ଓଡିଶା

odisha

ETV Bharat / bharat

ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପରେ ତା’ର କଥା ପ୍ରତିଫଳିତ ହେଉନାହିଁ: ପୂର୍ବତନ ରାଷ୍ଟ୍ରଦୂତ - Chinas words dont reflect

ପୂର୍ବ ଲଦାଖରେ ସୀମା ବିବାଦର ଅବସାନ ଘଟି ନଥିବା ବେଳେ ଏବଂ ଚୀନରେ ଉତ୍ପାଦିତ କେତେକ ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରିବା ପରେ ଚୀନ ନାଗରିକମାନଙ୍କୁ ଭିସା ପ୍ରଦାନ ଉପରେ ଭାରତ କଟକଣା ଜାରି କରୁଥିବା ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ସେପଟେ ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପରେ ତା’ର କଥା ପ୍ରତିଫଳିତ ହେଉନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପ
ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପ

By

Published : Aug 25, 2020, 7:04 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସୀମା ବିବାଦର ଅବସାନ ଘଟି ନଥିବା ବେଳେ ଏବଂ ଚୀନରେ ଉତ୍ପାଦିତ କେତେକ ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରିବା ପରେ ଚୀନ ନାଗରିକମାନଙ୍କୁ ଭିସା ପ୍ରଦାନ ଉପରେ ଭାରତ କଟକଣା ଜାରି କରୁଥିବା ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମୟରେ, ବେଜିଂ ନୂଆଦିଲ୍ଲୀର ଶତ୍ରୁ ନୁହେଁ ବୋଲି ଚୀନ ଗଣମାଧ୍ୟମ ବାରମ୍ବାର କହିଆସୁଛି । କିନ୍ତୁ ଭାରତର ଉତ୍ତର ଦିଗରେ ଅବସ୍ଥିତ ଏହି ପଡ଼ୋଶୀ ଦେଶର କାମ ଓ କଥାରେ ତାଳମେଳ ନାହିଁ ବୋଲି ଜଣେ ପୂର୍ବତନ ଭାରତୀୟ କୂଟନୀତିଜ୍ଞ ମତ ଦେଇଛନ୍ତି ।

‘ବ୍ଲୁମ୍‌ବର୍ଗ’ରେ ପ୍ରକାଶିତ ଏକ ରିପୋର୍ଟକୁ ଉଦ୍ଧାର କରି ଚୀନ ସରକାରଙ୍କ ସହ ଅନୁବନ୍ଧିତ ପ୍ରଭାବଶାଳୀ ଇଂରାଜୀ ଦୈନିକ ‘ଗ୍ଲୋବାଲ ଟାଇମ୍‌ସ’ରେ ପ୍ରକାଶିତ “ସୀମାରେ ସଂଘର୍ଷ ପରେ ଭିସା ପ୍ରଦାନ ଉପରେ ଭାରତର କଥିତ କଟକଣା ଚୀନ ବିରୋଧୀ ମନୋଭାବକୁ ଦର୍ଶାଉଛି” ଶୀର୍ଷକ ଏକ ଲେଖାରେ, ଚୀନର ବ୍ୟବସାୟୀ, ଶିକ୍ଷାବିତ୍‌, ଶିଳ୍ପ ବିଶେଷଜ୍ଞ ଏବଂ ଆଇନଜୀବୀ ଗୋଷ୍ଠୀଙ୍କୁ ଭିସା ପ୍ରଦାନ ଉପରେ ଭାରତ କଟକଣା ଲାଗୁ କରୁଛି ବୋଲି ପ୍ରକାଶିତ ହେବା ସହିତ, ଏହା ସତ ହୋଇଥିଲେ, “ସୀମାରେ ସଂଘର୍ଷ ପରେ ଭାରତରେ ସୃଷ୍ଟି ହୋଇଥିବା ଚୀନ ବିରୋଧୀ ମନୋଭାବର ପ୍ରସାର ଦିଗରେ ଏହା ଏକ ରାଜନୈତିକ ସଂକେତ” ବୋଲି ଉଲ୍ଲେଖ କରାଯାଇଛି ।

