଷକ ପୁସ୍ତକର ରଚୟିତା । ଚୀନ ସହ ସଂପର୍କର ସମୀକରଣ ଏବଂ ପ୍ରତିରକ୍ଷା ସଂକ୍ରାନ୍ତରେ ଭାରତ ସହ ସମ୍ବନ୍ଧ ଦୃଷ୍ଟିରୁ ଏହି ବିବାଦରେ ରୁଷର ଭୂମିକା ସଂପର୍କରେ ପ୍ରଫେସର ଫ୍ରାଭେଲ କହିଲେ ଯେ, ଅତୀତର ଦୃଷ୍ଟାନ୍ତରୁ ଏହା ସ୍ପଷ୍ଟ ଯେ ରୁଷ ସହ ଗୁରୁତ୍ବପୂର୍ଣ୍ଣ ସଂପର୍କ ରଖିଥିବା ବୃହତ୍‌ ଦେଶ ମଧ୍ୟରେ ବିବାଦ ସ୍ଥଳରେ ରୁଷ ନିରପେକ୍ଷ ରହିଆସିଛି । ପ୍ରଫେସର ଫ୍ରାଭେଲଙ୍କ ମତ ଅନୁସାରେ ଆମେରିକା ସହ ଏହାର ସଂପର୍କ ଜଟିଳ ରୂପ ନେବା ସହିତ ବିଗିଡ଼ିବାରେ ଲାଗିଥିବା କାରଣରୁ ଭାରତ ସହିତ ସଂପର୍କ ଖରାପ ନ କରିବା ଲାଗି ଚୀନ ଏବେ ଏକ ସମାଧାନ ପନ୍ଥାକୁ ଆଦରି ନେବ । ତେବେ, ନୂଆଦିଲ୍ଲୀକୁ ଉସୁକାଇବା ପାଇଁ ଭୁଟାନ ଓ ନେପାଳ ଭଳି ଏହାର ପଡ଼ୋଶୀ ଦେଶ ସହିତ ଚୀନ ସୀମା ବିବାଦ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ସେଥିପ୍ରତି ଭାରତ ପ୍ରସ୍ତୁତ ରହିବା ଉଚିତ ବୋଲି ସେ ସତର୍କ କରାଇ ଦେଇଥିଲେ ।

ପ୍ରଶ୍ନ-ବାସ୍ତବ ନିୟନ୍ତ୍ରଣ ରେଖାରେ ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ଭାରତ ଓ ଚୀନ ଧୀରେ ଧୀରେ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି ଏବଂ ଖବର ଅନୁସାରେ, ପ୍ୟାଟ୍ରୋଲିଂ ପଏଣ୍ଟ 14, 15 ଓ 17 ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ ହୋଇଛି । ପରବର୍ତ୍ତୀ ସମୟରେ ପାଙ୍ଗଙ୍ଗ ସୋ ଉପରେ ହିଁ ନଜର ରହିବ । ରାଜନୈତିକ ସ୍ତରରେ ବୁଝାମଣା ତ୍ବରାନ୍ବିତ ହୋଇଛି । ଉଭୟ ସ୍ବତନ୍ତ୍ର ପ୍ରତିନିଧି ବାର୍ତ୍ତାଳାପ କରିଛନ୍ତି । ଚୀନ ପକ୍ଷରୁ ପ୍ରଥମେ ହୋଇଥିବା ଅତିକ୍ରମଣର ସ୍ତର ସଂପର୍କରେ ଆପଣକ’ଣ ଭାବୁଛନ୍ତି ?

ଏହାର ଉତ୍ତର ଦେବା ସହଜ ନୁହେଁ । କାରଣ କୌଣସି ପ୍ରକାରେ ଭାରତୀୟ ସରକାରୀ ସୂତ୍ରରୁ ମିଳୁଥିବା ଖବର ଏବଂ ସାଟେଲାଇଟ୍‌ ଚିତ୍ର ଦେଖିବାରେ ସମର୍ଥ ହୋଇଥିବା କେତେକ ବ୍ୟକ୍ତିଙ୍କ ଉପରେ ଆମେ ନିର୍ଭର କରୁ । ଏହି ପ୍ରସଙ୍ଗକୁ ଯାହା ଆହୁରି ଜଟିଳ କରୁଛି, ତାହା ହେଲା ଯଦି LAC (ବାସ୍ତବ ନିୟନ୍ତ୍ରଣ ରେଖା)କୁ ଏକ ପ୍ରକାର ବାସ୍ତବିକ ସୀମାରେଖା ବୋଲି ଧରିନିଆଯାଏ ତେବେ ହିଁ ଭାରତ ସୀମା ପରିସରଭୁକ୍ତ ଅଞ୍ଚଳରେ ଚୀନ ଅନୁପ୍ରବେଶ କରିଛି କି ନାହିଁ କିମ୍ବା ଚୀନ ଦୃଷ୍ଟିରୁ, ଭାରତ ତା’ର ଅଞ୍ଚଳ ଭିତରକୁ ଅନୁପ୍ରବେଶ କରିଛି କି ନାହିଁ ବୋଲି ଜଣାପଡ଼ିବ । କିନ୍ତୁ ଉଭୟ ଦେଶରସୀମାରେ ସମରୂପତାକୁ ବିଚାର କଲେ ପ୍ରକୃତରେ ସେଠାରେ କୌଣସି ବାସ୍ତବ ନିୟନ୍ତ୍ରଣ ରେଖା ହିଁ ନାହିଁ । ହେଲେ ଯାହା ଜଣାପଡୁଛି ଅତି କମ୍‌ରେ 3ଟି ସ୍ଥାନରେ, କିମ୍ବା ଅଧିକ ବି ହୋଇପାରେ, ଗଲୱାନ ଉପତ୍ୟକା, ହଟ୍‌ ସ୍ପ୍ରିଂ ଏବଂ ପାଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ଚୀନ ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିଛି । କାରଣ, ଏହାକୁ ହିଁ ସେ ବାସ୍ତବ ନିୟନ୍ତ୍ରଣ ରେଖା ବୋଲି ବିଚାର କରୁଛି ଏବଂ ଅତି କମ୍‌ରେ ଏଥିରୁ 2ଟି, କିମ୍ବା ବୋଧହୁଏ 3ଟି କ୍ଷେତ୍ରରେ ଚୀନ ନିଶ୍ଚିତ ରୂପରେ ଆଗକୁ ବଢ଼ିଛି ଏବଂ ଭାରତ ଏହାକୁ ବାସ୍ତବ ନିୟନ୍ତ୍ରଣ ରେଖା ବୋଲି ବିଚାର କରୁଛି ।

