ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ବଢୁଛି କୋରୋନା ସଂକ୍ରମଣ । ଏପରି ସ୍ଥିତିରେ ଡରାଇଲାଣି ତେଜରାତି ଦୋକାନ, ପରିବାର ଦୋକାନ ସହ ଅନ୍ୟାନ୍ୟ ବ୍ୟବସାୟୀ ସ୍ଥଳୀ । ଏହି ସବୁ ଦୋକାନରେ ଦୈନିନ୍ଦିନ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କ ଯା’ଆସ ଲାଗି ଥାଏ । ବର୍ତ୍ତମାନ ଏହି ସବୁ ଅଞ୍ଚଳ ଏବେ କୋରୋନା ବ୍ୟାପିବାର ମୁଖ୍ୟ କାରଣ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚେତାଇ ଦିଆଯାଇଛି । ତେଣୁ ଏନେଇ ତୁରନ୍ତ ଟେଷ୍ଟିଂ କ୍ଷମତାକୁ ବଢାଇ କୋରୋନା ଚିହ୍ନଟ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
ଦେଶର ନୂତନ ଅଞ୍ଚଳରେ କୋଭିଡ ମାମଲା ରିପୋର୍ଟ ଚିନ୍ତା ବଢାଇ ଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋରୋନା ମୃତ୍ୟୁହାର ହ୍ରାସ କରିବାକୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ଅମ୍ଳଜାନ ସୁବିଧା ଏବଂ ଶୀଘ୍ର ପ୍ରତିକ୍ରିୟା ପ୍ରଣାଳୀ ସହିତ ଆମ୍ବୁଲାନ୍ସ ପରିବହନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।