ଏହି ଲେଖାରେ ଉଲ୍ଲେଖ କରାଯାଇଛି ଯେ, “ଭାରତ ଭୁଲରେ ଚୀନକୁ ଜଣେ ଶତ୍ରୁ ରୂପରେ ବିବେଚନା କରୁଛି ।” ଏହି ଲେଖାରେ ଚେଙ୍ଗଦୁରେ ଅବସ୍ଥିତ ‘ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ୱାର୍ଲଡ ଆଫେୟାର୍ସ’ର ଅଧ୍ୟକ୍ଷ ଲଙ୍ଗ ସିଂଚୁନ୍‌ଙ୍କ ବିବୃତି ପ୍ରକାଶିତ ହୋଇଛି, ଯେଉଁଥିରେ ସେ କହିଛନ୍ତି, “ଚୀନ ନାଗରିକମାନଙ୍କ ଉପରେ ଭିସା କଟକଣା ଲାଗୁ କରିବା ଭାରତୀୟ ଅଧିକାରୀ ଏବଂ ରାଜନେତାମାନଙ୍କର ଏକ ରାଜନୈତିକ ଚାଲ୍‌ ଏବଂ ଦେଶର ଜାତୀୟତାବାଦୀମାନଙ୍କ ଭାବଧାରାକୁ ସୁହାଇବା ଏବଂ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସେମାନେ କେତେ ବଡ଼ ଦେଶଭକ୍ତ ତାହା ଦର୍ଶାଇବା ପାଇଁ ଏହା ଉଦ୍ଦିଷ୍ଟ ।”

ଗତ ଜୁନରେ ଲଦାଖ ସୀମାରେ ସଂଘଟିତ ରକ୍ତାକ୍ତ ସଂଘର୍ଷରେ 45 ବର୍ଷରେ ପ୍ରଥମ ଥର ପାଇଁ ବାସ୍ତବ ନିୟନ୍ତ୍ରଣ ରେଖା ସଂଲଗ୍ନ ଅଞ୍ଚଳର ଉଭୟ ପାର୍ଶ୍ବରେ ପ୍ରାଣହାନି ଘଟିବା ପରେ, ଭିଡିଓ-ପ୍ରସାରଣ ଭିତ୍ତିକ ସାମାଜିକ ନେଟ୍‌ୱର୍କ ସେବା ଟିକ୍‌ଟକ୍‌ ସମେତ ଚୀନର 59ଟି ମୋବାଇଲ ଆପ୍ଲିକେସନ ଉପରେ ନୂଆଦିଲ୍ଲୀ ନିଷେଧାଦେଶ ଜାରି କରିବା ପରବର୍ତ୍ତୀ ସମୟରେ ହିଁ ଚୀନ୍‌ ନାଗରିକଙ୍କୁ ଭିସା ପ୍ରଦାନ ଉପରେ ଭାରତର କଟକଣା ଜାରି ସଂପର୍କିତ ରିପୋର୍ଟ ପ୍ରକାଶ ପାଇଛି ।

ସୀମା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ସ୍ତରରେ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଚାଲିଥିବା ଆଲୋଚନା ଏ ମାସ ଆରମ୍ଭରୁ ଅମୀମାଂସିତ ଅବସ୍ଥାରେ ଲଟକି ରହିଛି । କାରଣ, ପୂର୍ବ ଲଦାଖରେ ପାଙ୍ଗଙ୍ଗ ସୋ, ଗଲୱାନ ଉପତ୍ୟକା, ଦେପସାଙ୍ଗ ସମତଳ କ୍ଷେତ୍ର ଏବଂ ଗୋଗ୍ରା ଉପରେ ଚୀନ ଏହାର ଅଧିକାର ଦାବିରେ ଅଟଳ ରହିଛି । ଲଙ୍ଗଙ୍କ ଉକ୍ତି ଉଦ୍ଧାର କରି ‘ଗ୍ଲୋବାଲ ଟାଇମ୍‌ସ’ରେ ପ୍ରକାଶ ପାଇଛି ଯେ, “ଯେତେବେଳେ ବି ଦ୍ବିପାକ୍ଷିକ ସଂପର୍କରେ ବିବାଦୀୟ ସ୍ଥିତି ଉପୁଜିଛି, ଚୀନ ନାଗରିକଙ୍କୁ ଭିସା ପ୍ରଦାନ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ କରିବା ଭାରତ ପାଇଁ ନିୟମିତ କାର୍ଯ୍ୟଧାରାରେ ପରିଣତ ହୋଇଛି” ।

ଲଙ୍ଗ କହିଛନ୍ତି, “ଭାରତରେ ଉଭୟ (କୋଭିଡ-19) ବିଶ୍ବ ମହାମାରୀ ଏବଂ ଚୀନ ବିରୋଧୀ ଭାବନା ଚୀନ ନାଗରିକମାନଙ୍କ ଭାରତ ଗସ୍ତକୁ ନିରୁତ୍ସାହିତ କରୁଛି । ଅନ୍ୟୂନ ବର୍ଷକ ପାଇଁ ଭାରତ ଓ ଚୀନ ମଧ୍ୟରେ ଭାବ ବିନିମୟର ଧାରା ପ୍ରାକ୍‌-ବିଶ୍ବ ମହାମାରୀ ସମୟର ସ୍ଥିତାବସ୍ଥାକୁ ଫେରିବ ନାହିଁ । ହୁଏତ ଦ୍ବିପାକ୍ଷିକ ଆଦାନପ୍ରଦାନର ଧାରା ପୁନଃସ୍ଥାପିତ ହେବା ପାଇଁ ଅତି କମ୍‌ରେ ସେତିକି ଲମ୍ବା ସମୟ ଲାଗିଯାଇପାରେ ।”