ଫିଙ୍ଗର 4 ଏବଂ ଫିଙ୍ଗର 8 ମଧ୍ୟରେ ଥିବା ଏହି ଅଞ୍ଚଳରେ ପାଙ୍ଗଙ୍ଗ ସୋ’ର ସ୍ଥିତି ନିହାତି ଅସ୍ପଷ୍ଟ । ଭାରତ ଫିଙ୍ଗର 8ରେ ବାସ୍ତବ ନିୟନ୍ତ୍ରଣ ରେଖା ରହିଛି ବୋଲି ବିଚାର କରୁଥିବା ବେଳେ ଚୀନ ଏହାକୁ ଫିଙ୍ଗର 4ରେ ବୋଲି ବିଚାର କରୁଛି । ଗଲୱାନ ଉପତ୍ୟକାରେ ଏହି ସ୍ଥିତି କିଛିଟା ଅଧିକ ଜଟିଳ । ତେବେ ମୂଳତଃ ଶ୍ୟାମ ନଦୀରେ ମିଶିବା ପୂର୍ବରୁ ଗଲୱାନ ନଦୀର ମୋଡ଼ ଉପରେ ଏହା ନିର୍ଭର କରୁଛି । ବୋଧହୁଏ ଏହି ନଦୀ ମୋଡ଼ର ଦକ୍ଷିଣ ପୂର୍ବ ଦିଗରେ ଏକ କିଲୋମିଟର ଦୂରରେ ବାସ୍ତବ ନିୟନ୍ତ୍ରଣ ରେଖା ରହିଛି ବୋଲି ଭାରତ ବିଚାର କରୁଛି ଏବଂ ଚୀନ ଦୃଷ୍ଟିକୋଣରୁ ମୂଳତଃ ଏହା ଊଣାଅଧିକେ ନଦୀର ମୋଡ଼ରେ ହିଁ ରହିଛି । ଆପଣ ଯଦି ଭାରତ ଦୃଷ୍ଟିରୁ ଦେଖନ୍ତି, ତେବେ ଚୀନ ଏହି ସବୁ ଅଞ୍ଚଳରେ ଅନୁପ୍ରବେଶ କରିଛି । ଗଣମାଧ୍ୟମ ପ୍ରସଙ୍ଗରେ ଦେଖିଲେ ସେଠାରେ ଯାହା ଘଟୁଛି ସେ ସଂପର୍କରେ ଚୀନ ଖୁବ କମ କହୁଥିବାରୁ, ପ୍ରକୃତ କଥା ଜାଣିବା କଷ୍ଟକର ହୋଇପଡ଼ିଛି । କିନ୍ତୁ ଆମ ପାଖରେ ନିଶ୍ଚିତ ସୂଚନା ରହିଛି ଯେ, ସେମାନେ ଯେଉଁ ସ୍ଥାନକୁ ବାସ୍ତବ ନିୟନ୍ତ୍ରଣ ରେଖା ବୋଲି ଭାବୁଛନ୍ତି ସେହି ସ୍ଥାନ ପର୍ଯ୍ୟନ୍ତ ଆଗେଇ ଯାଇଛନ୍ତି ।

ପ୍ରଶ୍ନ-ଗଲୱାନ ଉପରେ ଚୀନର ସାର୍ବଭୌମତ୍ବ ଦାବିକୁ ଆପଣ କେମିତି ଦେଖନ୍ତି ଚୀନର ପ୍ରାକୃତିକ ସମ୍ବଳ ମନ୍ତ୍ରାଳୟ ଅଧୀନରେ ଥିବା ‘ନ୍ୟାସନାଲ ପ୍ଲାଟ୍‌ଫର୍ମ ଫର କମନ ଜିଓସ୍ପାସିଆଲ ଇନ୍‌ଫର୍ମେସନ ସର୍ଭିସ୍‌’ରୁ ମିଳିଥିବା ଏକ ମାନଚିତ୍ରକୁ ଆପଣ କେମିତି ବିବେଚନା କରନ୍ତି ?

ମୋ ବିଚାରରେ ଯେଉଁ ନୂତନ ମାନଚିତ୍ରକୁ ମୁଁ ଚିହ୍ନଟ କରିପାରିଛି ଏବଂ ଯାହା ଭିତ୍ତିରେ ଚୀନ ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଆସୁଛି ତାହା ପରିବର୍ତ୍ତିତ ହୋଇନାହିଁ । ଗଲୱାନ ଉପତ୍ୟକାର ଅଧିକାଂଶ ଭାଗ ଉପରେ, ଊଣାଅଧିକେ ଯେଉଁ ସ୍ଥାନରେ ଗଲୱାନ ନଦୀ ମୋଡ଼ ନେଇଛି, ସେ ପର୍ଯ୍ୟନ୍ତ ଅଞ୍ଚଳକୁ ଚୀନ ସବୁବେଳେ ନିଜର ବୋଲି ଦାବି କରିଆସିଛି । ଗଲୱାନ ନଦୀ ଯେଉଁଠାରୁ ପୂର୍ବକୁ ପ୍ରବାହିତ ହୋଇଛି ଏବଂ ମୂଳତଃ ଯେଉଁଠି ଶ୍ୟୋକ୍‌ ନଦୀ ସହ ମିଶିଛି, ସେହି ସ୍ଥାନ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟରରୁ କିଛି ଅଧିକ ଅଞ୍ଚଳକୁ ନେଇ ବିବାଦ ରହିଛି । କିନ୍ତୁ ଅବଶିଷ୍ଟ ଗଲୱାନ ଉପତ୍ୟକାକୁ ଚୀନ ସବୁବେଳେ ନିଜ ଅଞ୍ଚଳ ବୋଲି ଦାବି କରିଛି । ବର୍ତ୍ତମାନ ଉତ୍ତେଜନା ଲାଗି ରହିଥିବା କାରଣରୁ ଯେଉଁ ଅଞ୍ଚଳ ଉପରେ ଧ୍ୟାନକେନ୍ଦ୍ରିତ ହୋଇଛି, ସେଠାରୁ ପ୍ରାୟ 40 କିଲୋମିଟର ଦୂର ପର୍ଯ୍ୟନ୍ତ ଗଲୱାନ ଉପତ୍ୟକାର ଭିନ୍ନ ଭିନ୍ନ ଭାଗ, 1962 ଯୁଦ୍ଧରେ ଖୁବ ସ୍ପଷ୍ଟ ଭାବରେ ସ୍ଥାନ ପାଇଥିଲା । ଚୀନ ସରକାରଙ୍କ

ୱେବ୍‌ସାଇଟ୍‌ରୁ ମୁଁ ଯେଉଁ ମାନଚିତ୍ରର ସନ୍ଧାନ ପାଇବାରେ ସକ୍ଷମ ହୋଇଛି, ସେଥିରେ ମୋଟାମୋଟି ଗଲୱାନ ନଦୀର ଶେଷ ଭାଗ ଆଡ଼କୁ, ଯେଉଁଠି ନଦୀ ମୋଡ଼ ନେଇଛି, ସେଠାରୁ 5 କିଲୋମିଟର ପର୍ଯ୍ୟନ୍ତ, ଚୀନ୍‌ ନିଜ ଅଞ୍ଚଳ ବୋଲି ଦାବି କରୁଛି । ଏହି ମାନଚିତ୍ରରେ ଥିବା ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୁଇଟି ଚୀନ ଭାଷାର ସଂକେତ, ଯାହାର ଅନୁଦିତ ଅର୍ଥ ହେଉଛି ନଦୀ ମୁହାଣ କିମ୍ବା ନଦୀର ମୁହଁ । ଆଉ ଆପଣ ଯଦି ଚୀନ ଦେଇଥିବା ସମସ୍ତ ବିବୃତିକୁ ଦେଖିବେ, ସେଥିରେ ସେମାନେ ମୁହାଣ ଶବ୍ଦ ଉପରେ ଗୁରୁତ୍ବାରୋପ କରିଛନ୍ତି । ତେଣୁ, ଯେତେବେଳେ ଚୀନ କହେ ଗଲୱାନ ଉପତ୍ୟକା ଏବଂ ଭାରତ କହେ ଗଲୱାନ ଉପତ୍ୟକ, ସେତେବେଳେ, ମୁଁ ନିଶ୍ଚିତ ନୁହେଁ ଯେ ସେମାନେ ସେଇ ଏକା ଅଞ୍ଚଳ ବିଷୟରେ କହୁଛନ୍ତି ଏବଂ ଏଥିରୁ ହିଁ ଏକ ଭୁଲ ବୁଝାମଣା ସୃଷ୍ଟି ହୁଏ ।

ପ୍ରଶ୍ନ- ଆପଣଙ୍କ ଆକଳନ ଅନୁସାରେ ଗଲୱାନ ଉପତ୍ୟକା ଉପରେ ଚୀନର ଦାବି ନୂଆ ନୁହେଁ କି ମୌଳିକ ରୂପରେ ସାମରିକ କୌଶଳ ପରିବର୍ତ୍ତନ ସଂପର୍କିତ ନୁହେଁ ?

