ନୂଆଦିଲ୍ଲୀ: ସୀମାର ଉଭୟ ପାର୍ଶ୍ବରେ ଥିବା ସେନାର ସମ୍ପର୍କ କେବଳ ଗୁଳି ବାରୁଦର ନୁହେଁ । ଦେଶର ସୁରକ୍ଷା ପାଇଁ ଶତ୍ରୁକୁ ନିପାତ କରିବାକୁ ସବୁବେଳେ ତୟାର ରହୁଥିବା ସେନା ପାଖରେ ବି ଅଛି ପ୍ରତିପକ୍ଷଙ୍କ ପ୍ରତି ଢେର ସାରା ଭଲପାଇବା । ଆଜି ଇଦ୍ ଅବସରରେ ଭାରତ-ବାଂଲାଦେଶ ଏବଂ ଭାରତ-ପାକିସ୍ତାନ ସେନା ପରସ୍ପରକୁ ମିଠା ଖୁଆଇ ପୁଣିଥରେ ସଦଭାବନାର ବାର୍ତ୍ତା ଦେଇଛନ୍ତି ।
ଆଜି ଇଦ୍ । ଚଳଚଞ୍ଚଳ ୱାଘା-ଅଟାରୀ ଏବଂ ଇଣ୍ଡୋ-ବାଂଲାଦେଶ ବୋର୍ଡର । କିନ୍ତୁ ଯୁଦ୍ଧ କି ଯୁଦ୍ଧ ପ୍ରସ୍ତୁତି ପାଇଁ ନୁହେଁ । ଶ୍ରଦ୍ଧା, ଶାନ୍ତି ଏବଂ ସଦଭାବନାର ବାର୍ତ୍ତା ଦେବା ପାଇଁ । ସେନା ହାତରେ ବନ୍ଧୁକ ନାହିଁ । ବରଂ ଅଛି ପ୍ରେମର ସନ୍ଦେଶ । ଯେଉଁ ହାତରେ ବନ୍ଧୁକ ଧରି ପରସ୍ପର ଭିତରେ ଗୁଳି ବିନିମୟ ହୁଏ, ଆଜି ସେ ହାତ ଖୁଆଇଛି ମିଠା । ଆଉ ପ୍ରତିପକ୍ଷ ହାତଠୁ ମଧ୍ୟ ଖାଇଛି ମିଠା ।