ଇତ୍ୟବସରରେ, ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ ସହଯୋଗରେ ସ୍ଥାପିତ ଚୀନ୍‌ର କନ୍‌ଫ୍ୟୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଚାପ୍‌ଟର ସମୂହକୁ ଭାରତର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସମୀକ୍ଷା ମଧ୍ୟ କରାଯାଉଛି । ଚୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସହିତ ଅନ୍ୟ ଦେଶରେ ଥିବା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ସାର୍ବଜନୀନ ସହଭାଗିତା ହେଉଛି କନ୍‌ଫ୍ୟୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଚୀନର ଶିକ୍ଷା ମନ୍ତ୍ରାଳୟ ସହିତ ଅନୁବନ୍ଧିତ ହାନ୍‌ବାନ୍‌ (ସରକାରୀ ଭାବେ ଅନ୍ତର୍ଜାତୀୟ ଚୀନା ଭାଷା ପରିଷଦ) ଏହି ସହଭାଗିତାକୁ ପାଣ୍ଠି ଯୋଗାଇବା ସହିତ ଏହାର ଆଂଶିକ ପରିଚାଳନା କରିଥାଏ ।

ଚୀନା ଭାଷା ଓ ସଂସ୍କୃତିର ପ୍ରସାର, ଅନ୍ତର୍ଜାତୀୟ ସ୍ତରରେ ଚୀନା ଭାଷାରେ ଶିକ୍ଷାଦାନ କ୍ଷେତ୍ରରେ ସ୍ଥାନୀୟ ସହଯୋଗ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଗମ କରାଇବା ଏହି କାର୍ଯ୍ୟକ୍ରମର ଘୋଷିତ ଲକ୍ଷ୍ୟ । ଯେଉଁ ସବୁ ଦେଶରେ ଏହି ସଂଗଠନ କାର୍ଯ୍ୟ କରୁଛି, ସେଠାରେ ଚୀନର ବର୍ଦ୍ଧିତ ପ୍ରଭାବ ଯୋଗୁଁ ଉଦ୍‌ବେଗ ପ୍ରକାଶ ପାଉଥିବାରୁ ଏହି ସଂଗଠନ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି ।

ହାନ୍‌ବାନ୍‌ ସହଯୋଗରେ 2004ରେ କନ୍‌ଫ୍ୟୁସିଅସ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସଂପୃକ୍ତ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜେ ନିଜେ ଏହାର ତତ୍ତ୍ବାବଧାନ କରୁଥିଲେ । ସାରା ବିଶ୍ବରେ ଏହା ସହିତ ସହବନ୍ଧିତ ସ୍ଥାନୀୟ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ସହଯୋଗରେ ଏହି ଅନୁଷ୍ଠାନ ପରିଚାଳିତ ହେଉଥିଲା ଏବଂ ଏଥିରେ ହାନ୍‌ବାନ୍‌ ଓ ଆୟୋଜକ ଅନୁଷ୍ଠାନ ମିଳିତ ଭାବେ ଅର୍ଥ ବିନିଯୋଗ କରୁଥିଲେ ।

ବିଶ୍ବର ବିଭିନ୍ନ ଦେଶରେ ନିଜ ନିଜ ଦେଶର ଭାଷା ଓ ସଂସ୍କୃତିର ପ୍ରସାର କରୁଥିବା ଫ୍ରାନ୍‌ସର ‘ଆଲିଆନ୍‌ସ ଫ୍ରାଙ୍କାଇ’ ଏବଂ ଜର୍ମାନୀର ‘ଗୋଥେ-ଇନ୍‌ଷ୍ଟିଚ୍ୟୁଟ’ ଅନୁରୂପ କନ୍‌ଫ୍ୟୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ବୋଲି ଉପସ୍ଥାପନ କରିବାକୁ ବେଜିଂ ଉଦ୍ୟମ କରୁଛି । ହେଲେ ‘ଆଲିଆନ୍‌ସ ଫ୍ରାଙ୍କାଇ’ ଏବଂ ‘ଗୋଥେ-ଇନ୍‌ଷ୍ଟିଚ୍ୟୁଟ୍‌’ ଅନ୍ୟ ଦେଶରେ ସ୍ବାଧୀନ ଭାବେ କାମ କରୁଥିବା ବେଳେ କନ୍‌ଫ୍ୟୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅନ୍ୟ ଦେଶର ସ୍ଥାନୀୟ ଶିକ୍ଷାନୁଷ୍ଠାନ ସହଯୋଗରେ କାର୍ଯ୍ୟ କରିବାକୁ ଚାହେଁ ଏବଂ ଏଥିପାଇଁ ଚୀନ ସରକାର ପାଣ୍ଠି ଯୋଗାଇ ଦିଅନ୍ତି ।