ଶ୍ୟୋକର ପଶ୍ଚିମରେ 5 କିଲୋମିଟର ଦୂରକୁ ଏହା ଯାଇଥିବା ଭଳି ଚୀନର ଦାବି ପରିବର୍ତ୍ତିତ ହେଲା ଭଳି ଲାଗୁନାହିଁ । ଏହା ନଦୀର ମୋଡ଼ରେ ରହିଛି । ଏହି ଅଞ୍ଚଳରେ ଚୀନର ଉପସ୍ଥିତିକୁ ନେଇ ଏକ ପୃଥକ୍‌ ପ୍ରଶ୍ନ ରହିଛି । ଚୀନ ନିଜେ ଦାବି କରୁଥିବା ଅଞ୍ଚଳ ପର୍ଯ୍ୟନ୍ତ କେତେ ଥର ପ୍ୟାଟ୍ରୋଲିଂ କରିଛି, ତାହା ସ୍ପଷ୍ଟ ନୁହେଁ । ଏ ଅଞ୍ଚଳରେ ଚୀନର ଉପସ୍ଥିତି ପ୍ରଥମ ଥର ପାଇଁ ହୋଇଛି ଏବଂ ଏହି କାରଣରୁ ହିଁ ଏହା ବିପଜ୍ଜନକ ବୋଲି ଭାରତରୁ ମିଳିଥିବା ଅନେକ ରିପୋର୍ଟରୁ ସଂକେତ ମିଳିଛି । ତେଣୁ ମାନଚିତ୍ରରେ ଅଙ୍କାଯାଇଥିବା ଅଞ୍ଚଳ ଉପରେ ଦାବି ଏବଂ ଏହି ଦାବି ସମର୍ଥନରେ ସେ ଅଞ୍ଚଳରେ ଚାଲିଥିବା କାର୍ଯ୍ୟକଳାପର ମାତ୍ରା ଭିତରେ ରହିଥିବା ପାର୍ଥକ୍ୟ ସ୍ଥିର କରିବାକୁ ପଡ଼ିବ । କିନ୍ତୁ ମୁଁ ଭାବୁଛି ଚୀନର ବିବୃତି ଏବଂ ଏହି ମାନଚିତ୍ର ଏବଂ ଅନ୍ୟ କେତେକ ମାନଚିତ୍ରରୁ ଏହା ସୁସ୍ପଷ୍ଟ ଯେ ଚୀନ ଦୃଷ୍ଟିକୋଣରୁ ନଦୀର ମୋଡ଼ରେ ହିଁ ଗଲୱାନ ଉପତ୍ୟକା ଶେଷ ହୋଇଛି ଏବଂ ଆଉ ଆଗକୁ ସଂପ୍ରସାରିତ ହୋଇନାହିଁ । ଏଥିରୁ ସେମାନେ ଦେଇଥିବା

ଅନ୍ୟ ବିବୃତି ସଂପର୍କରେ ବୁଝିହୁଏ । ମୁଖ୍ୟତଃ ଜୁନ୍‌ 6 ତାରିଖର ସେନା ପ୍ରତ୍ୟାହାର ଯୋଜନା ସଂପର୍କରେ, ଯାହାକି ପରବର୍ତ୍ତୀ ସମୟରେ ବିଫଳ ହୋଇଥିଲା । ଚୀନ କହେ ଯେ ମୁହାଣର ବା ନଦୀ ମୁହଁର ଦୁଇ ପଟରେ ଆଉଟ୍‌ପୋଷ୍ଟ ସ୍ଥାପନ ଲାଗି ଉଭୟ ପକ୍ଷ ସମ୍ମତ ହୋଇଥିଲେ । ବର୍ତ୍ତମାନ ସେନା ପ୍ରତ୍ୟାହାର ସ୍ଥଳ ଭାବରେ ଆଲୋଚିତ ନଦୀର ମୋଡ଼ରେ କ’ଣ ହେଉଛି ବୋଲି ଭାବି ଦେଖିଲେ ତାହା ଅର୍ଥପୂର୍ଣ୍ଣ ବିବେଚିତ ହେବ । ନଦୀ ପାଖ ଦେଇ ହୁଏତ ପ୍ରାୟ ଗୋଟିଏ କିଲୋମିଟର ଯାଏ ବିବାଦୀୟ ଅଞ୍ଚଳ ଭାବେ ରହିଛି । କାରଣ, ଭାରତ ଦୃଷ୍ଟିରେ ବାସ୍ତବ ନିୟନ୍ତ୍ରଣ ରେଖା ପୂର୍ବ ଦିଗରେ ଏକ କିଲୋମିଟର ଯାଏ ସଂପ୍ରସାରିତ ହେଲା ଭଳି ମନେ ହେଉଥିବା ବେଳେ ଚୀନ ଦୃଷ୍ଟିରେ ଏହି ଅଞ୍ଚଳ ସେମାନଙ୍କ ସୀମା ଭିତରେ ରହିଛି ।

ପ୍ରଶ୍ନ-ଗଲୱାନ ହିଂସା ପରବର୍ତ୍ତୀ ସମୟରେ ସର୍ବଦଳୀୟ ବୈଠକ ବସିବା ପରେ, ଟେଲିଭିଜନରେ ପ୍ରସାରିତ ହୋଇଥିବା ପ୍ରଧାନ ମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ ଏବଂ ଏହାକୁ ନିଜ ଦୃଷ୍ଟିକୋଣର ପ୍ରମାଣ ରୂପେ ଉପସ୍ଥାପନ କରିବାକୁ ଚୀନର ପ୍ରୟାସ ପରିପ୍ରେକ୍ଷୀରେ, ସେଭଳି ମନ୍ତବ୍ୟର ପ୍ରତିକୂଳ ପ୍ରଭାବ ପଡ଼ିଥିଲା କିମ୍ବା ଅନେକ ଭ୍ରମ ସୃଷ୍ଟି କରିଥିଲା ବୋଲି ଆପଣ ଭାବୁଛନ୍ତି କି ?

ଏହା ଅନେକ ଭ୍ରମ ସୃଷ୍ଟିର କାରଣ ହୋଇଥିଲା ବୋଲି ମନେ ହୁଏ ଏବଂ ଏହି ସ୍ଥିତିକୁ ଯାହା ଆହୁରି ଖରାପ କରିଥିଲା, ତାହା ହେଲା ଯଦିଓ ଯାହା ଘଟୁଛି ସେଥିରେ ବାସ୍ତବ ନିୟନ୍ତ୍ରଣ ରେଖାର ଏକ ବଡ଼ ଭୂମିକା ରହିଛି, ତଥାପି ଏହି ରେଖା କେଉଁଠାରେ ରହିଛି ବୋଲି ଆମେ ଆଦୌ ଜାଣିନାହୁଁ । ତେଣୁ ଆପଣ ଯଦି ସୀମା ଉଲ୍ଲଂଘନ ହୋଇଛି କିମ୍ବା ହୋଇନାହିଁ ବୋଲି କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି, ତେବେ ଆପଣ ନିଜର ବିଚାର ବ୍ୟକ୍ତ କରିବାରେ ସକ୍ଷମ ହେବା ଲାଗି ସେହି ରେଖାଟି କେଉଁଠି ରହିଛି ବୋଲି ଜାଣିବାକୁ ଚାହିଁବେ ।

