ନୂଆଦିଲ୍ଲୀ: ରେଳ ଟିକେଟ୍ ବୁକିଂ କରିବାକୁ ଅଛି ପାଖରେ କିନ୍ତୁ ଟଙ୍କା ନାହିଁ । ଜମାରୁ ଚିନ୍ତିତ ହୁଅନ୍ତୁ ନାହିଁ ଆପଣଙ୍କ ପାଖରେ ଟଙ୍କା ନଥିଲେ ବି ହୋଇପାରିବ ଟିକେଟ୍ ବୁକିଂ । ରେଳ ଟିକେଟ୍ ବୁକିଂ ପାଇଁ ରେଳବିଭାଗ ନେଇଛି ବଡ ନିଷ୍ପତ୍ତି । ଏଣିକି ରେଳ ଟିକେଟ୍ ବୁକିଂ କରିବାକୁ ହେଲେ ସଙ୍ଗେ ସଙ୍ଗେ ଟଙ୍କା ପଇଠ ନ କରି ପରେ ଟଙ୍କା ପଇଠ କରିପାରିବେ । ଆଇଆରସିଟିସି ଗ୍ରାହକଙ୍କ ପାଇଁ ଆଣିଛି ଏଭଳି ଏକ ନୂଆ ଫିଚର ।
ଆଇଆରସିଟିସି ‘ବାଏ ନାଓ ପେ ଲେଟର’ ଫିଚର ପ୍ରସ୍ତୁତ କରିଛି । ଏହି ଫିଚର ଦ୍ବାରା ଆପଣ ରେଳ ଟିକେଟ୍ ବୁକିଂ କରି, ପରେ ଟଙ୍କା ଦେବାର ସୁବିଧା ରହିଛି ।
ଜାଣନ୍ତୁ ଏହି ଫିଚର ବିଷୟରେ କିଛି ଖାସ୍ କଥା:
‘ବାଏ ନାଓ ପେ ଲେଟର’ ଫିଚର ଦ୍ବାରା ଆପଣଙ୍କୁ ଟିକେଟ୍ ବୁକିଂ ବେଳେ ଆଉ ସମସ୍ୟାର ସମ୍ମୁଖିନ ହେବାକୁ ପଡିବନି । ଟିକେଟ୍ ବୁକିଂ ପାଇଁ ଅନଲାଇନ କାରବାର କରିବା ବେଳେ କ୍ୟାନସେଲ ହୋଇଯାଏ । ଏମିତିକି ଆକାଉଣ୍ଟରୁ ଟଙ୍କା କଟିବା ପରେ ବି ଟିକେଟ୍ ବୁକ୍ ହୋଇ ନଥାଏ । ଏହି ସମସ୍ୟାରୁ ମୁକୁଳିବା ପାଇଁ ଆଇଆରସିଟିସିର ଏହି ନୂଆ ଫିଚର । ଟିକେଟ୍ ବୁକିଂ କରିବାର 14 ଦିନ ମଧ୍ୟରେ କରି ପାରିବେ ଟଙ୍କା ପଇଠ । ଏଥିପାଇଁ ଆପଣଙ୍କୁ ଆଇଆରସିଟିସି ୱେବ ସାଇଟ ସାହାଯ୍ୟ ନେବାକୁ ପଡିବ ।
ତେବେ ଏହି ନୂଆ ଫିଚର ପାଇଁ ଆପଣଙ୍କୁ ଆଧାରକାର୍ଡ ଓ ପ୍ୟାନ କାର୍ଡର ସୂଚନା ଦେବାକୁ ପଡିବ । ଆପଣଙ୍କୁ ଏଥିପାଇଁ ମୋବାଇଲ ନମ୍ବର ରେଜିଷ୍ଟ୍ରେସନ କରିବାକୁ ପଡିବ ଏବଂ ଇ-ପେଲେଟରେ ଆକାଉଣ୍ଟ କରିବାକୁ ପଡିବ । ଏହା କରିବା ଦ୍ବାରା ଆପଣ ଏହି ନୂଆ ଫିଚରର ବ୍ୟବହାର କରି ପାରିବେ ।