ଗଲା ଦୁଇ ମାସର ଲକଡାଉନ ସମୟ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ଜାତକକୁ ଆମ ସମସ୍ତଙ୍କ ଆଗରେ ଖୋଲି ଦେଇଛି। ମାର୍ଚ୍ଚ ମାସର ଶେଷ ସପ୍ତାହରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିବା ଉପରେ କଟକଣା ଜାରି କରିଥିଲେ। ଯିଏ ଯେଉଁଠି ଅଛନ୍ତି ସେହିଠାରେ ତାଙ୍କ ଲାଗି ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା, ଯେମିତି କୋରୋନା ଭୁତାଣୁର ସଂକ୍ରମଣକୁ ପ୍ରତିରୋଧ କରିବା। କିନ୍ତୁ ପରିବାରଠୁ ଦୂରରେ ଥିବା ଏହି ଶ୍ରମିକମାନଙ୍କ ଆତ୍ମୀୟବର୍ଗ କେମିତି ଅଛନ୍ତି ଆଉ ସେମାନଙ୍କ ଜୀବନ ଜୀବୀକାର ଏବେ କ’ଣ ହେବ ସେ ସମ୍ପର୍କରେ ଯେଉଁ ଉଦ୍ବେଗ ପ୍ରକାଶ ପାଇଲା । ସେବେଠାରୁ ଆରମ୍ଭ ହେଲା ସେମାନଙ୍କର ପାଦରେ ଚାଲି ଚାଲି ଘରକୁ ଫେରିବାର ଅଭିଯାନ। ଲକଡାଉନ ହେତୁ ଜାରି ହୋଇଥିବା କଟକଣା ଏବଂ ସରକାରୀ ନିୟମାବଳୀ ଉଲ୍ଲଙ୍ଘନ ବାବଦରେ ନିଜର ପ୍ରତିକ୍ରିୟା ରଖି ଏହି ଶ୍ରମିକମାନେ ଏହା କହିବାକୁପଛାଇଲେ ନାହିଁ ଯେ, କୋରୋନା ଯାହା ମାରୁଛି ତ ମାରୁଛି କିନ୍ତୁ ଉପରୁ ସରକାରଙ୍କଦ୍ଵାରା ଜାରି ଏହି ଲକଡାଉନ କଟକଣା ଆମକୁ ଆହୁରି ମାରି ଦେବ! ଏଭଳି ପ୍ରତିକ୍ରିୟା ଶୁଣି ସରକାର ସ୍ଵତନ୍ତ୍ର ଭାବେ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିଲେ। ଏଇ ମାସ ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ଏହି ସ୍ଵତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଦ୍ଵାରା ସରକାର ୩୫ ଲକ୍ଷ ଲୋକଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇଥିବା କହିଛନ୍ତି। ଗଲା ତିନି ସପ୍ତାହର ତଥ୍ୟ ରଖି ସରକାର କହିଛନ୍ତି ଯେ, ୩୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଏପରି ସ୍ଵତନ୍ତ୍ର ଟ୍ରେନ ଦ୍ଵାରା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଯାଇ ପାରିଛି। ସେହିପରି ଅନ୍ୟ ୪୦ ଲକ୍ଷ ଶ୍ରମିକଙ୍କୁ ବସ ଦ୍ଵାରା ସେମାନଙ୍କ ରାଜ୍ୟକୁ ପଠାଯାଇଛି । ଆସନ୍ତା ୧୦ ଦିନ ଭିତରେ ସ୍ଵତନ୍ତ୍ର ଟ୍ରେନ ଯୋଗେ ଆହୁରି ୩୫ ଲକ୍ଷ ଶ୍ରମିକଙ୍କୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।