କିନ୍ତୁ ପ୍ରକୃତରେ ଚୀନ ନଦୀ ମୋଡ଼ଠାରୁ ଆଗକୁ ଆଗେଇ ନାହିଁ ଏବଂ ତାହାକୁ ହିଁ ସେମାନେ ସୀମା ବୋଲି ଦାବି କରୁଛନ୍ତି । ତେଣୁ, ସେଥିରୁ ହିଁ ପ୍ରଧାନ ମନ୍ତ୍ରୀ କ’ଣ କହୁଥିଲେ ତାହାର ଅର୍ଥ ବୁଝି ହେବ । ଅନ୍ୟ ଏକ ସ୍ତରରେ ଏହା ଚୀନର କୂଟନୀତିଜ୍ଞ ଓ ସଂସ୍ଥାଗତ ପ୍ରକ୍ରିୟା ସମୂହକୁ ବାର୍ତ୍ତାଳାପ ପ୍ରସଙ୍ଗ ସ୍ଥିର କରିବା ପାଇଁ ନିଶ୍ଚିତ ଭାବେ ଉପଯୋଗୀ ଖୋରାକ ଯୋଗାଇଥିଲା । ଦୁଇ ରାତି ପୂର୍ବରୁ CCTNରେ ‘ଟୁଡେସ୍‌ ଫୋକସ୍‌’ ଶୀର୍ଷକ ଗୋଟିଏ ଅଧଘଣ୍ଟିଆ ଆଲୋଚନା କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସେଥିରେ ସେମାନେ ସେଠାକାର ସ୍ଥିତି ସଂପର୍କରେ କଥାବାର୍ତ୍ତା କରିବା ସମୟରେ କେତେକ ଦୃଶ୍ୟ ପରିବେଷଣ କରିଥିଲେ ଏବଂ ବାସ୍ତବରେ ଚୀନ ଭାରତ ସୀମାରେ କୌଣସି ଉଲ୍ଲଂଘନ କରିନାହିଁ ବୋଲି ଦର୍ଶାଇବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ବ୍ୟବହାର କରିଥିଲେ । ଏହାର ଅର୍ଥ ଥିଲା ଯେ, ସେମାନେ ସେମାନଙ୍କ ଦ୍ବାରା ଦାବି କରାଯାଉଥିବା ସୀମା ଲଂଘନ କରିନାହାନ୍ତି ।

ପ୍ରଶ୍ନ- ମଧ୍ୟବର୍ତ୍ତୀ ନିରପେକ୍ଷ ଅଞ୍ଚଳ ସଂପର୍କରେ ଦ୍ବନ୍ଦ୍ବ ରହିଥିବା ଭଳି ମନେ ହୁଏ-ଏହାକୁ ବଦଳାଇ ଦିଆଯାଇଛି ନା ଭାରତ ଏଥିରେ କିଛି ହରାଇଛି ?

ଗଣମାଧ୍ୟମର ରିପୋର୍ଟରୁ ମୁଁ ବୁଝିଛି ଯେ ଉଭୟ ପକ୍ଷ, ମୁଁ ଭାବୁଛି, ପ୍ରାୟ 1.5 କିଲୋମିଟର ଲେଖାଏଁ ପଛକୁ ଯିବାକୁ ସମ୍ମତ ହୋଇଛନ୍ତି । ହେଲେ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା ଯେ କେଉଁ ସ୍ଥାନରୁ ସେମାନେ ପ୍ରତ୍ୟାହାର କରୁଛନ୍ତି । ଅନ୍ୟୂନ ଗଲୱାନ ଉପତ୍ୟକା ପରିପ୍ରେକ୍ଷୀରେ, ସେମାନେ ଭାରତୀୟ ବିଚାର ଅନୁସାରେ ବାସ୍ତବ ନିୟନ୍ତ୍ରଣ ରେଖାରୁ ନା ଚୀନ ଦୃଷ୍ଟିକୋଣରୁ ବାସ୍ତବ ନିୟନ୍ତ୍ରଣ ରେଖାରୁ ସେନା ପ୍ରତ୍ୟାହାର କରୁଛନ୍ତି । ଯଦି ଭାରତ ସେନା ପ୍ରତ୍ୟାହାର କରୁଛି, ତେବେ ହୁଏତ ବାସ୍ତବ ନିୟନ୍ତ୍ରଣ ରେଖାରୁ ଆହୁରି ଦୂରେଇ ଯାଉଛି ବୋଲି ଭାରତ ବିଚାର କରିପାରେ । କିନ୍ତୁ ମଧ୍ୟବର୍ତ୍ତୀ ଅଞ୍ଚଳ ବା ବଫର ଜୋନ୍‌ ଏକ ଭଲ ବିଚାର । ଏକଥା ସ୍ପଷ୍ଟ ଯେ, ଉଭୟ ପକ୍ଷର ସେନା ପରସ୍ପରର ଅତି ନିକଟକୁ ଆସିଯାଇଥିବାରୁ ପୂର୍ବରୁ ହୋଇଥିବା ସେନା ପ୍ରତ୍ୟାହାର ଯୋଜନା କାର୍ଯ୍ୟକାରୀ କରିବା ଉଦ୍ୟମ ସଫଳ ହୋଇପାରିଲା ନାହିଁ । କିଏ କେଉଁଠି ରହିବା କଥା, ସେ ସଂପର୍କରେ ଦ୍ବନ୍ଦ୍ବ ଲାଗି ରହିଥିଲା । ବାସ୍ତବ ବିବରଣୀକୁ ପୂରା ବୁଝିବା ଖୁବ୍‌ କଷ୍ଟ । ତେଣୁ ମୌଳିକ ଭାବେ ଉଭୟ ପକ୍ଷରୁ ମୋଟାମୋଟି 3 କିଲୋମିଟର ଅଞ୍ଚଳରେ ପ୍ୟାଟ୍ରୋଲିଂ କରିବାକୁ ଅନୁମତି ଦିଆ ନଗଲେ, ବାସ୍ତବ କ୍ଷେତ୍ରରେ ସାମରିକ ବୁଝାମଣା ସକାଶେ କିଛି ସୁଯୋଗ ସୃଷ୍ଟି ହେବ ଏବଂ ଏହି ସବୁ ପ୍ରସଙ୍ଗର ସମାଧାନ ପାଇଁ କୂଟନୈତିକ ଏବଂ ରାଜନୈତିକ ସ୍ତରରେ ଆଲୋଚନା କରିବାର ସମ୍ଭାବନା ସୃଷ୍ଟି ହେବ ।

ପ୍ରଶ୍ନ-ଉଭୟ ସ୍ବତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତା ପରେ ମଧ୍ୟ ଭାରତ ସ୍ଥିତାବସ୍ଥା ବଜାୟ ରଖିବାକୁ ଦୃଢ଼ ଭାବରେ କହୁଥିବା ବେଳେ ଚୀନ ନିଜ ଅଞ୍ଚଳର ସୀମାକୁ ସୁରକ୍ଷିତ ରଖିବା ବିଷୟ କହିବା ସହିତ ଗଲୱାନ ସଂଘର୍ଷ ପାଇଁ ଭାରତୀୟ ସେନା ଉପରେ ଦୋଷ ଲଦି ଦେଇଥିଲା । ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଏସ୍‌.ଏସ୍‌.ମେନନ ଦର୍ଶାଇଥିଲେ ଯେ, ବିଭିନ୍ନ ବିବୃତିରେ ଯଥାପୂର୍ବ ସ୍ଥିତାବସ୍ଥାର ପୁନଃ ସ୍ଥାପନ ପ୍ରସଙ୍ଗ ସ୍ଥାନ ପାଇନଥିଲା । ଏହା ଏକ ଉଦ୍‌ବେଗର ବିଷୟ କି ଏବଂ ଏପ୍ରିଲରେ ଯେଉଁ ସ୍ଥିତାବସ୍ଥା ଥିଲା, ତାହା ପୁଣି ଫେରିଆସିବାକୁ ଆଉ କେତେ ଦିନ ଲାଗିବ ?

