ଇଟାନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ସରକାର ଅନୁଚ୍ଛେଦ 371କୁ ମଧ୍ୟ ଉଚ୍ଛେଦ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ଏନେଇ ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବୋତ୍ତରକୁ ବିଶେଷ ମାନ୍ୟତା ଦେଉଥିବା ଧାରା 371ର ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ସ୍ଥାନ ରହିଛି ଏବଂ ବିଜେପି ସରକାର ଏହାକୁ ସମ୍ମାନ କରୁଛି । ବିଜେପି ସରକାର ଏଥିରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଅରୁଣାଚଳ ପ୍ରଦେଶର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ଶାହ ।
ଅରୁଣାଚଳ ପ୍ରଦେଶର 34ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, 'ପୂର୍ବୋତ୍ତରର ସଂସ୍କୃତି ବିନା ଭାରତର ସଂସ୍କୃତି ଅପଙ୍ଗ । ଅଗଷ୍ଟ ମାସରେ ଧାରା 370 ଉଚ୍ଛେଦ କରାଯିବା ପରେ ଅନୁଚ୍ଛେଦ 371 ମଧ୍ୟ ଉଚ୍ଛେଦ ହେବ ବୋଲି ପୂର୍ବୋତ୍ତର ରାଜ୍ୟର ଲୋକଙ୍କୁ ଭ୍ରମିତ କରାଗଲା । ଆଜି ମୁଁ ସମଗ୍ର ପୂର୍ବୋତ୍ତରର ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଅନୁଚ୍ଛେଦ 371କୁ କେହି ବି ଉଚ୍ଛେଦ କରିପାରିବେ ନାହିଁ ।'