ଚେନ୍ନାଇ: ବେଳେବେଳେ ମଜ୍ଜାମସ୍ତି ମଧ୍ୟ ବିପଦଜନକ ସାବ୍ୟସ୍ତ ହୋଇଥାଏ । ଯାହାର ଏକ ଝଲକ ଦେଖିବାକୁ ମିଳିଛି ଚେନ୍ନାଇରେ । ଏଠାରେ ଏକ ଥିମ ପାର୍କରେ ଏକ ଦୋଳି ଛିଣ୍ଡିବା ଫଳରେ 12 ଜଣ ଆହତ ହୋଇଛନ୍ତି ।
ଗୁରୁବାର ଚେନ୍ନାଇର ଥିମପାର୍କରେ 'ଫ୍ରି ଫଲ ଟାୱାର' ନାମକ ଏକ ଦୋଳିର ମଜା ନେଉଥିଲେ ଲୋକେ । ତେବେ ଦୋଳିଟି ଉପରୁ ତଳକୁ ଆସୁଥିବା ବେଳେ ହଠାତ ତାରଟି ଛିଣ୍ଡି ପଡି 10 ଫୁଟ ଉପରୁ କଚାଡି ହୋଇ ପଡିଥିଲା । ଏଥିରେ 12 ଜଣ ଆହତ ହେବା ପରେ ପାର୍କଟିକୁ ଅସ୍ଥାୟୀ ରୂପରେ ବନ୍ଦ ରଖାଯାଇଛି ।
ତେବେ ଏହି ପାର୍କରେ ଥିବା ବିଭିନ୍ନ ମନୋରଞ୍ଜନ ଉପକରଣରେ ଯାନ୍ତ୍ରିକ ତୃଟି ଦେଖାଦେଇଥିବାରୁ 2 ମାସ ପୂର୍ବେ ହିଁ ନୋଟିସ ଜାରି କରାଯାଇଥିଲା । ଏହା ସତ୍ବେ ପାର୍କ ଅଧିକାରୀ ସୁରକ୍ଷାକୁ ନେଇ ପୋଲିସକୁ ଆଶ୍ବାସନା ଦେଇଥିଲେ । ସେପଟେ ପାର୍କ ଅଧିକାରୀ ଦୁର୍ଘଟଣା ପରେ ପୋଲିସକୁ ବିଳମ୍ବରେ ସୂଚନା ଦେଇଥିବା ଅଭିଯୋଗ ହୋଇଛି ।
ସୌଭାଗ୍ୟବଶତଃ ଦୋଳିଟି 10 ଫୁଟ ଉପରୁ ପଡିଛି । ଯଦି ଏହା ଶୀର୍ଷରୁ ତଳକୁ ପଡିଥାନ୍ତା ଦୋଳିରେ ବସିଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାନ୍ତା ବୋଲି ଆସିଷ୍ଟାଣ୍ଟ କମିଶନର ମୁଥିବେଲ ପାଣ୍ଡେ କହିଛନ୍ତି ।