ସଂପୂର୍ଣ୍ଣ ଭାବରେ ଯଥାପୂର୍ବ ସ୍ଥିତାବସ୍ଥା ଯେ ପୁଣି ସ୍ଥାପିତ ହୋଇପାରିବ, ତାହା ମୋ ପାଇଁ ସ୍ପଷ୍ଟ ହୋଇନାହିଁ । ଏହା ବି ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ ଯେ ପୂର୍ବରୁ ସ୍ଥିତାବସ୍ଥା କିପରି ଥିଲା । ହେଲେ, ଏହା ଅଧିକ ସ୍ପଷ୍ଟ ଯେ, ପାଙ୍ଗଙ୍ଗ ଅଞ୍ଚଳରେ ଚୀନ ସ୍ଥାୟୀ ଭାବରେ ଫିଙ୍ଗର 4କୁ ଅକ୍ତିଆର କରି ସେଠାରେ ଭିତ୍ତିଭୂମି ଗଠନ କରିବାକୁ ଉଦ୍ୟମ କରୁଛି । ତେଣୁ ଯଥାପୂର୍ବ ସ୍ଥିତାବସ୍ଥା କହିଲେ ସେଠାରୁ ଭିତ୍ତିଭୂମି ଏବଂ ଚୀନର ଉପସ୍ଥିତି ହଟାଇବାକୁ ପଡ଼ିବ । ଗଲୱାନ ଅଞ୍ଚଳରେ ଯଥାପୂର୍ବ ସ୍ଥିତାବସ୍ଥାର ଅର୍ଥ ହେଉଛି ଯେ ଚୀନ ସେଠାରେ ଯେଉଁଭଳି ପ୍ୟାଟ୍ରୋଲିଂ କରିଆସୁଛି ତାହା କରିବ ନାହିଁ ଏବଂ ଭାରତ ଦୃଷ୍ଟିକୋଣରୁ ବାସ୍ତବ ନିୟନ୍ତ୍ରଣ ରେଖାର ସ୍ଥିତି ବଜାୟ ରହିବ । ଆପଣ ଯେତେବେଳେ ଯଥାପୂର୍ବ ସ୍ଥିତାବସ୍ଥା ବଜାୟ ରଖିବା କଥା କହନ୍ତି, ଆପଣ କ’ଣ ବଜାୟ ରଖିବାକୁ ଚାହୁଁଛନ୍ତି ସେ ସଂପର୍କରେ ସ୍ପଷ୍ଟ ଧାରଣା ରହିବା ଦରକାର । ଏହା ଏଭଳି କିଛି ହେବା ଦରକାର, ଯେଉଁଥିରେ ଉଭୟ ପକ୍ଷ ରାଜି ହେବେ । ଉଭୟ ପକ୍ଷର ବିବୃତିରେ ନିଶ୍ଚିତ ଭାବରେ ସେହି ପ୍ରସଙ୍ଗ ସ୍ଥାନ ପାଇନାହିଁ ଏବଂ ଏହା ବୁଝି ହୁଏ ଯେ, ପ୍ରଥମ ପଦକ୍ଷେପ ଭାବରେ ବାସ୍ତବ କ୍ଷେତ୍ରରେ ଉତ୍ତେଜନା ପ୍ରଶମନ ପାଇଁ ଆପଣ ସେନା ପ୍ରତ୍ୟାହାର ଦିଗରେ ଉଦ୍ୟମ କରୁଥିବା ସମୟରେ ସ୍ଥିତାବସ୍ଥାକୁ ପ୍ରାଥମିକତା ଏବଂ ପ୍ରାଧାନ୍ୟ ଦେବେ ନାହିଁ । ଚୀନର ବିବୃତିରେ, ଏଭଳି ପରିସ୍ଥିତି ଲାଗି କ’ଣ ଠିକ୍‌ ଏବଂ କ’ଣ ଭୁଲ, ସେ ସଂପର୍କରେ କୁହାଯାଇଥିଲା । କିନ୍ତୁ ମୋ ମତରେ, ଚୀନ ସେମାନଙ୍କ ଦାବି ଦୋହରାଇ ସାରିଥିବା ଦୃଷ୍ଟିରୁ ଏହା ନିହାତି ବନ୍ଧୁତ୍ବପୂର୍ଣ୍ଣ ସମାଧାନର ପନ୍ଥା । ମୁଁ ଭାବିଲି, ବିବୃତିର ଅବଶିଷ୍ଟ ଭାଗରେ, ଏ ସବୁ ଘଟଣା ଘଟିବା ପୂର୍ବରୁ ଚୀନ ଓ ଭାରତର ସଂପର୍କ ଯେଉଁଭଳି ଥିଲା ସେ ସଂପର୍କରେ ହିଁ ଉଲ୍ଲେଖ କରିବାକୁ ଉଦ୍ୟମ କରାଯାଇଛି । ମିଳିମିଶି କାମ କରିବା, ଉନ୍ନୟନ ଏବଂ ପୁନରୁଦ୍ଧାର କରିବା ସଂପର୍କରେ କଥାବାର୍ତ୍ତା କରିବା ଖୁସିର କଥା ଏବଂ ଏହାକୁ ପ୍ରସଙ୍ଗ ବହିର୍ଭୂତ ଭାବରେ ମୁଁ ଗୌଣ କରିବାକୁ ଚାହୁଁନାହିଁ । ଏଥିରୁ ଗୋଟିଏ କଥାର ସଂକେତ ମିଳୁଛି ଯେ, ଆମେରିକା ସହ ଚୀନର ସଂପର୍କ ବିଗଡ଼ି ଯାଇଥିବା ବେଳେ, ଭାରତ ସହ ସଂପର୍କ ଖରାପ କରିବାକୁ ଚୀନ ଚାହିଁବ ନାହିଁ ଏବଂ ଏ କଥାକୁ ହୃଦୟଙ୍ଗମ କରି ସେ ଆଉ ଏହି ପ୍ରସଙ୍ଗରେ ଆଗେଇବାକୁ ଚାହୁଁନାହିଁ ।

ପ୍ରଶ୍ନ- ଆମେରିକାର ପରରାଷ୍ଟ୍ର ସଚିବ ପମ୍ପିଓ କହିଛନ୍ତି ଯେ, ବିଭିନ୍ନ ସମୟରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଆମେରିକାର ବିବୃତିଗୁଡ଼ିକରୁ ବି ଚୀନ ସହ ଏହାର ସଂପର୍କରେ ଅବନତି ହୋଇଥିବାର ଆଭାସ ମିଳେ । କିନ୍ତୁ, ଯଦି ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥାଆନ୍ତା, ତେବେ କେବଳ ବିବୃତି ଦେବା ବ୍ୟତୀତ ବାସ୍ତବରେ କେତେଦୂର ପର୍ଯ୍ୟନ୍ତ ଆମେରିକା ଏଥିରେ ସଂପୃକ୍ତ ହୋଇଥାଆନ୍ତା ?

