ପାଣାଜୀ: ଗୋଆରେ ଶକ୍ତି ପରୀକ୍ଷାରେ ପାସ ହୋଇଛି ବିଜେପି । ଫ୍ଲୋର ଟେଷ୍ଟରେ ଏହା ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛି । ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସପକ୍ଷରେ 20 ଜଣ ବିଧାୟକଙ୍କ ସମର୍ଥନ ଥିବାର ପ୍ରମାଣ ମିଳିଥିଲା ।
ବୁଧବାର ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ ଜିଣି ଗୋଆରେ ବିଜେପି ନେତୃତ୍ୱାଧୀନ ସରକାର ତାହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛି । ଏବେ ଗୃହର ସଦସ୍ୟ ସଂଖ୍ୟା ୪୦ରୁ ୩୬କୁ ଖସି ଆସିଥିବାବେଳେ ବିଧାନସଭାରେ ବିଜେପି ସରକାରକୁ ୨୦ ଜଣ ବିଧାୟକ ସମର୍ଥନ କରିଥିଲେ । ଏମାନଙ୍କ ମଧ୍ୟରେ ବିଜେପିର 11 ଜଣ ବିଧାୟକ ଥିବାବେଳେ ମହାରାଷ୍ଟ୍ରୱାଡି ଗୋମାନ୍ତକ ପାର୍ଟିର 3, ଗୋଆ ଫରୱାର୍ଡ ପାର୍ଟିର 3 ଏବଂ 3 ଜଣ ସ୍ବାଧୀନ ବିଧାୟକ ଅଛନ୍ତି ।
ବିଜେପିକୁ ବଞ୍ଚାଇବାକୁ ଗତବର୍ଷ ଜୁନ ମାସରୁ ଅସୁସ୍ଥ ଥିବା ବିଜେପି ବିଧାୟକ ପାଣ୍ଡୁରଙ୍ଗ ମଡକାଇକର ଆଜି ସର୍ବସାଧାରଣଙ୍କ ସାମ୍ନାକୁ ଆସିଥିଲେ । ତେବେ ଆସ୍ଥା ଭୋଟ ବିପକ୍ଷରେ 15 ବିଧାୟକ ମତ ଦେଇଥିଲେ । ଏମାନଙ୍କ ମଧ୍ୟରେ କଂଗ୍ରେସର 14 ବିଧାୟକ ଏବଂ ଏନସିପିର ଜଣେ ବିଧାୟକ ଅଛନ୍ତି । ଏହି ମତଦାନକୁ କାର୍ଯ୍ୟକାରୀ ବାଚସ୍ପତି ଏବଂ ବିଜେପି ବିଧାୟକ ମାଇକେଲ ଲୋବୋ ପରିଚାଳନା କରିଥିଲେ ।
ଏହି ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କ ନେତୃତ୍ବରେ ଏକ କ୍ୟାବିନେଟ ମିଟିଂ ହୋଇଥିଲା । ପୂର୍ବରୁ ମନୋହର ପାରିକର ଓ ଡି ସୌଜାଙ୍କ ମୃତ୍ୟୁ ପରେ ସଦସ୍ୟ ସଂଖ୍ୟାରେ ହ୍ରାସ ଘଟିଥିଲା । ଏହାସହ କଂଗ୍ରେସର 2 ଜଣ ବିଧାୟକ ବିଜେପିରେ ମିଶିବା ପରେ ଏହି ସଂଖ୍ୟା 36କୁ ଖସି ଆସିଥିଲା ।
ତେବେ ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇ ଅଧରାତି ପରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇଥିଲେ । ଏହାର ଦିନକ ପରେ ଆସ୍ଥା ପ୍ରମାଣର ସମ୍ମୁଖୀନ ହୋଇଥିଲେ ସାୱନ୍ତ ସରକାର । ହେଲେ ଏହି ଟେଷ୍ଟରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିଛନ୍ତି ସାୱନ୍ତ ।