ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଗତବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଝଟକା ଖାଇବା ପରେ ଏବେ ଚେତିଉଠିଛି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି(ବିଜେପି) । ଏହିକ୍ରମରେ ଆସନ୍ତା ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଜାଗ ହୋଇଉଠିଛି ଦଳ । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଶାସନ ଗାଦି ଅକ୍ତିଆର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଦଳୀୟ କର୍ମକର୍ତ୍ତା ।
ଦିଲ୍ଲୀ ନିର୍ବାଚନ ପାଇଁ ଚଳଚଞ୍ଚଳ ବିଜେପି କ୍ୟାମ୍ପ - ଦିଲ୍ଲୀ ନିର୍ବାଚନ ପାଇଁ ଶାହଙ୍କ ଘରେ 7 ଘଣ୍ଟା ବୈଠକ
ଆସନ୍ତା ଫେବୃଆରୀ 8 ତାରିଖରେ ହେବାକୁ ଦିଲ୍ଲୀ ବିଧାନସଭା ନିର୍ବାଚନ । ଦିନକୁ ଦିନ ନିର୍ବାଚନୀ ତାରିଖ ପାଖେଇ ଆସୁଥିବାରୁ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦଳୀୟ ଶିବିର । ଏହିକ୍ରମରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ପକ୍ଷରୁ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ରବିବାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରାୟ 7 ଘଣ୍ଟା ଧରି ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହିକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ରବିବାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରାୟ 7 ଘଣ୍ଟା ଧରି ଏକ ଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ଯୋଗ ଦେଇଛନ୍ତି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ପ୍ରଭାରୀ ପ୍ରକାଶ ଜାଭେଦକର, ଶ୍ୟାମ ଜାଜୁ, ଦିଲ୍ଲୀ ରାଜ୍ୟ ବିଜେପି ଶାଖା ସଭାପତି ମନୋଜ ତିୱାରୀ, ଦଳର ରାଜ୍ୟସଭା ସଦସ୍ୟ ବିଜୟ ଗୋଏଲ, ଦଳୀୟ ବିଧାୟକ ବିଜେନ୍ଦ୍ର ଗୁପ୍ତା ଏବଂ ଦଳର ବରିଷ୍ଠ ଅନିଲ ଜୈନ ।
ଗୃହମନ୍ତ୍ରୀ ଶାହଙ୍କ ବାସଭନରେ ଚାଲିଥିବା ବୈଠକରେ ନିର୍ବାଚନ ପ୍ରଚାର, ଦଳୀୟ ରଣନୀତି ଏବଂ ନିର୍ବାଚନ ଲଢିବାକୁ ଯାଉଥିବା ଆଶାୟୀ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଦିଲ୍ଲୀ ନିର୍ବାଚନ ପାଇଁ 70 ଜଣଙ୍କ ମଧ୍ୟରୁ 45 ଜଣ ଆଶାୟୀ ପ୍ରାର୍ଥୀଙ୍କ ଉପରେ ଚର୍ଚ୍ଚା ହୋଇଛି। ସୋମବାର ବାକି ପ୍ରାର୍ଥୀଙ୍କ ଉପରେ ଆଲୋଚନା କରାଯିବ । ନିର୍ବାଚନ ଲଢିବାକୁ ଆଶାୟୀ ପ୍ରାର୍ଥୀଙ୍କ ନାଁ ସ୍ଥିର ହେବା ପରେ ତାହାକୁ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ନିକଟକୁ ପଠାଯିବ।