ନିଶ୍ଚିତ ଭାବରେ, ଏହି ପ୍ରସଙ୍ଗରେ ଏବଂ ଚୀନ ସହ ରଣନୀତି ଭିତ୍ତିକ ପ୍ରତିଦ୍ବନ୍ଦ୍ବିତା ପ୍ରସଙ୍ଗରେ, ଗତ ଛଅ ମାସ କି ତା’ଠାରୁ ଅଧିକ ସମୟ ମଧ୍ୟରେ ଆମେରିକାର ପରରାଷ୍ଟ୍ର ସଚିବ ଚୀନକୁ ଯେଉଁଭଳି ଭାବରେ ଉପସ୍ଥାପନ କରିଆସିଛନ୍ତି, ସେଥିରୁ ସେ ଭାରତ ସଂପର୍କରେ ଯାହା କହିଛନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି, ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାରେ ଲାଗିଲେ, ଏହାର ପରିଣାମ ସ୍ବରୂପ ଭାରତ ପ୍ରତି ଆମେରିକାର ବ୍ୟବହାର ଏବଂ ସମର୍ଥନରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେବ କି । ସେ ସଂପର୍କରେ ମୁଁ ନିଶ୍ଚିତ ନୁହେଁ । ଭାରତ ସହିତ ହେଉ କି ଅନ୍ୟ କୌଣସି ଦେଶ ସହିତ, ଚୀନର ଆକ୍ରମଣାତ୍ମକ ନୀତି ଏବଂ ଖରାପ ଆଚରଣ ବୋଲି ସେ ଯାହା ଭାବୁଛନ୍ତି, ସେ ସଂପର୍କିତ କୌଣସି ବିଷୟ ଉପରେ ଆଲୋକପାତ କରିବା ଆମେରିକାର ପରରାଷ୍ଟ୍ର ସଚିବଙ୍କ ପକ୍ଷରେ ଅତି ସହଜ । ଏଥିରେ ଆମେରିକା କେତେ ଦୂର ପର୍ଯ୍ୟନ୍ତ ସଂପୃକ୍ତ ହେବ ତାହା ଅନେକ କାରଣ ଉପରେ ନିର୍ଭର କରେ । ପ୍ରଥମ କଥା, ସୀମାରେ ଉତ୍ତେଜନା ବୃଦ୍ଧିର ସ୍ତର । ଦ୍ବିତୀୟରେ ଆମେରିକାର ସଂପୃକ୍ତି ପାଇଁ ଭାରତର ଇଚ୍ଛାପ୍ରକାଶ । ଏଠାରେ ହିଁ ଭାରତ ପାଇଁ ଏକ ମୁସ୍କିଲ ସ୍ଥିତି ଦେଖାଦିଏ । ଅତି କମ୍‌ରେ ଟ୍ରମ୍ପ୍‌ଙ୍କ ଶାସନ କାଳରେ ଏବଂ ଅନେକଙ୍କମତରେ ରଣନୀତି ଭିତ୍ତିକ ମୁହାଁମୁହିଁ ସ୍ଥିତି ରୂପରେ ବିବେଚିତ ରଣନୀତି ଭିତ୍ତିକ ପ୍ରତିଯୋଗିତା ଉପରେ ଗୁରୁତ୍ବାରୋପ କରାଯାଉଥିବା ସମୟରେ, ଆମେରିକା ସହ ଚୀନର ସଂପର୍କ ବାସ୍ତବରେ ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଛି । ତେଣୁ ଚୀନ ପ୍ରତି ଆମେରିକାର ଏଭଳି ଆଭିମୁଖ୍ୟ ସହ ସଂପୂର୍ଣ୍ଣ ରୂପରେ ସାମିଲ ହେବ କି ନାହିଁ ବୋଲି ଭାରତ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର । ଭାରତକୁ ଆହୁରି ବ୍ୟାପକ ଭାବରେ ସମର୍ଥନ କରିବାକୁ ଆମେରିକା ଯଦି ନିଷ୍ପତ୍ତି ନିଏ, ତେବେ ହୁଏତ ଏହା ସମ୍ଭବ ହୋଇପାରେ । ଏ କ୍ଷେତ୍ରରେ ଭାରତ କେଉଁଭଳି ଭାବରେ ଅଗ୍ରଗତି କରିବ ବୋଲି ପ୍ରଶ୍ନର ସହଜ ଉତ୍ତର ମିଳି ନପାରେ । କିନ୍ତୁ ଏହା ସ୍ପଷ୍ଟ ଯେ ସେମାନଙ୍କ ପାରସ୍ପରିକ ସଂପର୍କରେ ଉନ୍ନତି ଆଣିବା ଦିଗରେ ଆମେରିକା ଓ ଭାରତ ପାଇଁ ଏହା ଏକ ସୁଯୋଗ । ନିଶ୍ଚିତ ଭାବରେ ଉଭୟ ଦେଶ ଚୀନ ପକ୍ଷରୁ ସମ୍ମୁଖୀନ ହେଉଥିବା ଆହ୍ବାନ ଉପରେ ଧ୍ୟାନ ଦେଉଛନ୍ତି । ଏବଂ ଯଦି ସୀମାରେ ଆଉ ଉତ୍ତେଜନାପୂର୍ଣ୍ଣ ସ୍ଥିତି ନ ଉପୁଜେ, ତେବେ ବିଭିନ୍ନ ଅନ୍ୟ କ୍ଷେତ୍ରରେ ସହଯୋଗ ଏବଂ ଅଗ୍ରସର କରିବାର ଉପାୟ ସଂପର୍କରେ ଚିନ୍ତା କରିବାକୁ ଆମେରିକା ଓ ଭାରତ ପକ୍ଷରେ ସୁଯୋଗ ସୃଷ୍ଟି ହୋଇପାରେ ।

ପ୍ରଶ୍ନ- ବିଜୟ ଦିବସ ପ୍ୟାରେଡ୍‌ରେ ଭାଗ ନେବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମସ୍କୋ ଯାତ୍ରା କରିଥିଲେ । ଭାରତ ରୁଷରୁ ନୂଆ ଅସ୍ତ୍ରଶସ୍ତ୍ର କିଣିବା ଲାଗି ବରାଦ ଦେଇଛି । ଚୀନ ସହ ରୁଷର ସଂପର୍କରେ ଗତିଶୀଳତାକୁ ବିଚାରକୁ ନେଲେ, ଭାରତ-ଚୀନ ବିବାଦରେ ରୁଷ କିପରି ଭୂମିକା ନିର୍ବାହ କରିବ ବୋଲି ଆପଣ ଭାବୁଛନ୍ତି ? ରୁଷରୁ ଭାରତର ଏସ୍‌400 କ୍ଷେପଣାସ୍ତ୍ର କ୍ରୟ ଉପରେ ବି ଆମେରିକା CAATSA (ପ୍ରତିବନ୍ଧକ ମାଧ୍ୟମରେ ଆମେରିକାର ବିରୋଧୀମାନଙ୍କ ମୁକାବିଲା ଆଇନ) ଅନୁସାରେ ପ୍ରତିବନ୍ଧକ ଜାରି କରିବାର ଆଶଙ୍କା ରହିଛି କି ?