ବିଶେଷଜ୍ଞମାନଙ୍କ ମତରେ, କନ୍‌ଫ୍ୟୁସିଅସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କାର୍ଯ୍ୟକ୍ରମ ବେଜିଂର “ତୀବ୍ର କ୍ଷମତା” ସଂପନ୍ନ ସଂପ୍ରସାରଣବାଦୀ ନୀତିର ଏକ ଅଂଶବିଶେଷ । ‘ଗ୍ଲୋବାଲ ଟାଇମ୍‌ସ’ର ଏହି ଲେଖାରେ ଏହା ମଧ୍ୟ ଉଲ୍ଳେଖ କରାଯାଇଛି ଯେ, ଗତ ଏପ୍ରିଲରେ ଉନ୍ମୋଚିତ ଭାରତର ନୂତନ ପୁଞ୍ଜିନିବେଶ ନିୟମାବଳୀ “ଚୀନର ବିନିଯୋଗକାରୀଙ୍କ ପ୍ରତି ଭେଦଭାବ ସୃଷ୍ଟି କରିବା ଭଳି ମନେହୁଏ” ।

ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (FDI) ସଂପର୍କିତ ନିୟମାବଳୀରେ ଦେଶର ପ୍ରଗତିଶୀଳ ଏବଂ ଉଦାରପନ୍ଥୀ ମନୋଭାବ ପରିଲକ୍ଷିତ ହୋଇଆସିଛି । ଏଥିରେ ଅଧିକାଂଶ କ୍ଷେତ୍ରରେ ବିଭିନ୍ନ କମ୍ପାନୀ ଓ ସଂସ୍ଥାର 100 ପ୍ରତିଶତ ମାଲିକାନା ବିଦେଶୀଙ୍କ ହାତରେ ରହିପାରିବ ଏବଂ ଅନେକ କ୍ଷେତ୍ରରେ ପୂର୍ବ ଅନୁମୋଦନ ବିନା “ସ୍ବୟଂଚାଳିତ ମାର୍ଗ”ରେ ପୁଞ୍ଜି ବିନିଯୋଗ କରାଯାଇପାରିବ ।

ହେଲେ, ଏଭଳି ହେଲେ ଭାରତ ସହିତ ଭୂପୃଷ୍ଠ ସୀମା ସଂଲଗ୍ନ ଦେଶ ସମୂହ, ବିଶେଷତଃ ଚୀନ ଭଳି ଦେଶର ପୁଞ୍ଜି ବିନିଯୋଗକାରୀମାନେ ସ୍ବଳ୍ପ ମୂଲ୍ୟ ବିନିମୟରେ ଭାରତୀୟ କମ୍ପାନୀଗୁଡ଼ିକର ବହୁ ପରିମାଣର ଅଂଶଧନ ହାସଲ କରିପାରିବେ ଏବଂ ସାଂପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଭାରତୀୟ ଅର୍ଥନୀତିକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଉଦ୍‌ବେଗ ପ୍ରକାଶ ପାଇଥିଲା । ଏଭଳି ‘ସୁବିଧାବାଦୀ’ ପୁଞ୍ଜିନିବେଶକୁ ନିୟନ୍ତ୍ରିତ କରିବା ପାଇଁ ଭାରତ ପକ୍ଷରୁ ‘ବିଦେଶୀ ମୁଦ୍ରା ପରିଚାଳନା (ଅଣ-ଋଣ ସାଧନ) ଆଇନ, 2019’ (ସଂଶୋଧିତ ଆଇନ)ର ସଂଶୋଧନ କରି ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ।