ଏଥିଲାଗି ୨୬୦୦ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରାଯିବ ବୋଲି ସରକାର ବିବୃତ୍ତି ରଖିଛନ୍ତି । ଗତ କିଛିଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟଏହି ଶ୍ରମିକମାନଙ୍କର ଯାତ୍ରାକୁ ଠିକଣା ଯୋଜନାରେ ପରିଚାଳନା କରିବା ଲାଗି ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟଙ୍କ ଲାଗି ଏକ ନିର୍ଦେଶାବଳୀ ଜାରି କରିଥିଲେ। ବିଶେଷକରି ଯାତ୍ରୀମାନଙ୍କ ଖାଦ୍ୟ, ପେୟ, ପରିମଳ ଓ ସ୍ଵାସ୍ଥ୍ୟ ବିଷୟରେ ଯତ୍ନ ନେବା ଲାଗି ଏଥିରେ କୁହାଯାଇଥିଲା। ମହିଳା ଓ ଶିଶୁ ଯାତ୍ରୀଙ୍କ ଲାଗି ଆବଶ୍ୟକ ଧ୍ୟାନ ଦେବା ଲାଗି ଏଥିରେ ନିର୍ଦେଶ ରହିଥିଲା। କିନ୍ତୁ ଏହି ବ୍ୟବସ୍ଥାକୁ ପରିଚାଳନା କରିବାରେ ବିଫଳ ହେବାରୁ ଦିଲ୍ଲୀ ରେଳ ଷ୍ଟେସନ୍ରୁ ବିହାର ଯିବାକୁ ଥିବା ଟ୍ରେନ୍ରେ ଖାଦ୍ୟ ପୁଡ଼ିଆ ଏବଂ ପିଇବା ପାଣି ଲୁଟ ହେବା ଘଟଣା ସାମ୍ନାକୁ ଆସିଛି। ଫଳରେ ଯାତ୍ରୀମାନଙ୍କୁ ଖାଦ୍ୟ କଥା ଛାଡ଼ନ୍ତୁ ବିନା ପିଇବା ପାଣିରେ ୧୦ରୁ ୨୦ ଘଣ୍ଟା ରହିବାକୁ ପଡ଼ିଛି । ଖାଲି ସେତିକି ନୁହେଁ ଟ୍ରେନ୍ରେ ପ୍ରବଳ ଗହଳି ହେବା ହେତୁ ଯାତ୍ରାର ଗତିପଥକୁ ବଦଳାଇବାକୁ ପଡ଼ିଛି ବା ଅନେକ ଟ୍ରେନ ଯାତ୍ରାକୁ ଘଣ୍ଟା ଘଣ୍ଟା ଧରି ବନ୍ଦ କରାଯାଇଛି। ଏହାଦ୍ଵାରା ବସିଥିବା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ଅଧିକ ୩୦ରୁ ୪୦ ଘଣ୍ଟା ବିଳମ୍ବ ଅପେକ୍ଷା କରିବାକୁ ପଡ଼ିଛି । ଏହି ପ୍ରକାର ଦୟନୀୟ ବ୍ୟବସ୍ଥା, ଦୀର୍ଘ ବିଳମ୍ବିତ ଯାତ୍ରା ପୂର୍ବରୁ ବିଚଳିତ ଥିବା ପ୍ରବାସୀ ଶ୍ରମିକଙ୍କୁ ଅଧିକ କଷ୍ଟ ଦେଇଥିଲା। ଏହାକୁ ନର୍କ ନିର୍ଯାତନା ବୋଲି କହିବାକୁ ମଧ୍ୟ ସେମାନେ ପଛାଇ ନଥିଲେ। ଏଠି ପ୍ରଶ୍ନ ଉଠେ ଯେ, ଆମେ କ’ଣ ଦେଶ ଗଠନରେ ପୂଣ୍ଣ ଅବଦାନ ରଖିଥିବା ଏହି ପ୍ରବାସୀ ଶ୍ରମିକଙ୍କ ମଙ୍ଗଳ ଲାଗି ଅଧିକ ମାନବିକ ବ୍ୟବସ୍ଥା ଆପଣାଇ ପାରି ଥାଆନ୍ତେ? ଏହି ପ୍ରଶ୍ନ ଏବେ ଦେଶର ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି।
ଆମେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇପାରିନି କି? - ଆମେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇପାରିନି କି
ପ୍ରବାସୀ ଶ୍ରମିକଙ୍କ ଦୟନୀୟ ସ୍ଥିତିକୁ ସମ୍ଭାଳିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆବଶ୍ୟକ ସଂଯୋଜନା ରହିବା ଜରୁରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏନେଇ ଉଚିତ ସଂଯୋଜନା ସ୍ଥାପନ କରିବା ଆବଶ୍ୟକ। ଅଧିକ ପଢନ୍ତୁ...