ସାମରିକ ଦୃଷ୍ଟିକୋଣରୁ ବିଚାର କଲେ, ରୁଷ ଏହି ଦୃଷ୍ଟିରୁ ଭାରତର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର ଯେ, ଭାରତ ପାଖରେ ଥିବା ଅଧିକାଂଶ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଉତ୍ସ ହେଉଛି ରୁଷ । ଏହା ଆକାଶ ମାର୍ଗରେ ପ୍ରତିରକ୍ଷା ପ୍ରଣାଳୀ ହେଉ କି ଲଢୁଆ ବିମାନ ହେଉ, ଏବଂ ଏଭଳି ଅସ୍ତ୍ରଶସ୍ତ୍ର ଯାହା, ଭାରତ-ଚୀନ ସୀମାରେ ମଧ୍ୟ ଉପଯୁକ୍ତ ଭାବରେ ଉପଯୋଗୀ ସାବ୍ୟସ୍ତ ହେବ । କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଆମେରିକାର ଅବଦାନକୁ ଦେଖିଲେ ଏହା ଏକ ବିରୋଧାଭାସ ରୂପରେ ଉଭା ହୁଏ । ହେଲେ, ଭାରତକୁ ଅଗ୍ରସର କରାଇବା କ୍ଷେତ୍ରରେ ରୁଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସୀମା ପ୍ରସଙ୍ଗକୁ ବିଚାର କଲେ, ରୁଷ ଓ ଭାରତ ସହ ଚୀନର ତ୍ରିପାକ୍ଷିକ ବୈଠକରେ ରୁଷ ଏହାର କୌଣସି ଅଂଶ ଚାହୁଁ ନଥିବା ଭଳି ଏକ ପ୍ରକାର ସଂକେତ ଦେଇଥିଲା । ରୁଷ ଏଥିରେ ସଂପୃକ୍ତ ହେବାକୁ ଚାହୁଁ ନଥିଲା । ରୁଷୀୟମାନେ ଉଭୟ ପକ୍ଷରୁ ସୁବିଧା ଚାହାଁନ୍ତି । ସେମାନଙ୍କ ପ୍ରତିରକ୍ଷା ଶିଳ୍ପରେ ସହଯୋଗ ପାଇଁ ସେମାନେ ଭାରତକୁ ବହୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ଚାହାଁନ୍ତି । ଅନ୍ୟପକ୍ଷରେ ଆମେରିକାର ଉଦ୍ୟମକୁ ପ୍ରତିହତ କରିବା ଲାଗି ଉଭୟ ରୁଷ ଓ ଚୀନ ଚାହୁଁଥିବାରୁ ଦୁହିଁଙ୍କ ମଧ୍ୟରେ ଏବେ ଏକ ଆହୁରି ସୁଦୃଢ଼ ସଂପର୍କ ଗଢ଼ି ଉଠିଛି । ମୁଁ ଭାବୁନି, ସେମାନଙ୍କର ଖୁବ ବେଶୀ ଆଗ୍ରହ ଓ ସ୍ବାର୍ଥ ନଥିବା ଭଳି ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ଜଡ଼ିତ ହୋଇ ଚୀନ ସହ ଥିବା ସଂପର୍କକୁ ରୁଷ ବିପଦରେ ପକାଇବାକୁ ଚାହିଁବ । ଏ କ୍ଷେତ୍ରରେ, ଏକପ୍ରକାର ଭିନ୍ନ ଦିଗରେ ହେଲେ ମଧ୍ୟ, 1962ର ସମାନ୍ତର ଏବଂ ରୋଚକ ସ୍ଥିତି ଦେଖାଦିଏ । 1962ରେ ଚୀନ ଏକ ଅନ୍ୟତମ ସିଦ୍ଧାନ୍ତରେ ଉପନୀତ ହୋଇଥିଲା ଯେ, ଭାରତ ବିରୋଧରେ ଯାଇ ଚୀନକୁ ସମର୍ଥନ କରିବାକୁ ସୋଭିଏତ ସଂଘ ଯଥେଷ୍ଟ ଇଚ୍ଛାପ୍ରକାଶ କରୁନାହିଁ । ରୁଷ ଏକ ନିରପେକ୍ଷ ସ୍ଥିତିରେ ରହିବାକୁ ଉଦ୍ୟମ କରିଥିଲା । ତେଣୁ, ଇତିହାସ ଦୃଷ୍ଟିରୁ ବି ଗୁରୁତ୍ବପୂର୍ଣ୍ଣ ସଂପର୍କ ରଖି ଆସିଥିବା ଦୁଇ ପଡ଼ୋଶୀ ବୃହତ୍‌ ଶକ୍ତିଙ୍କ ମଧ୍ୟରେ ବିବାଦ କ୍ଷେତ୍ରରେ ରୁଷ ବାସ୍ତବରେ ସଂପୃକ୍ତ ହେବାକୁ ଆଗ୍ରହୀ ନୁହେଁ ।

ପ୍ରଶ୍ନ-କିନ୍ତୁ ରୁଷରୁ ଭାରତ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର କିଣିବାକୁ ବରାଦ ଦେଉଥିବାରୁ ଆମେରିକାରେ ଏହା ଅସନ୍ତୋଷ ସୃଷ୍ଟିର କାରଣ ହୋଇପାରେ କି?

ଏଥିରେ ପ୍ରତିରକ୍ଷା କ୍ଷେତ୍ରରେ ଆପଣଙ୍କ ପକ୍ଷରେ ସମ୍ଭବ ବୃହତ୍‌ ସୀମାବଦ୍ଧତାର ପ୍ରତିଫଳନ ଘଟେ । ଆମେରିକା ସହ ସଂପର୍କକୁ ସୁଦୃଢ଼ କରିବା ଲାଗି, ଭାରତ ରୁଷରୁ ଅସ୍ତ୍ରଶସ୍ତ୍ର କିଣାରେ କାଣ୍ଟଛାଣ୍ଟ କରିବା ଦରକାର ବୋଲି ଡିସିର କେହି ଚାହିଁବେ ବୋଲି ମୁଁ ଭାବୁନାହିଁ । ହେଲେ ଏଥିରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହା ଏକ ଜଟିଳ ସଂପର୍କ ଏବଂ ସମ୍ବନ୍ଧରେ ଅବନତି ଘଟିଲେ ଭାରତ ସଂପର୍କିତ ଆମେରିକାର ନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ଭାରତ ଓ ଆମେରିକା ମଧ୍ୟରେ ଏଭଳି ଅନ୍ୟାନ୍ୟ କେତେକ କ୍ଷେତ୍ରରେ ସହଯୋଗ ରହିଛି ଯେଉଁଠି ରୁଷର କୌଣସି ପ୍ରଭାବଶାଳୀ ଭୂମିକା ନାହିଁ । ଏହା ବିମାନ ପରିବହନ ପ୍ରଣାଳୀ ହେଉ କି ଗୁଇନ୍ଦା ସୂଚନାର ଆଦାନପ୍ରଦାନ ହେଉ । ସୁରକ୍ଷା କ୍ଷେତ୍ରରେ ବ୍ୟାପକ ସଂପର୍କ ରହିଛି ଏବଂ ଭାରତ-ଆମେରିକା ମଧ୍ୟରେ ସହଯୋଗକୁ କିଛି ମାତ୍ରାରେ ବଢ଼ାଇବା ନିମନ୍ତେ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି । କିନ୍ତୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଉନ୍ନତିକୁ ନେଇ ଭାରତ ଯଦି

ଚିନ୍ତିତ, ତେବେ ତୁରନ୍ତ ରୁଷ ଦିଗରେ ଦେଖିବାକୁ ପଡ଼ିବ । ଏମିତି କି ବିକ୍ରି କରିବା ପାଇଁ ଆମେରିକା ପାଖରେ ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନାହିଁ । କାରଣ, ଆମର ଦୁଇ ବିପରୀତ ପଟେ ମହାସାଗର ଏବଂ ଆମ ଉତ୍ତର ଓ ଦକ୍ଷିଣ ଦିଗରେ ସାମରିକ ଦୃଷ୍ଟିକୋଣରୁ ଅପେକ୍ଷାକୃତ କ୍ଷୁଦ୍ର ଦେଶଗୁଡ଼ିକ ରହିଥିବାରୁ, ପ୍ରକୃତିଦତ୍ତ ଅବସ୍ଥିତି ଯୋଗୁଁ ଆମେରିକା ନିଜେ ନିଜର ଆକାଶ ମାର୍ଗକୁ ସୁରକ୍ଷିତ ରଖିବାକୁ ଚିନ୍ତିତ ନୁହେଁ । ରୁଷରୁ ଅସ୍ତ୍ରଶସ୍ତ୍ର କିଣି ଭାରତ ଚୀନ ପାଇଁ ଏକ ସୁଦୃଢ଼ ପ୍ରତିରୋଧ ବ୍ୟବସ୍ଥା ସୃଷ୍ଟି କରୁଛି ବୋଲି ୱାସିଂଟନ୍‌ ଭାବୁଥିବା ଯାଏ, ନିଶ୍ଚିତ ଭାବରେ ଏହା ଅନ୍ୟ କ୍ଷେତ୍ରରେ ସଂପର୍କର ନିବିଡ଼ତାକୁ ପ୍ରଭାବିତ କରିବା ଭଳି କୌଣସି ପଦକ୍ଷେପ ନେବ ନାହିଁ । କିନ୍ତୁ ବର୍ତ୍ତମାନ ପାଇଁ ଭୂ-ରାଜନୈତିକ ଦୃଷ୍ଟିରୁ ଭାରତର ସମ୍ବେଦନଶୀଳ ସ୍ଥିତି ଉପରେ ଏହା ଗୁରୁତ୍ବାରୋପ କରିଥାଏ ।

