ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଓ ସାହାରା ଯୋଗାଇଦେବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ । ସମସ୍ତ ରାଜ୍ୟ ଏସଡିଆରଏଫ୍ ଫଣ୍ଡକୁ ବ୍ୟବହାର କରି ଶ୍ରମିକଙ୍କୁ ସହାୟତା କରିବାକୁ ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଖାଦ୍ୟ, ସ୍ବାସ୍ଥ୍ୟ ସୁରକ୍ଷା ଇତ୍ୟାଦି ଯୋଗାଇଦେବାକୁ କୁହାଯାଇଛି ।
ସମସ୍ତ ରାଜ୍ୟ ସଚିବଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଲଗାତାର ସମ୍ପର୍କରେ ଥିବା କହିଛନ୍ତି ଗୃହମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ପୂଣ୍ୟ ଶଲୀଳ ଶ୍ରୀବାସ୍ତବ । ସେ କହିଛନ୍ତି କେନ୍ଦ୍ର ପ୍ରାୟ 29,000 କୋଟିର ଏସଡିଆରଏଫ ଫଣ୍ଡ ଆଗାମୀ ବଜେଟରେ ଦିଆଯିବା କୁହାଯାଇଥିଲା ।
ଚଳିତ ଆର୍ଥିକ ବର୍ଷରେ ଯେତିକି ଫଣ୍ଡ ଦିଆଯାଇଛି, ଏହାସହ ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଥିବା 29,000 କୋଟି ବଜେଟକୁ ରାଜ୍ୟ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି । ହଜାର ହଜାର ଶ୍ରମିକ ଲକ୍ ଡାଉନ୍ କାରଣରୁ ଫସିରହିଛନ୍ତି । ଏଥିପାଇଁ ରାଜ୍ୟ ରାଜପଥ କଡରେ ବଡ ବଡ ଟେଣ୍ଟ ଲଗାଇ ରହିବା ପାଇଁ ସେମାନଙ୍କ ରହିବା ନେଇ ବ୍ୟବସ୍ଥା କରାଯିବ ବୋଲି ଶ୍ରୀବାସ୍ତବ କହିଛନ୍ତି ।
ଅନ୍ୟପକ୍ଷେ ଗୃହମନ୍ତ୍ରଣାଳୟ ନ୍ୟାସନାଲ ହେଲଥ୍ ମିଶନ (ଏନଏଚଏମ) ଜରିଆରେ କୋରୋନା ଚିକିତ୍ସା ପାଇଁ ଫଣ୍ଡ ଯୋଗାଇ ଦିଆଯାଥିଲା । କୋରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ଦେଶରେ ଯଦି ସମସ୍ତ ଲକ୍ ଡାଉନ୍ ନିୟମ ପାଳନ କରନ୍ତି ତେବେ କିଛି ଦିନରେ ଭଲ ଖବର ପାଇବା ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ଏହସହ ଆଇସିଏମଆର ମଧ୍ୟ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