ଭାରତର ଜନଗଣନା ରିପୋର୍ଟ ୨୦୧୧ ଅନୁସାରେ ଦେଶରେ ବିଭିନ୍ନ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରାୟ ୧୪ କୋଟି ଲୋକ ସେହି ବର୍ଷ ପ୍ରବାସ ହୋଇଛନ୍ତି। ପୁଣି ଆସନ୍ତା ୫ ବର୍ଷ ଯାଏ ବାର୍ଷିକ ୯୦ ଲକ୍ଷ ଲୋକଙ୍କ ଅନ୍ୟ ରାଜ୍ୟକୁ ପ୍ରବାସ ହେବା ଆଶଙ୍କା ରହିଛି ବୋଲି ୨୦୧୭ରେ ପ୍ରକାଶିତ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ସ୍ପଷ୍ଟ କରିଛି। ସବୁଠାରୁ ଅଧିକ ପ୍ରବାସ ଉତ୍ତର ପ୍ରଦେଶ ଏବଂ ବିହାର ରାଜ୍ୟରେ ଦେଖିବାକୁ ମିଳେ। ଏହି ଦୁଇ ରାଜ୍ୟ ପରେ ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଏବଂ ଜମ୍ମୁ ଓ କଶ୍ମୀର ରାଜ୍ୟର ନାଁ ଆସିଥାଏ। ଏହି ସବୁ ରାଜ୍ୟରୁ ଲୋକମାନେ କାମ ସନ୍ଧାନରେ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, କେରଳ ପ୍ରଭୃତି ରାଜ୍ୟକୁ ଯାଇଥାଆନ୍ତି। ଲକଡାଉନ ହେତୁ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେହି ସମୟରେ ଏହି ଶ୍ରମିକମାନେ ଅଜଣା ଭୁତାଣୁ ଦ୍ଵାରା ଆତଙ୍କିତହେଲେ। ସେମାନଙ୍କ ଆଶଙ୍କା ଯେ, ଯେଉଁ ଅଜଣା ରାଜ୍ୟରେ ବିନା କୌଣସି ପରିବାର, ଓ ନିଜ ଲୋକଙ୍କ ବିନା ସେମାନେ ଅଛନ୍ତି ସେଠାରେ ଭୁତାଣୁ ଆକ୍ରମଣର ଶିକାର ହେବା ଅପେକ୍ଷା ନିଜ ଘରକୁ ଫେରିଯିବା ଭଲ। ଏହି ଭୟ ଓ ଆତଙ୍କର ବାତ୍ତାବରଣ ପ୍ରବାସୀ ଶ୍ରମିକଙ୍କୁ ମନସ୍ତାତ୍ତ୍ଵିକ ଚାପର ଶିକରା କରାଇଥିଲା। ଫଳରେ ସମସ୍ତ ପ୍ରକାର ବିପଦକୁ ଆହ୍ବାନ ଦେଇ ସେମାନା ଚାଲି ଚାଲି ନିଜ ସହରକୁ ଫେରିଯିବା ଲାଗି ଆଗକୁ ବଢ଼ିଲେ। ପୁଣି କୌଣସି ପରିବହନ ସୁବିଧା ନପାଇ ଏହି ଶ୍ରମିକମାନେ ଶହ ଶହ ମାଇଲ ଚାଲିବାକୁ ଲାଗିଲେ।
ଏହି ସମୟରେ କିଛି ହତଭାଗା ରାସ୍ତା ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ବି ପଡ଼ିଲେ। ଦିନ ସାରା ଚାଲି ଚାଲି ଥକି ପଡ଼ିଥିବା କିଛି ଶ୍ରମିକ ରେଳ ଲାଇନ ଉପରେ ରାତି ଆଶ୍ରୟ ନେଉଥିବା ବେଳେ ମହାରାଷ୍ଟ୍ରରେ ଏକ ମାଲବାହୀ ଟ୍ରେନ ସେମାନଙ୍କ ଉପରେ ଚଢ଼ିଯିବା ଏବଂ ଏହାଦ୍ଵାରା ୨୬ ଜଣଙ୍କ ମୃତ୍ୟୁ ଘଟିବା ଭଳି ଦୁଃଖଦ ଘଟଣା ବି ଏହି ସମୟରେ ଘଟିଛି। ଖାଲି ସେତିକି ନୁହେଁ ନିଜ ବାପାଙ୍କୁ ସାଇକେଲରେ ବୋହି ୧୨୦୦ କିମି ଯାତ୍ରା କରିଥିବା ଝିଅର କାହାଣୀ ସେହି ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ଏହି ଘଟଣା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏସବୁ ପ୍ରବାସୀ ଶ୍ରମିକ ଭୋଗିଥିବା ଯନ୍ତ୍ରଣାଗୁଡ଼ିକ ଭିତରୁ ଗୋଟିଏ ଗୋଟିଏ ଦାନା ସଦୃଶ। ଏବେ ଯେଉଁ ରିପୋର୍ଟ ଆସୁଛି ସେଥିରୁ ସ୍ପଷ୍ଟ ଯେ, ମହାରାଷ୍ଟ୍ର, ଦିଲ୍ଲୀ, କଣ୍ଣାଟକ, ହରିୟାଣା ଏବଂ ପଞ୍ଜାବରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଭିତରୁ ଏଯାଏଁ ୩୦ ପ୍ରତିଶତ ଶ୍ରମିକ ବି ସେମାନଙ୍କ ନିଜ ରାଜ୍ୟକୁ ଫେରି ନାହାନ୍ତି। ପୁଣି ତେଲୁଗୁ ରାଜ୍ୟଗୁଡ଼ିକରୁ ୧୪୦ଟି ଟ୍ରେନ୍ ଯୋଗେ ଆହୁରି ୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ବ୍ୟବସ୍ଥା ହୋଇଛି। ତେଲେଙ୍ଗାନା ହାଇକୋର୍ଟ ଏ ଭିତରେ ରାଜ୍ୟ ସରକାରଙ୍କୁ ସେଠାରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ଲାଗି ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି। ଗୁଜରାଟ ହାଇକୋର୍ଟ ମଧ୍ୟ ଏପରି ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ସମ୍ପୃକ୍ତ ରାଜ୍ୟର ରାଜ୍ୟ ସରକାରମାନେ ଶ୍ରମିକଙ୍କ ଯାତ୍ରାର ଏକ ପକ୍ଷ ଖର୍ଚ୍ଚ ବହନ କରିବାକୁ ନିର୍ଦେଶ ଦେଇଛନ୍ତି। ଏଭଳି ଦୟନୀୟ ସ୍ଥିତିକୁ ସମ୍ଭାଳିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆବଶ୍ୟକ ସଂଯୋଜନା ରହିବା ଜରୁରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏନେଇ ଉଚିତ ସଂଯୋଜନା ସ୍ଥାପନ କରିବା ଆବଶ୍ୟକ। ଏହାଦ୍ଵାରା ପ୍ରବାସୀ ଶ୍ରମିକଙ୍କ ନିରାପଦ ଯାତ୍ରା ନିଶ୍ଚିତ ହୋଇପାରିବ। ସେମାନଙ୍କୁ ଯାତ୍ରା ସମୟରେ ଆବଶ୍ୟକ ଖାଦ୍ୟ, ପାଣି, ଆରାମ ଓ ମର୍ଯ୍ୟାଦା ମିଳିପାରିବ।