ପ୍ରଶ୍ନ-ସାଟେଲାଇଟ୍‌ ଚିତ୍ରଗୁଡ଼ିକୁ ଭିନ୍ନ ଭିନ୍ନ ଭାବରେ ବ୍ୟାଖ୍ୟା କରାଯାଇ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଚାଲିଛି । ବାସ୍ତବ ନିୟନ୍ତ୍ରଣ ରେଖାରେ ସେନା ମୁତୟନ ପ୍ରସଙ୍ଗରେ ଏହି ଚିତ୍ରଗୁଡ଼ିକ କେତେ ଚିନ୍ତାଜନକ ବୋଲି ଆପଣ ଭାବୁଛନ୍ତି ? ଏବଂ ଏହା ସହିତ ଭାରତର ପଡ଼ୋଶୀ ଦେଶ ସହିତ ବି ଚୀନ ସୀମା ବିବାଦ ସୃଷ୍ଟି କରୁଛି । ଉଦାହରଣ ସ୍ବରୂପ ଭୁଟାନର ପୂର୍ବାଞ୍ଚଳରେ ଥିବା ସେଟକାଙ୍ଗ ଅଭୟାରଣ୍ୟ ଉପରେ ଚୀନର ଅଧିକାର ଦାବି ଥିମ୍ପୁକୁ ବିସ୍ମିତ କରିଥିଲେ ହେଁ ସେ ଏହାକୁ ଦୃଢ଼ ଭାବରେ ଅଗ୍ରାହ୍ୟ କରିଦେଇଥିଲା । ଆଗକୁ ଚୀନ ପକ୍ଷରୁ ନୂଆ ନୂଆ ବିବାଦ ସୃଷ୍ଟି ସମ୍ଭାବନା ପ୍ରତି ଭାରତ ପ୍ରସ୍ତୁତ ରହିବା ଉଚିତ କି ?

ମନେହୁଏ ଯେ, ଏକ ଅପେକ୍ଷାକୃତ ବଡ଼ ଅଞ୍ଚଳକୁ ନେଇ ଭାରତ ଓ ଭୁଟାନ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚୀନର ଏହା ଏକ ଉଦ୍ୟମ । ହୁଏତ 1980 ଦଶକରେ ଏହି ଅଞ୍ଚଳକୁ ନେଇ ଆଲୋଚନା ହୋଇଥିବ ଏବଂ ପରବର୍ତ୍ତୀ ସମୟରେ 90 ଦଶକରେ ଭୁଟାନ-ଚୀନ ସୀମା ସଂକ୍ରାନ୍ତ ଚୂଡ଼ାନ୍ତ ରାଜିନାମା ସମୟରେ ଚୀନ ଏହି ପ୍ରସଙ୍ଗକୁ ପରିତ୍ୟାଗ କରିଥିବ । ହେଲେ ବ୍ୟାପକ ରଣନୈତିକ ଦୃଷ୍ଟିକୋଣରୁ ଦେଖିଲେ ବର୍ତ୍ତମାନ ପାଇଁ ଚୀନ ଭାରତକୁ ନେଇ ଚିନ୍ତିତ ନୁହେଁ । ଚୀନର ଚିନ୍ତା ଆମେରିକାକୁ ନେଇ । ନିଜସ୍ବ ଲକ୍ଷ୍ୟ ହାସଲରେ ଚୀନ ସକ୍ଷମ ହେଲେ, ସେ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ସହ ଚୀନର ଦ୍ବିପାକ୍ଷିକ ସଂପର୍କର ସର୍ବାଧିକ ପ୍ରଭାବ ପଡ଼ିବ । ଐତିହାସିକ ଦୃଷ୍ଟିକୋଣରୁ ଭାରତ ସହ ଏହାର ସଂପର୍କକୁ ଚୀନ

ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରିଆସିଛି, କିନ୍ତୁ କେତେକ କ୍ଷେତ୍ରରେ ଆମେରିକା ଭଳି ଦେଶ ସହ ଥିବା ଏହାର ସଂପର୍କ ଭଳି ପ୍ରାୟତଃ ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ । କିନ୍ତୁ ଏହାର ଅର୍ଥ ହେଉଛି ଚୀନ ସୀମାରେ ଏହାର ସୁଦୃଢ଼ ସ୍ଥିତି ବଜାୟ ରଖିବାକୁ ଚାହେଁ, ସୀମାରେ, ବିଶେଷତଃ ପଶ୍ଚିମ ସେକ୍‌ଟରରେ ଭାରତକୁ ସୁବିଧା ହାସଲରୁ ବଞ୍ଚିତ କରିବାକୁ ଚାହେଁ, ତିବ୍ବତରୁ ଶିନ୍‌ଜିଆଙ୍କ ଏବଂ ଅବଶିଷ୍ଟ ଚୀନକୁ ସଂଯୋଗ କରୁଥିବା ରାସ୍ତା ସହ ଜଡ଼ିତ ଐତିହାସିକ ସମ୍ବେଦନଶୀଳତା ଦୃଷ୍ଟିରୁ ସେଠାରେ ଭାରତକୁ ନିଜ ସ୍ଥିତି ସୁଦୃଢ଼ କରିବାରୁ ରୋକିବାକୁ ଚାହେଁ । ତେଣୁ ଆମେରିକା ସହ ଏହାର ସଂପର୍କକୁ ବିପଦରେ ପକାଇ ଭାରତ ସହ ଏହାର ସଂପର୍କ ପରିଚାଳନା ଦିଗରେ ଅଧିକ ସମ୍ବଳ ବିନିଯୋଗ କରିବାକୁ ଏବଂ ଅଧିକ

ସଂପୃକ୍ତ ହେବାକୁ ଚୀନ ଚାହେଁ ନାହିଁ । ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏକ ଖୁବ୍‌ ଦୀର୍ଘ ଭାଷଣ ଦେଇଥିଲେ, ଯେଉଁଥିରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରାଯାଇଛି ଏବଂ ଏହା ହିଁ ବାସ୍ତବରେ ଚୀନର କୂଟନୈତିକ ଏବଂ ରଣନୈତିକ ମନୋନିବେଶର କେନ୍ଦ୍ରରେ ରହିଛି । ଏହାର ଅର୍ଥ ହେଉଛି ଯେ, ହୁଏତ ଭୁଟାନ, କିମ୍ବା ନେପାଳର କେତେକ ଭିନ୍ନ ଭିନ୍ନ ଅଞ୍ଚଳରେ ଚୀନ ଭାରତକୁ ଉସୁକାଇବା ଭଳି ଲାଗିପାରେ, କିନ୍ତୁ ଏହାର ଉଦ୍ଦେଶ୍ୟ ସୀମାରେ ନିଜର ସୁଦୃଢ଼ ସ୍ଥିତିକୁ ସୁନିଶ୍ଚିତ କରିବା ପରେ ଆମେରିକା ସହ ସଂପର୍କ ଉପରେ ଚୀନ ଧ୍ୟାନ ଦେବ ।

ABOUT THE AUTHOR

...view details