ଏହି ସଂଶୋଧିତ ଆଇନ ଅନୁସାରେ, ଭାରତର ଭୂସୀମା ସଂଲଗ୍ନ କୌଣସି ଦେଶ ଅଧୀନରେ ଥିବା/ସେଠାରେ ସ୍ଥାପିତ ହୋଇଥିବା କିମ୍ବା ସେଠାକାର କୌଣସି ନାଗରିକ ବା ବ୍ୟକ୍ତିଙ୍କ ଲାଭପ୍ରଦ ମାଲିକାନାରେ ରହିଥିବା କୌଣସି ବିନିଯୋଗକାରୀ ସଂସ୍ଥା ଭାରତରେ ଏହାର ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ନିଶ୍ଚିତ ଭାବରେ ଭାରତ ସରକାରଙ୍କ ଅନୁମୋଦନ ହାସଲ କରିବେ । ଏ ବର୍ଷ ଏପ୍ରିଲ 22 ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି । ଚୀନ ଭାରତର ଏକ ଶତ୍ରୁ ନୁହେଁ ବୋଲି ‘ଗ୍ଲୋବାଲ୍‌ ଟାଇମ୍‌ସ’ରେ ପ୍ରକାଶିତ ଲେଖା ସନ୍ଦର୍ଭରେ ଚୀନରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଗୌତମ ବମ୍ବାୱାଲେ କହିଲେ ଯେ, ବେଜିଂର କଥା ଓ କାମରେ ତାଳମେଳ ରହୁନାହିଁ ।

ଈଟିଭି ଭାରତର ଏକ ପ୍ରଶ୍ନର ଉତ୍ତରରେ ବମ୍ବାୱାଲେ କହିଲେ, “ଯଦି ତୁମେ (ଚୀନ) ଭାରତକୁ ଶତ୍ରୁ ବୋଲି ବିଚାର କରୁନାହଁ, ତେବେ ତୁମେ କାହିଁକି ଲଦାଖରେ ପୁଣି ଯଥାପୂର୍ବ ସ୍ଥିତାବସ୍ଥା ଫେରାଇ ଆଣୁନାହଁ ?”

ଚୀନର ମୋବାଇଲ ଆପ୍‌ଗୁଡ଼ିକ ଉପରେ ନିଷେଧାଦେଶ ଜାରି ଯୋଗୁଁ ଭାରତର ଅର୍ଥନୀତି ପ୍ରଭାବିତ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ଏହି ଭୂତପୂର୍ବ କୂଟନୀତିଜ୍ଞ କହିଲେ ଯେ ଏହା ଚୀନର ଅର୍ଥନୀତିକୁ ମଧ୍ୟ ଆଘାତ ଦେବ । ନିର୍ଦ୍ଦିଷ୍ଟ ଭାବେ ‘ଟିକ୍‌ଟକ୍‌’ ଉପରେ ନିଷେଧାଦେଶ ଜାରି ସଂପର୍କରେ ବମ୍ବାୱାଲେ କହିଲେ ଯେ, “ଏହା ପ୍ରକୃତରେ ସେମାନଙ୍କୁ ବାଧିଛି” ।

ସେ ଆହୁରି କହିଲେ, “ଭାରତ (ଟିକ୍‌ଟକ୍‌ ଉପରେ ନିଷେଧାଦେଶ ଜାରି କରି) ରାସ୍ତା ଦେଖାଇଲା ଏବଂ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆ ଏବେ ଏହା ଉପରେ ନିଷେଧାଦେଶ ଜାରି ସଂପର୍କରେ ବିଚାର କରୁଛନ୍ତି ।” ବାଣିଜ୍ୟ କ୍ଷେତ୍ରରେ ଚୀନ ଓ ଆମେରିକା ମଧ୍ୟରେ ବିବାଦ ତୀବ୍ର ହେଉଥିବା ସମୟରେ, ଭାରତ ସହିତ ସୀମା ବିବାଦ ସହିତ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଥିବା ଦେଶ ସମୂହ ଏବଂ ପୂର୍ବ ଚୀନ ସାଗରରେ ଜାପାନ ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିସ୍ତାରବାଦୀ ନୀତି ଲାଗୁ କରିବା ଉଦ୍ୟମକୁ କେନ୍ଦ୍ର କରି ଚୀନ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛି । ଜାପାନର ପୂର୍ବତଟରୁ ଆଫ୍ରିକାର ପୂର୍ବତଟ ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସମୃଦ୍ଧି ସ୍ଥାପନ ପ୍ରକ୍ରିୟା ବଜାୟ ରଖିବା ଉଦ୍ଦେଶ୍ୟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ଭାରତ ଏକ କ୍ବାଡ୍‌ ବା ଚତୁର୍ଦେଶୀୟ ସଂଗଠନର ଅଂଶ ରୂପେ ସାମିଲ ହୋଇଛି ।

ଅରୁଣିମ ଭୁୟାଁ

ABOUT THE AUTHOR

...view details