ବେଜିଂ: ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଇତି ମଧ୍ୟରେ ବୁଧବାର ମୋଦି ସରକାର 118 ଟି ବିଦେଶୀ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିରେ ଥିବା ଅଧିକାଂଶ ଆପ୍ ଚୀନର । ତେବେ ଗୁରୁବାର ଭାରତ ସରକାରଙ୍କ ପଦକ୍ଷେପ ଉପରେ ଚୀନ ପ୍ରତିକ୍ରିୟା ରଖିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନ କଡା ବିରୋଧ କରିବା ସହ ଭାରତକୁ ନିଜ ଭୁଲ ସୁଧାରିବାକୁ କହିଛି ।
ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି, ମୋବାଇଲ୍ ଆପ୍ ଉପରେ ଭାରତର ପ୍ରତିବନ୍ଧକ ଚୀନର ନିବେଶକ ଏବଂ ସେବା ପ୍ରଦାନକାରୀଙ୍କ ଆଇନଗତ ସ୍ବାର୍ଥକୁ ଉଲ୍ଲଂଘନ କରୁଛି। ଚୀନ ଏହାକୁ ନେଇ ଗୁରୁତର ଭାବେ ଚିନ୍ତିତ ଏବଂ ଏହାକୁ କଡା ବିରୋଧ କରୁଛି।
ସୂଚନାଯୋଗ୍ୟ ଯେ, ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ଲୋକପ୍ରିୟ ଭିଡିଓ ଗେମ୍ ପବଜି ସମେତ 118 ଟି ମୋବାଇଲ୍ ଆପ୍ ଉପରେ ଭାରତ ବୁଧବାର ନିଷେଧାଦେଶ ଘୋଷଣା କରିଛି। ଚୀନ କମ୍ପାନୀ ଟେନସେଣ୍ଟ ହୋଲ୍ଡିଂ ଲିମିଟେଡ୍ରେ ପବଜିର ଏକ ଅଂଶ ଅଛି । ସରକାର ନିଷିଦ୍ଧ କରିଥିବା 118 ଟି ମୋବାଇଲ୍ ଆପ୍ ମଧ୍ୟରେ ପବଜି, APUS ଲଞ୍ଚର୍ ପ୍ରୋ ଥିମ୍, APUS ସିକ୍ୟୁରିଟି-ଆଣ୍ଟିଭାଇରସ୍, APUS ଟର୍ବୋ କ୍ଲିନର୍ 2020, ଶାଓମିର ସେୟାର୍ ସେଭ୍, ଫେସ୍, କଟ୍ କଟ୍, ବାଇଡୁ, କ୍ୟାମକାର୍ଡ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୱିଚାଟ ରିଡିଂ, ପିଟୁ, ଇନ୍ ନୋଟ୍, ସ୍ମଲ କୃ ବ୍ରଶ୍, ସାଇବର ହଣ୍ଟର୍, ଲାଇଫ୍ ଆଫ୍ଟର ଆଦି ଆପ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ତେବେ ଚୀନର ମୋବାଇଲ୍ ଆପ୍ ଉପରେ ଏହା ହେଉଛି ଭାରତର ତୃତୀୟ ଡିଜିଟାଲ୍ ଷ୍ଟ୍ରାଇକ୍। ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଟିକ୍ଟକ୍ ସମେତ ଅନେକ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଜୁନ ଶେଷରେ କେନ୍ଦ୍ର ସରକାର ଚୀନର ଲୋକପ୍ରିୟ ଆପ୍ ଟିକ୍ଟକ୍, ହେଲୋ ସମେତ 59 ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ଜୁଲାଇ ଶେଷରେ 47 ଅନ୍ୟ ଚୀନ ଆପ୍ ଉପରେ କଟକଣା ଜାରି କରିଥିଲେ ।