ନୂଆଦିଲ୍ଲୀ: ଉନ୍ନାଓ ପୀଡିତାଙ୍କ ସହିତ ହୋଇଥିବା ସଡ଼କ ଦୁର୍ଘଟଣାରେ ସିବିଆଇ ଚାର୍ଜସିଟ ଦାଖଲ କରିଛି । ଅପରାଧିକ ଷଡଯନ୍ତ୍ର ଓ ଧମକ ଦେବା ମାମଲାରେ ବିଜେପିରୁ ବହିଷ୍କୃତ ଦଳୀୟ ବିଧାୟକ କୁଲଦୀପ ସିଂ ସେଙ୍ଗର ଓ ଡ୍ରାଇଭର ଆଶୀଷ କୁମାର ପାଲଙ୍କୁ ସିବିଆଇ ନିଜ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଛି। ହତ୍ୟା ଅଭିଯୋଗରେ କୌଣସି ଚାର୍ଜସିଟ ଦାଖଲ କରିନାହିଁ ସିବିଆଇ।
ଏହି ଚାର୍ଜସିଟ ଲକ୍ଷ୍ନୌରେ ଦାଖଲ ହୋଇଥିବା ବେଳେ ଡ୍ରାଇଭର ଆଶୀଷ କୁମାର ପାଲଙ୍କୁ ଆଇପିସିର ଧାରା 304(କ), 338 ଓ 279 ଅନୁସାରେ ଏ ଘଟଣାରେ ଅଭିଯୁକ୍ତ ବୋଲି ଜଣାଇ ଦିଆଯାଇଛି। କୁଲଦୀପ ସିଂ ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ 120(ଖ)ଅନୁସାରେ ଅଭିଯୋଗ ଲଗାଯାଇଛି।
ଜେଲରେ ଥିବା ଦାଦାଙ୍କୁ ଦେଖା କରିବାକୁ ପୀଡିତା ଯାଉଥିବା ବେଳେ ଏକ ଟ୍ରକ ଦୁର୍ଘଟଣାର ସାମ୍ନା କରିଥିଲେ ସେ। ଯେଉଁଥିରେ ପୀଡିତାଙ୍କ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ ପୀଡିତାଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ପୋଲିସ ତାଙ୍କ ସାଥିରେ ନଥିଲେ ।
ଏହା ପରେ ଏ ଘଟଣାରେ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଥିଲେ । ଏହାର 2ଦିନ ପରେ 30 ଜୁଲାଇରେ କୁଲଦୀପ ସିଂ ସେଙ୍ଗର ଓ ତାଙ୍କ ଭାଇ ମନୋଜ ସିଂ ସେଙ୍ଗର ଓ ଉତ୍ତରପ୍ରଦେଶର ମନ୍ତ୍ରୀ ଦାମାଦ ଅରୁଣ ସିଂଙ୍କ ସମେତ ଅନ୍ୟ 7ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର। ଏହା ପରେ ଚିକିତ୍ସା ପାଇଁ ପୀଡିତା ଦିଲ୍ଲୀ ଏମସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ସେପ୍ଟେମ୍ବର 25ରେ ତାଙ୍କୁ ଡିସଚାର୍ଜ କରାଯାଇଛି।